ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱଙ୍କୁ ନବୀନଙ୍କ ସମର୍ଥନ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସମର୍ଥନ ଦେବାକୁ ଆହ୍ୱାନ

163

କନକ ବ୍ୟୁରୋ: ଓଡିଆ ଝିଅକୁ ଜିତାଇ ଦିଅ । ଟୁଇଟ କରି ଏହି ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ନବୀନ ଅପିଲ୍ କରିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି । ସେପଟେ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହେବା ରାଜ୍ୟ କଂଗ୍ରେସର ଅଡୁଆ ବଢାଇଛି । ଦଳର ନିଷ୍ପତ୍ତି ଅନୁସାରେ ସମର୍ଥନ କରିବେ ବୋଲି କହିଛନ୍ତି କଂଗ୍ରେସ ନେତା । ଆଉ ଅନ୍ୟପଟେ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଆ ଜାତିକୁ ସର୍ବଶ୍ରେଷ୍ଠ ପୁରସ୍କାର ଦେଇଥିବା ବର୍ଣ୍ଣନା କରିଛି ରାଜ୍ୟ ବିଜେପି ।

  • ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱଙ୍କୁ ନବୀନଙ୍କ ସମର୍ଥନ
  • ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସମର୍ଥନ ଦେବାକୁ ଆହ୍ୱାନ
  • ଦେଶର ସର୍ବୋଚ୍ଚ ପଦବୀ ପାଇଁ ଓଡ଼ିଆ ଝିଅକୁ ନିର୍ବାଚିତ କରିବାକୁ ଅପିଲ୍

ନବୀନଙ୍କ ଦୁଇଟି ଟ୍ୱିଟ୍ ସ୍ପଷ୍ଟ କରିଛି, ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବିଜେଡି । ଦ୍ରୌପଦୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଖୁସି ପ୍ରକାଶ କରିଥିଲେ । ନବୀନ ଟ୍ୱିଟ୍ କରି କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ବେଳେ ଦ୍ରୌପଦୀଙ୍କ ପ୍ରାର୍ଥତ୍ୱଙ୍କ ନେଇ ମଧ୍ୟ ଆଲୋଚନା ହୋଇଥିଲା । କେବଳ ସେତିକି ନୁହେଁ, ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକଙ୍କୁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ମଧ୍ୟ ଅପିଲ୍ କରିଛନ୍ତି ନବୀନ ।

ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀ କରି ଯେଉଁ ଦୁଇଟି ଲକ୍ଷ୍ୟ ହାସଲ କରିବାକୁ ଚାହୁଁଥିଲା ବିଜେପି । ତାହା ସଫଳତା ଆଡକୁ ଗତି କରୁଛି । ଜଣେ ଆଦିବାସୀ ନେତ୍ରୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ନୂଆ ଇତିହାସ ରଚିବାକୁ ଚାହୁଁଛି ଦଳ । ଅନ୍ୟପଟେ ରାଷ୍ଟ୍ରପତି ଗଣିତରେ ଅଳ୍ପ କିଛି ପଛରେ ରହିଥିବା ଏନଡିଏ, ବିଜେଡିର ସମର୍ଥନ ହାସଲ କରିଛି ।

ତେବେ ଯଦି ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହୁଅନ୍ତି, ସେ ହେବେ ଏ କ୍ଷେତ୍ରରେ ପ୍ରଥମ ଓଡ଼ିଆ । ପାର୍ଟିକୁ ପଛରେ ପକାଇ ମାଟିର ଝିଅକୁ ସମର୍ଥନ ଦେବା ପାଇଁ ବିଜେଡି ସୁପ୍ରିମୋଙ୍କ ଆହ୍ୱାନ, ରାଜ୍ୟ କଂଗ୍ରେସ ନେତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଏବେ ସମସ୍ତଙ୍କ ଆଖି କଂଗ୍ରେସ ବିଧାୟକଙ୍କ ଆଭିମୁଖ୍ୟ ଉପରେ । ସେପଟେ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଆ ଜାତିକୁ ସର୍ବଶ୍ରେଷ୍ଠ ପୁରସ୍କାର ଦେଇଛନ୍ତି ବୋଲି ବର୍ଣ୍ଣନା କରିଛି ରାଜ୍ୟ ବିଜେପି ।

ପୂର୍ବୋଦୟ କଥା କହି ଆସୁଥିବା ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ବଡ଼ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି । ୨୦୨୪ ପାଇଁ ଦଳର ରାଜନୈତିକ ଟାର୍ଗେଟରେ ଓଡ଼ିଶା ରହିଥିବା ଏକରକମ ସ୍ପଷ୍ଟ ହୋଇଛି ।