ସମ୍ଭାବ୍ୟ ବିପର୍ଯ୍ୟୟ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମୁକାବିଲା ମନ୍ତ୍ର । ଜୁନରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ, ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ସୁଦୃଢ କରିବାକୁ ନିର୍ଦ୍ଦେଶ ।

154

କନକ ବ୍ୟୁରୋ : ବିପର୍ଯ୍ୟୟ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମୁକାବିଲା ମନ୍ତ୍ର । ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂ ଜରିଆରେ ହୋଇଥିବା ବୈଠକରେ ନବୀନ କହିଛନ୍ତି, ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଆଉ ବିପର୍ଯ୍ୟୟ ପରିଚାଳନାର ଏହା ହେଉଛି ପ୍ରଥମ ନୀତି । ଏହି ନୀତିକୁ ଅନୁସରଣ କରି ଓଡିଶା ଭଳି ଗୋଟିଏ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଆମେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରି ଏ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛୁ ।

ପ୍ରତ୍ୟେକ ବର୍ଷ ଜୁନରୁ ଅକ୍ଟୋବର ମାସ ସମୟ ଅତି ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସେ । ତେଣୁ ଏହି ସମୟ ଭିତରେ ବାତ୍ୟା ଓ ବନ୍ୟା ଏକ ସମୟରେ ଆସିବାର ମଧ୍ୟ ସମ୍ଭାବନା ରହିଛି । ଏ ବାବଦରେ ଆମର ପ୍ରସ୍ତୁତିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ନବୀନ କହିଛନ୍ତି । ଆଗୁଆ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ପାନୀୟ ଜଳ ବ୍ୟବସ୍ଥା ସ୍ବାସ୍ଥ୍ୟ ଓ ପ୍ରାଣୀସେବା ବ୍ୟବସ୍ଥା ଆଦି ସମସ୍ତ ବ୍ୟବସ୍ଥା ଗୁଡିକୁ ପ୍ରସ୍ତୁତ କରି ରଖିବା ଜରୁରୀ।

ଏହାସହିତ ସମସ୍ତ ଓଡ୍ରାଫ ଓ ଅଗ୍ନିସେବା ବାହିନୀ ପ୍ରସ୍ତୁତ ହୋଇ ରହିବା ଜରୁରୀ ବୋଲି ନବୀନ କହିଛନ୍ତି । ବିପର୍ଯ୍ୟୟ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟପଦାର୍ଥକୁ ମହଜୁଦ ରଖିବା, ଜିଲ୍ଲାସ୍ତରୀୟ ଜରୁରୀକାଳୀନ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ କାର୍ଯ୍ୟକାରୀ କରିବା, ପଶୁ ଖାଦ୍ୟ ମହଜୁଦ ରଖିବା ଓ ବିପର୍ଯ୍ୟୟ ସମୟରେ ପ୍ରାଣୀସେବା କ୍ୟାମ୍ପ ଖୋଲିବା ପାଇଁ ସେ ପରାମର୍ଶ ଦେଇଥିଲେ। ଗର୍ଭବତୀ ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ, ବିଧବା ଓ ବୟସ୍କ ଲୋକମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୈଠକରେ ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ରାଜ୍ୟରେ ୮୭୯ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଇ ଆହୁରି ୫୫ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷ କରି ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟ ପ୍ରତିରୋଧି ଗୃହ ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ ।