ନେତା ନମ୍ବର ୱାନ-୧ ନବୀନ : ଜାଣିଥିଲା ଦେଶ, ପ୍ରମାଣପତ୍ର ଦେଲେ ଜନତା 

412

କନକ ବ୍ୟୁରୋ : ନେତା ନମ୍ବର ୱାନ ନବୀନ । ଏକଥା ପୂରା ଦେଶ ଜାଣିଛି, କିନ୍ତୁ ପୁଣିଥରେ ଏହାକୁ ପ୍ରମାଣିତ କରିଛନ୍ତି ଜନତା । ଇଣ୍ଡିଆ ଟୁଡେର ମୁଡ ଅଫ୍ ଦ ନେସନ ସର୍ଭେ ରିପୋର୍ଟରେ ନିଜ ରାଜ୍ୟରେ ନବୀନଙ୍କୁ ସବୁଠୁ ପସନ୍ଦର ମୁଖ୍ୟମନ୍ତ୍ରୀ ବାଛିଛନ୍ତି ଲୋକେ । ସର୍ଭେରେ ସ୍ଥାନ ପାଇଥିବା ଦେଶର ୯ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ନବୀନ ସରକାରଙ୍କୁ ପସନ୍ଦ କରିଛନ୍ତି ସର୍ବାଧିକ ୭୧.୧ ପ୍ରତିଶତ ଲୋକ । ଆଉ ନିରବିଚ୍ଛନ୍ନ ଭାବେ ନବୀନ ସରକାରକୁ ଏଭଳି ଭଲପାଇବା ଦେବା ପଛରେ ରହିଛି ଜନକଲ୍ୟାଣକାରୀ ଯୋଜନା, ଲୋକାଭିମୁଖୀ ପଦକ୍ଷେପ ଓ ପ୍ରଶାସନିକ କାର୍ଯ୍ୟଶୈଳୀରେ ବ୍ୟାପକ ପରିବର୍ତ୍ତନ । ଯେଉଁଥିପାଇଁ ଦୀର୍ଘ ୨୨ ବର୍ଷ ହେବ ସରକାରରେ ରହିଥିଲେ ମଧ୍ୟ ନବୀନଙ୍କ କ୍ରେଜ ଏଯାବତ କମିନାହିଁ ।

ନବୀନଙ୍କ କାର୍ଯ୍ୟଶୈଳୀ ଓ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ହିଁ  ତାଙ୍କ ଲୋକପ୍ରିୟତାର ସବୁଠୁ ବଡ ପୁଞ୍ଜି । କେବଳ ଦେଶ କାହିଁକି ପୂରା ବିଶ୍ୱରେ ନବୀନଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ସେବା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଶର ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନବୀନଙ୍କୁ ଆଗରେ ରଖିଛି । କେତେବେଳେ ବିପର୍ଯ୍ୟୟ ମୁକାବିଲାର ବିନ୍ଧାଣୀ ସାଜିଛନ୍ତି ତ ପୁଣି କେତେବେଳେ ପୂରା ବିଶ୍ୱ ମାନଚିତ୍ରରେ ଓଡ଼ିଶାର ନାଁକୁ ସାମିଲ କରି ଜନତାଙ୍କ ମନ ଜିଣିଛନ୍ତି ନବୀନ । ଏତିକିରେ ଅଟକିନାହାନ୍ତି ନବୀନ । ଦୀର୍ଘ ୨୨ ବର୍ଷର ସରକାରରେ ଓଡ଼ିଶାକୁ ଖାଦ୍ୟ ନିଅଣ୍ଟ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟରେ ପରିଣତ କରିଛନ୍ତି । ଓଡ଼ିଶା ପଛରେ ଲାଗିଥିବା ଗରିବୀ ରାଜ୍ୟର ଟ୍ୟାଗ୍ ହଟାଇଛନ୍ତି ।

ଶିକ୍ଷା,ସ୍ୱାସ୍ଥ୍ୟ, କ୍ରୀଡା, ସଂସ୍କୃତି ପ୍ରତିଟି କ୍ଷେତ୍ରକୁ ଆଗକୁ ନେବାକୁ ନବୀନ ସରକାର ଯେଉଁ ପଣ କରିଛନ୍ତି ତାହା ବଦଳରେ ଜନତାଙ୍କ ଠାରୁ ମିଳିଛି ଏହି ପ୍ରମାଣପତ୍ର । ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁ ବୈପ୍ଲବିକ ପରିବର୍ତ୍ତନ ନବୀନ ଆଣିଛନ୍ତି ତାହାକୁ ପୂରା ଦେଶ ଅନୁକରଣ କରୁଛି । ସ୍ମାର୍ଟ ହେଲଥ କାର୍ଡ ଜରିଆରେ ନବୀନ ଯେଉଁ ସଞ୍ଜିବନୀ ବାଣ୍ଟିଛନ୍ତି ତାହା ଅନେକ ଲୋକଙ୍କ ମୁହଁରେ ହସ ଫୁଟାଇଛି । ପ୍ରତିଟି ଜୀବନ ମୂଲ୍ୟବାନ, ଏକଥା ବାରମ୍ବାର ଦୋହରାଇ ଆସିଛନ୍ତି ନବୀନ । ଆଉ ଏହାର ପ୍ରତିବଦଳରେ ନବୀନ ସରକାରକୁ ଦେଶର ଶ୍ରେଷ୍ଠ ସରକାରର ଟ୍ୟାଗ୍ ଦେଇଛନ୍ତି ରାଜ୍ୟବାସୀ ।

କେବଳ ରାଜ୍ୟ କାହିଁକି ଦେଶରେ ବି ବେଶ ଲୋକପ୍ରିୟ ନବୀନ । ଅଧିକାଂଶ ଚୁପଚାପ ରହୁଥିବା ନବୀନଙ୍କର କାମ ହିଁ କଥା କୁହେ । ଠିକ୍ ଯେମିତି ଜାତୀୟ କ୍ରୀଡା ହକିକୁ ଜୀବନ୍ୟାସ ଦେଇ ପୂରା ଦେଶ କାହିଁକି ବିଶ୍ୱରେ ଓଡ଼ିଶାକୁ ପରିଚିତ କରାଇଥିଲେ ନବୀନ । ବଡ ବଡ ଟୁର୍ଣ୍ଣାମେଣ୍ଟ, ହକି ଖେଳାଳୀଙ୍କୁ ପୋତ୍ସାହନ, କ୍ରୀଡାବିତଙ୍କୁ ଅଗ୍ରାଧିକାର ଦେଇ ନବୀନ ପୂରା ଦେଶ ପାଇଁ ରୋଲମଡେଲ ସାଜିଥିଲେ । ସେତେବେଳେ ପୂରା ଦେଶରୁ ଗୋଟିଏ ସ୍ୱର ଶୁଭିଥିଲା, ନବୀନଙ୍କୁ ଅନୁକରଣ କରୁ ପୂରା ଦେଶ । ଆଉ ଏହାର ଝଲକ ମୁଡ ଅଫ୍ ଦ ନେସନରେ ଦେଖିବାକୁ ମିଳିଛି ।

ଦେଶ ଓ ବିଦେଶରୁ ପ୍ରଂଶସା ସାଉଁଟିବା ଭିତରେ ଓଡ଼ିଶାବାସୀଙ୍କ ପ୍ରତି ଥିବା ଦାୟିତ୍ୱକୁ ଭୁଲିନାହାନ୍ତି ନବୀନ । ଯେଉଁଥିପାଇଁ ଗରିବ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି, କାଳିଆ ଯୋଜନାରେ ଚାଷୀ ଭାଇଙ୍କ ଦୁଃଖ ଦୂର କରିଛନ୍ତି, ଶିକ୍ଷା କ୍ଷେତ୍ରକୁ ଆଗକୁ ନେବାକୁ ନୂଆ ନୂଆ ନିଷ୍ପତ୍ତି ନେଇଛନ୍ତି । ଏହାଛଡା ନବୀନ ସରକାରରେ ମହିଳାଙ୍କୁ ଯେଉଁ ଗୁରୁଦାୟିତ୍ୱ ଦିଆଯାଇଛି ତାହା ଅନେକାଂଶରେ ସରକାରଙ୍କ ଲୋକପ୍ରିୟତାକୁ ଦ୍ୱିଗୁଣିତ କରିଛି । ଘରର ଏରୁଣ୍ଡି ବନ୍ଧ ଭିତରେ ଆଉ ସୀମିତ ରହିନାହାନ୍ତି ମହିଳା, ନବୀନ ଦେଇଥିବା ଦାୟିତ୍ୱ ହିଁ ମହିଳାଙ୍କୁ ଏବେ ସଶକ୍ତ କରୁଛି ଓ ସୁନେଲୀ ଭବିଷ୍ୟତର ମାର୍ଗ ପ୍ରଶସ୍ତ କରୁଛି । ଯେଉଁଥିପାଇଁ ନବୀନ ହିଁ ଶ୍ରେଷ୍ଠ ଏହାର ସାର୍ଟିଫିକେଟ ଦୀର୍ଘ ୨୨ ବର୍ଷ ହେବ ଜନତା ଦେଇ ଆସୁଛନ୍ତି ।

ତେବେ ଏହି ସର୍ଭେ ରିପୋର୍ଟରେ ଦ୍ୱିତୀୟରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନୀର୍ଜୀ ଓ ତୃତୀୟରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ମମତାଙ୍କୁ ୬୯ ଦଶମିକ ୯ ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ ଷ୍ଟାଲିନଙ୍କୁ ପସନ୍ଦ କରିଛନ୍ତି ୬୭ ଦଶମିକ ୫ ପ୍ରତିଶତ ଲୋକ । ବଡକଥା ହେଉଛି ଦେଶରେ ପସନ୍ଦର ମୁଖ୍ୟମନ୍ତୀ  ତାଲିକାରେ ୯ଜଣ ମୁଖ୍ୟମନ୍ତ୍ରୀଙ୍କୁ ୪୦ ପ୍ରତିଶତରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ଗତବର୍ଷ ଜାନୁଆରୀରେ ଇଣ୍ଡିଆ ଟୁଡେ କରିଥିବା ସର୍ଭେରେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରିଥିଲେ ସର୍ବାଧିକ ଲୋକ । ସେତେବେଳେ ୫୧ ପ୍ରତିଶତ ଲୋକ ନବୀନ ସରକାରଙ୍କୁ ପସନ୍ଦ କରିଥିବାବେଳେ ଚଳିତବର୍ଷ ଏହା ୭୧ ପ୍ରତିଶତକୁ ବଢିଛି । ତେବେ ଆସନ୍ତା ମାସରେ ନିର୍ବାଚନକୁ ସାମ୍ନା କରିବାକୁ ଯାଉଥିବା ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କୁ ପସନ୍ଦ କରିଛନ୍ତି ୪୯ ପ୍ରତିଶତ ଲୋକ ।