‘ଆପଣ ମାନେ ଖୁସି ତ’ । ନବୀନଙ୍କ ଏହି ‘୧୯ ଅସ୍ତ୍ର’ ବିଜେଡିକୁ ଦେଇଥିଲା ବଡ ବିଜୟ, ପଦେ କଥାରେ ବିରୋଧୀଙ୍କର ଚୁପ୍ ହୋଇଯାଉଥିଲା ପାଟି

1,368

କନକ ବ୍ୟୁରୋ: ଆପଣମାନେ ଖୁସି ତ? ନବୀନଙ୍କ ମୁହଁରୁ ଏହି ପଦିଏ କଥା, ରାଜ୍ୟବାସୀଙ୍କ ମଧ୍ୟରେ ଖେଳାଇ ଦେଇଥିଲା ଶିହରଣ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଥିବା ଏହି ଆପ୍ତ-ବାକ୍ୟ ଏତେ ଲୋକପ୍ରିୟ ହୋଇଥିଲା ଯେ ଏହାକୁ ୨୦୧୯ ନିର୍ବାଚନରେ ସ୍ଳୋଗାନ ଭାବେ ବ୍ୟବହାର କରିଥିଲେ ନବୀନ ।

୨୦୧୯ ନିର୍ବାଚନ, ଶାସନ ଦଳ ବିଜେଡି ପାଇଁ ନୂଆ ଚ୍ୟାଲେଂଜ ନେଇ ଆସିଥିଲା । ୨୦୧୭ ପଂଚାୟତ ନିର୍ବାଚନ ପରେ କଂଗ୍ରେସକୁ ହରାଇ ଦ୍ୱିତୀୟ ସ୍ଥାନରେ ପହଁଚିଥିଲା ବିଜେପି । ସେପଟେ ପୁଲୱାମା ଆତଙ୍କୀ ହମଲା ଓ ବାଲାକୋଟ ଆକ୍ରମଣ ପରେ ମୋଦୀଙ୍କ ସପକ୍ଷରେ ସାରା ଦେଶରେ ଜନମତ କେନ୍ଦ୍ରୀଭୂତ ହେଉଥିଲା । ରାଜ୍ୟରେ ବିଜେପିର ଶକ୍ତି ବଢ଼ୁଥିବା ବେଳେ ଦୀର୍ଘ ଦିନ ଧରି କ୍ଷମତାରେ ରହିବା ପରେ ଓଡ଼ିଶାରେ ସରକାର ବିରୋଧୀ ହାୱା ବହିବା ନେଇ ଆଶଙ୍କା ରହିଥିଲା ।

ନିର୍ବାଚନ ଯେତିକି ପାଖେଇ ଆସିଲା, ବିଜେପି-ବିଜେଡି ଦ୍ୱନ୍ଦ୍ୱ ସେତିକି ବଢ଼ିବାରେ ଲାଗିଲା । ଗୋଟିଏ ପଟେ ଓଡ଼ିଶା ଦଖଲ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ଦଳର ବହୁ କେନ୍ଦ୍ରୀୟ ନେତାଙ୍କ ଘମାଘୋଟ ପ୍ରଚାର, ଅନ୍ୟପଟେ ପୁଣି ଥରେ ବିଜେଡିର ଜିତାପଟ ପାଇଁ ପ୍ରଚାରର ମଙ୍ଗ ଧରିଲେ ନବୀନ । ସରକାରଙ୍କ ଅନେକ ଜନହିତକର ଯୋଜନା ଓ ନବୀନଙ୍କ ସ୍ୱଚ୍ଛ ଭାବମୂର୍ତି ଓ ଲୋକପ୍ରିୟତାକୁ ଅଧାର କରି ନିର୍ବାଚନ ମଇଦାନକୁ ଓହ୍ଲାଇଲା ବିଜେଡି । ଏକ ସ୍ୱତନ୍ତ୍ର ବସରେ ଯାତ୍ରା କରି ସାରା ରାଜ୍ୟରେ ପ୍ରଚାର କରିଥିଲେ ନବୀନ । ଏହି ବସ ଯେତିକି ଆଗକୁ ଗଡୁଥିଲା, ସେତିକି ଯୋଡି ହେଉଥିଲା ବିଜେଡି ସପକ୍ଷରେ ଜନମତ ।

ସେପଟେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୋସିଆଲ ମିଡିଆରେ ବିଭିନ୍ନ ଗୁଜବ ପ୍ରଚାର ହେଲା । ଯାହାକୁ ଭୁଲ ପ୍ରମାଣିତ କରିଥିଲା ନବୀନଙ୍କ ବ୍ୟାୟାମ ଭିଡ଼ିଓ । ଏହି ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀ ସୁସ୍ଥ ଥିବା ବାର୍ତା ଲୋକଙ୍କ ନିକଟରେ ପହଁଚିଥିଲା । ୨୦୧୯ ନିର୍ବାଚନ ପୂର୍ବ ନିର୍ବାଚନ ଠାରୁ କଷ୍ଟକର ଥିଲା ସତ, ହେଲେ ଶେଷରେ ନବୀନଙ୍କ ଲୋକପ୍ରିୟତା ଓ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ହିଁ ନିର୍ଣ୍ଣାୟକ ହୋଇଥିଲା । କ୍ରମାଗତ ପଂଚମ ଥର ପାଇଁ କ୍ଷମତାକୁ ଫେରିଥିଲା ବିଜେଡି ଏବଂ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ।