କନକ ବ୍ୟୁରୋ : ମହିଳା ସଶକ୍ତିକରଣ ବିନା କୌଣସି ସମାଜ, ଦେଶ କି ରାଜ୍ୟ ଆଗକୁ ବଢିପାରିବନି । ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କିଛି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ନବୀନ କହିଛନ୍ତି, ମହିଳା ସଶକ୍ତିକରଣ ମୋ ପାଇଁ ସବୁବେଳେ ପ୍ରାଥମିକତା ରହି ଆସିଛି । ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ ଏହା ପ୍ରଗତିର ମନ୍ତ୍ର ।
ଓଡ଼ିଶାର ମା ମାନେ ସଶକ୍ତ ହୋଇଛନ୍ତି । ବିକାଶର ସବୁ କ୍ଷେତ୍ରରେ ସେମାନଙ୍କ ଭୂମିକା ସ୍ପଷ୍ଟ ବାରି ହୋଇ ପଡୁଛି । ଓଡ଼ିଶାର ବିକାଶରେ ଏବେ ଭାଗିଦାରୀ ସାଜିଛନ୍ତି ମହିଳା । ମା ମାନେ ଏବେ ଗାଁ ଗାଁ ରେ ନେତୃତ୍ୱ ନେଇଛନ୍ତି। ପଞ୍ଚାୟତରେ ବିକାଶ କଥା ବୁଝୁଛନ୍ତି।
ମିଶନ ଶକ୍ତି ଆଜି ମା ମାନଙ୍କର ଶକ୍ତିକେନ୍ଦ୍ର ହୋଇପାରିଛି । ଧାନ ସଂଗ୍ରହ ଠାରୁ ଆରମ୍ଭ କରି ସହରରେ ଆହାର ସେଣ୍ଟର ପରିଚାଳନା, ମିଟର ରିଡିଂ, ଜଳ ସାଥୀ, ୫-ଟି ରୂପାନ୍ତରିତ ସ୍କୁଲର ରକ୍ଷାଣବେକ୍ଷଣ ଭଳି ଦାୟିତ୍ୱକୁ ମା’ ମାନେ ଭଲ ଢଙ୍ଗରେ ବୁଝୁଛନ୍ତି । ଗାଁ ପୋଖରୀରେ ମାଛ ଚାଷ କରୁଛନ୍ତି, ମିଶନ ଶକ୍ତି କାଫେ ଜରିଆରେ ପୋଷକ ତତ୍ତ୍ୱର ବାର୍ତ୍ତା ଦେଉଛନ୍ତି ।
ମା’ମାନଙ୍କୁ ଗତ ବର୍ଷ ୧୧ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି । ୨୫୦ କୋଟିରୁ ଅଧିକ ଟଙ୍କା ସୁଧ ରିହାତି ମିଳିଛି । ଏବେ ମା’ମାନଙ୍କ ଯୋଗାଯୋଗ ସୁବିଧା ପାଇଁ ସ୍କୁଟର ଯୋଜନା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ୧ ଲକ୍ଷ ଟଙ୍କ ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯିବ । ମିଶନ ଶକ୍ତିକୁ ଏବେ ଆମେ ଆହୁରି ଆଗକୁ ନେବାକୁ ପ୍ରୟାସ କରୁଛୁ । ମା’ ମାନଙ୍କୁ ଉଦ୍ୟୋଗୀ କରିବାକୁ ଉଦ୍ୟମ ଆରମ୍ଭ କରିଛୁ ବୋଲି କହିଛନ୍ତି ନବୀନ ।
ଏହାସହ ନବୀନ କହିଛନ୍ତି, ମହିଳାଙ୍କ ଅଧିକାର ପାଇଁ ଲଢେଇ କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ତୃଣମୂଳସ୍ତରରେ ମହିଳା ସଶକ୍ତ ହେଲେ ମଧ୍ୟ ରାଜ୍ୟ ଓ ଜାତୀୟସ୍ତରରେ ଏହାର ପ୍ରତିଶତ ଯଥେଷ୍ଟ କମ । ତେଣୁ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ପାଇଁ ସ୍ୱର ଉତ୍ତୋଳନ କରିବାକୁ ପଡିବ । ଗାଁରୁ ସଂସଦ ଯାଏଁ ମହିଳାଙ୍କ ହକ୍ ପାଇଁ ଲଢେଇ କରିବ ବିଜେଡି ।
ଏହାଛଡା ବିକାଶମୂଳକ କାମ ଓ ଯୋଜନା ବାବଦରେ ପ୍ରତିଟି ଲୋକଙ୍କ ପାଖରେ ସୂଚନା ପହଞ୍ଚାଇବାକୁ ବିଜେଡି ମହିଳା କାର୍ଯ୍ୟକାରିଣୀରେ କହିଛନ୍ତି ନବୀନ । ଲୋକଙ୍କ ସହ ରୁହ, ଲୋକଙ୍କ ପାଇଁ କାମ କର ଓ ରୂପାନ୍ତରିତ ଓଡ଼ିଶାରେ ଭାଗିଦାରୀ ହେବାକୁ ଆହ୍ୱାନ ଦେଇଛନ୍ତି ନବୀନ ପଟ୍ଟନାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/30-9.jpg)