ନାଲିବତୀ ଯାଇଥିଲା, ଭୁରି ଭୋଜନ ବି ଗଲା : ମନ୍ତ୍ରୀ, ସଚିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ କଟକଣା, ଏଣିକି ଗସ୍ତ ବେଳେ ସ୍କୁଲ ଓ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କରିବାକୁ ନିର୍ଦ୍ଦେଶ

962

କନକ ବ୍ୟୁରୋ : ନାଲିବତୀ ଯାଇଥିଲା, ଦରବାର ଗଲା । ଏବେ ଭୁରି ଭୋଜନ ବି ଗଲା । ବିଭିନ୍ନ ସମୟରେ ଜିଲ୍ଲା ଗସ୍ତରେ ଗଲାବେଳେ ମନ୍ତ୍ରୀମାନଙ୍କ ପାଇଁ ଡାକିଥିବା ଅନୁଷ୍ଠାନ ବା ନିଜ ନିଜ ବିଭାଗ ଭୁରି ଭୋଜନର ବ୍ୟବସ୍ଥା କରିଥାନ୍ତି। ମନ୍ତ୍ରୀମାନଙ୍କ ସହିତ ଯାଇଥିବା ଦରବାର ବି ଏହାଦ୍ବାରା ଉପକୃତ ହୋଇଥାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକ୍ରିୟାକୁ ଏକରକମ ବନ୍ଦ କରିବା ଲାଗି ନିର୍ଦେଶ ଦେଇଛନ୍ତି। ସିଧା ସିଧା ନ କହିଥିଲେ ବି ପରୋକ୍ଷରେ ମନ୍ତ୍ରୀମାନଙ୍କ ଲାଗି ଏସବୁରେ କଟକଣା ଜାରି କରିଛନ୍ତି।

ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି, ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଥିବା ମନ୍ତ୍ରୀ ଏଣିକି ବାହାରେ ମଧ୍ୟାହ୍ନ ଭୋଜନ କରିବେ ନାହିଁ । ବରଂ ବିଦ୍ୟାଳୟ, ଅନାଥାଶ୍ରମ, ଭିନ୍ନକ୍ଷମ ଏବଂ ଶିଶୁମାନଙ୍କ ଯତ୍ନ ନେବା ପାଇଁ ଥିବା ସରକାରୀ ଅନୁଷ୍ଠାନ ତଥା ଓ ଆହାର କେନ୍ଦ୍ର ଅଚାନକ ଯାଞ୍ଚ କରିବା ସହିତ ସେଠାରେ ଭୋଜନ କରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହାଦ୍ବାରା ଏସବୁ ଅନୁଷ୍ଠାନରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ସହିତ ସେହି ଅନୁଷ୍ଠାନମାନଙ୍କରେ ବିଭିନ୍ନ ସମସ୍ୟା ସଂପର୍କରେ ମନ୍ତ୍ରୀମାନେ ପ୍ରତ୍ୟକ୍ଷ ଭାବେ ଜାଣିପାରିବେ। ସଂପୃକ୍ତ ଅନୁଷ୍ଠାନ ପରିଚାଳନାରେ ଉନ୍ନତି ପାଇଁ ସୁଯୋଗ ସୃଷ୍ଟି ହେବ।

ମୁଖ୍ୟମନ୍ତ୍ରୀ ଏକଥା ବି ଜଣାଇଛନ୍ତି ମନ୍ତ୍ରୀମାନେ ତାଙ୍କ ଗସ୍ତକୁ ଯଥାସମ୍ଭବ ଗୁପ୍ତ ରଖିବା ଦରକାର। ସାଙ୍ଗରେ ଯେଭଳି ୩-୪ ଜଣରୁ ଅଧିକ ଲୋକ ନ ଯାଆନ୍ତି, ସେଥିପ୍ରତି ମଧ୍ୟ ଯତ୍ନବାନ ହେବା ଉଚିତ୍ । ମନ୍ତ୍ରୀମାନଙ୍କ ମାସିକ ରିପୋର୍ଟରେ ଏ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଓ ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବା ଲାଗି ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ବି ଏହାକୁ ମାନିବାକୁ କୁହାଯାଇଛି।

