ତୃତୀୟ ମହଲାକୁ ବୈଜୟନ୍ତଙ୍କ ଟାର୍ଗେଟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଜବାବ । ଠିକଣା ସମୟରେ ନିଷ୍ପତ୍ତି ନିଆଯିବ କହିଲେ ନବୀନ 

36

କନକ ବ୍ୟୁରୋ : ତୃତୀୟ ମହଲାକୁ ଟାର୍ଗେଟ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେତେବେଳେ କାହାପାଖରେ କୌଣସି ପ୍ରସଙ୍ଗ ନଥାଏ ସେମାନେ ତାଙ୍କ ଅଫିସକୁ ଟାର୍ଗେଟ କରିଥାନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ବୈଜୟନ୍ତଙ୍କୁ ଜବାବ ମଗାଯିବା ନେଇ ସେ କହିଛନ୍ତି, ଯାହା ଠିକ୍ ତାହା କରାଯିବ । ଗତକାଲି ମାହାଙ୍ଗା ଅଂଚଳରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ବେଳେ ସାଂସଦ ବୈଜୟନ୍ତ ପଣ୍ଡା ତୃତୀୟ ମହଲାର ଅଣଓଡିଆ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ ।

ଏପରିକି ବିଜୁ ତତ୍ତ୍ୱ କଥା ବି ମନେ ପକାଇ ଦେଇଥିଲେ । ବିଜୁ ବାବୁ କହିଥିଲେ ଯେଉଁ ଅଫିସର କାମ କରୁନାହିଁ ତାକୁ ମାଡ଼ ମାର । ଆଉ ପରୋକ୍ଷରେ ବୈଜୟନ୍ତ ଏଭଳି ଇସାରା କରିବାକୁ ପଛାଇ ନାହାଁନ୍ତି । ଏହାସହ ବୈଜୟନ୍ତ କହିଥିଲେ କିଛି ଅଫିସର ଏବେ ନିଜ ଲକ୍ଷ୍ମଣ ରେଖା ଡେଇଁ ଦଳୀୟ କାର୍ୟ୍ୟକ୍ରମରେ ମୁଣ୍ଡ ପୂରାଉଛନ୍ତି । ସେହିଭଳି ନେତାଙ୍କୁ ସମ୍ମାନ ଦେବା ଆବଶ୍ୟକ ନାହିଁ । ତେବେ ବୈଜୟନ୍ତ ଏଭଳି କହି ବିଜେଡିକୁ ଅଡୁଆରେ ପକାଇଥିଲେ ।

ଦଳର ବରିଷ୍ଠ ନେତା ତଥା ସାଂସଦ ପ୍ରତାପ ଦେବ ବି ଆଶଙ୍କା କରୁଥିଲେ ବିଜେପିରେ ଯୋଗ ଦେବାକୁ ଚାହୁଁଛନ୍ତି ବୈଜୟନ୍ତ । ସେଥିପାଇଁ ଏଭଳି ଯୁକ୍ତି ରଖିଛନ୍ତି ସାଂସଦ । କାରଣ ଅଫିସର ମାନେ ରାଜନୀତି କରୁଛନ୍ତି ବୋଲି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହୁଥିଲେ ଏବେ ବୈଜୟନ୍ତ କହୁଛନ୍ତି । ତେଣୁ ଦୁଇଜଣଙ୍କର ଏବେ ଗୋଟିଏ ସ୍ୱର ହୋଇଯାଇଛି । ବୈଜୟନ୍ତଙ୍କ ଏହି ବୟାନ ପରେ ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହୋଇଛି । ଏନେଇ ପ୍ରତାପ ଦେବ କହିଥିଲେ, ବୈଜୟନ୍ତ ବିଜେପିରେ ମିଶିବେ କି ନାହିଁ ସେଇଟା ସେ କହିବେ । କିନ୍ତୁ ଯେହେତୁ ନିର୍ବାଚନ ପାଖେଇ ଆସିଲାଣି ତେଣୁ ଏଭଳି ବୟାନ ଆହୁରି ଦେଖିବାକୁ ମିଳିବ । ତେବେ ଆଗକୁ କେନ୍ଦ୍ରାପଡା ରାଜନୀତିରେ କଣ ହେବ ତାକୁ ନେଇ ଏବେଠୁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।