ପରୀ ମୃତ୍ୟୁ ମାମଲାରେ ଏସ୍ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ହେଲେ କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଲେ ବିରୋଧୀ, ବିଜେପିର ସିବିଆଇ ତଦନ୍ତ ଦାବି

64

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ହେବ ଏସଆଇଟି ତଦନ୍ତ । ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଜରିଆରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ କିନ୍ତୁ ବିରୋଧୀ ବିଜେପିକୁ ଗ୍ରହଣ କରିପାରିନାହିଁ । ବିଜେପି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛି । ସେପଟେ ଗ୍ରାଉଣ୍ଡ ଜିରୋରେ ଯାଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ । ଆଇନଶୃଙ୍ଖଳା ଏଡିଜି ଜଶୱନ୍ତ ଜେଠୁଆଙ୍କ ନେତୃତ୍ୱରେ ଏକ ଟିମ ନୟାଗଡର ଯଦୁପୁର ଯାଇ ତଦନ୍ତ କରିଛି । ଆଉ ଏସବୁ ଭିତରେ ରାସ୍ତାରେ ପ୍ରତିବାଦ କରିଛି ବିଜେପି । ଏବଂ ଗୃହରେ ହଙ୍ଗାମା ଯୋଗୁଁ ଠପ୍ ହୋଇଯାଇଛି ବିଧାନସଭା କାର୍ଯ୍ୟ ।

ଗୃହ ଭିତରେ ତାତି, ବାହାରେ ହଙ୍ଗାମା । ୫ ବର୍ଷର କୁନି ଝିଅ ପରୀର ମୃତ୍ୟୁ ମାମଲାକୁ ନେଇ ଶାସକ ଦଳକୁ ଘେରିଛି ବିଜେପି । ବିଧାନସଭା ଭିତରେ ଶାସକ ଦଳକୁ ଟାର୍ଗେଟ୍ କରିଥିବା ବେଳେ ଗୃହ ବାହାରେ ବିଜେପି କର୍ମମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦିବାଦ କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେପଟେ ବିଧାନସଭାରେ ମଧ୍ୟ କଂଗ୍ରେସ ବିଧାୟକ ମାନେ ଗୃହ କାର୍ଯ୍ୟ ଆରମ୍ଭରୁ ହଙ୍ଗାମା କରିଥିଲେ ।

ବିରୋଧୀଙ୍କ ହଙ୍ଗାମା ଭିତରେ କିନ୍ତୁ ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନସିଂରେ ଗୃହ କାର୍ଯ୍ୟରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ପରୀ ମୃତ୍ୟୁ ଘଟଣାରେ ତାଙ୍କୁ ମର୍ମାହତ କରିଛି । ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ଉପରେ ତାଙ୍କ ସରକାର ବିଶ୍ୱାସ କରେ । ଆଉ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀଙ୍କୁ ନିବେଦନ କରିଛନ୍ତି । କଂଗ୍ରେସ ଘଟଣାର ଏସ୍ଆଇଟି ତଦନ୍ତ କରୁଥିବା ବେଳେ ଏସଆଇଟି ତଦନ୍ତ ସନ୍ତୁଷ୍ଟ ନୁହେଁ କହିଛି ବିଜେପି ।

ସେପଟେ ପରୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ । ଆଇନଶୃଙ୍ଖଳା ଏଡିଜି ଜଶୱନ୍ତ ଜେଠୁଆଙ୍କ ନେତୃତ୍ୱରେ ଏକ ଟିମ ନୟାଗଡର ଯଦୁପୁର ଯାଇ ତଦନ୍ତ କରିଛି । ପରୀର ବାପା ମାଆ ରହୁଥିବା ଅଜାଘର ଯୋଗିଆ ପାଲ୍ଲୀ ଗାଁରେ ପହଂଚି ବାପା ମାଆଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ସେମାନଙ୍କୁ ସାଙ୍ଗରେ ନେଇ ଯଦୁପୁର ଗାଁରେ ପହଂଚିଥିଲେ । ପରୀ ଅପହରଣ ଘଟଣାର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ, କାହା ଉପରେ ସନ୍ଦେହ ହେଉଛି ଏବଂ କାହାର ସଂପୃକ୍ତି ଥାଇପାରେ, ସେନେଇ ପଚାରି ବୁଝିଛନ୍ତି । ବଡ କଥା ହେଉଛି, କ୍ରାଇମବ୍ରାଂଚର ପ୍ରାଥମିକ ତଦନ୍ତ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି, ପରୀର ବାପା ମାଆ ।

Comments are closed.