ନିକଟରେ ବିଜେଡି ବିଧାୟକ ମନୋହର ରନ୍ଧାରୀ ଏକ ବିଦ୍ୟାଳୟ ଅଚାନକ ଗସ୍ତ କରି ସେଠାରେ ମଧ୍ୟାହ୍ନ ଭୋଜନରେ ହୋଇଥିବା ତ୍ରୁଟି ବିଚ୍ୟୁତି ଦେଖିଥିଲେ। ସତ ଯାହା ପଦାକୁ ଆସିଥିଲା, ତାହା ସାଂଘାତିକ। ଏହି ଘଟଣା ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିବା ପରେ ବିଭିନ୍ନ କୋଣ ଅନୁକୋଣରୁ ବିଧାୟକଙ୍କ ଏଭଳି କାର୍ୟ୍ୟକୁ ପ୍ରଶଂସା ମିଳିଥିଲା। କେବଳ ସେତିକି ନୁହେଁ, ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ୍ ‘ମୋ ସରକାର’ କାର୍ୟ୍ୟକ୍ରମରେ ଜିଲ୍ଲାଗସ୍ତରେ ଗଲାବେଳେ ମଧ୍ୟାହ୍ନ ଭୋଜନ ଖାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା।

ଏବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦେଶ ଏ ବ୍ୟବସ୍ଥାରେ ବଡ଼ ପରିବର୍ତନ ଆଣିବା ଲାଗି ସୁଯୋଗ ସୃଷ୍ଟି କରିଛି। ବିଶେଷକରି ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ପ୍ରଦାନରେ ଯେଉଁ କେଳେଙ୍କାରୀ ଦେଖାଯାଉଛି, ସେଥିରେ ସୁଧାର ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲ ବିଶ୍ବାସ କରୁଛନ୍ତି।

ଚତୁର୍ଥ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ସଙ୍କେତକୁ ପ୍ରଥମେ ଗ୍ରହଣ କରି ନିଜେ ଓ ମନ୍ତ୍ରୀମାନଙ୍କୁ ଗାଡିରୁ ନାଲିବତୀ ଖୋଲିବାକୁ ନିର୍ଦେଶ ଦେଇଥିଲେ। ପଞ୍ଚମ ପାଳିରେ ଦାୟିତ୍ବ େନବା ପରେ ନବୀନ ସ୍ବଚ୍ଛତାକୁ ଗୁରୁତ୍ବ ଦେଉଛନ୍ତି। ଏହି କ୍ରମରେ ପୂର୍ବରୁ ମନ୍ତ୍ରୀମାନଙ୍କୁ ବ୍ୟାପକ ଜିଲ୍ଲା ଗସ୍ତ କରିବାକୁ ପରାମର୍ଶ ଦିଆଯାଇଥିଲା ଓ ଅଚାନକ ଯାଞ୍ଚ ପାଇଁ କହିଥିଲେ। ହେଲେ ହାତଗଣତି ଦୁଇ ଚାରିଜଣ ମନ୍ତ୍ରୀଙ୍କୁ ବାଦ ଦେଲେ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦେଶ କାର୍ୟ୍ୟକାରୀ କରିବା ଲାଗି ଅନ୍ୟମାନେ ସେଭଳି ଆନ୍ତରିକତା ଦେଖାଇନଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରୋକ୍ଷରେ ଏକଥା ମନ୍ତ୍ରୀମାନଙ୍କ ପାଇଁ ଆଉଥରେ ତାଗିଦ୍ କରିବା ଭଳି ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ୭୪ତମ ଜନ୍ମଦିବସ ପାଳନ ଅବସରରେ ଦଳୀୟ ନେତାମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ ସେମାନେ ନବୀନ ନିବାସ ଆସିବା ଦରକାର ନାହିଁ। ବରଂ ଅନାଥାଶ୍ରମ, ଭିନ୍ନକ୍ଷମ ଓ ଶିଶୁମାନଙ୍କ ଯତ୍ନ ନାଇଁ ଥିବା ଅନୁଷ୍ଠାନକୁ ଯିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରବର୍ତାଇଥିଲେ। ଏହା ସେ ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏପରିକି ବିବାହ ବାର୍ଷିକୀ ଭଳି ଭଲ ଦିନରେ ମୁଖ୍ୟମନ୍ତ୍ରୀ ଏସବୁ ଅନୁଷ୍ଠାନକୁ ଯିବା ଉପରେ ଗୁରୁତ୍ବାରୋପ ମଧ୍ୟ କରିଥିଲେ।