ଏସବୁ ଦିଗ ପ୍ରତି ଅଣଦେଖା କରିବା ହୁଏତ ୨୦୧୯ରେ ବିଜେଡି ପାଇଁ ପଡିପାରେ ମହଙ୍ଗା !

385

କନକ ବ୍ୟୁରୋ : ୨୦୧୮ର ନିର୍ବାଚନ ଫଳାଫଳ ୨୦୧୯ ନିର୍ବାଚନ ଉପରେ କଣ ପ୍ରଭାବ ପକାଇବ । ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏବେ ବିଭିନ୍ନ ଦଳ ପକ୍ଷରୁ ଚାଲିଛି ପୋଷ୍ଟମର୍ଟମ । ଖାସକରି ବିଜେପି ପକ୍ଷରୁ ଫଳାଫଳକୁ ନେଇ ଜୋରଦାର ହୋଇଛି ପୋଷ୍ଟମର୍ଟମ । କେଉଁ କାରଣ ପାଇଁ ୩ଟି ବିଜେପି ଶାସିତ ରାଜ୍ୟରେ ପଦ୍ମ ଝଡିଲା ତାହାକୁ ନେଇ ଜୋରଦାର ହେଉଛି ଚର୍ଚ୍ଚା । ଖାସକରି ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ସରକାର ବିରୋଧୀ ହାୱା, ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶୃତି ପୂରଣ ନ କରିବାର ଫଳ ବିଜେପି ଭୋଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେହିଭଳି ମିଜୋରାମରେ ମଧ୍ୟ ଏହି କାରଣ ପାଇଁ ସମାନ ଦଶା ଭୋଗିଛି କଂଗ୍ରେସ । ଆଉ ଏହି ୫ଟି ରାଜ୍ୟର ଫଳାଫଳ ଏବେ ଓଡିଶା ଉପରେ କଣ ପ୍ରଭାବ ପକାଇବ ତାହାକୁ ନେଇ ଆରମ୍ଭ ହୋଇଛି ତର୍ଜମା । ବିଜେପି ଶାସିତ ରାଜ୍ୟରେ ଦଳ ପରାଜୟ ବରଣ କରିଥିଲେ ମଧ୍ୟ ରାଜ୍ୟରେ ଦଳୀୟ ନେତୃବୃନ୍ଦ ଏହା ନବୀନଙ୍କ ପାଇଁ ସର୍ତକ ଘଣ୍ଟି ବୋଲି କହିଛନ୍ତି । ୧୮ ବର୍ଷ ଧରି ଶାସନ କ୍ଷମତାରେ ଥିବା ନବୀନଙ୍କ ବିରୋଧରେ ମଧ୍ୟ ସରକାର ବିରୋଧୀ ହାୱା ବହିବା ଆରମ୍ଭ ହୋଇଥିବା କହିଛନ୍ତି ବିଜେପି ନେତା ।

ନବୀନଙ୍କ ବିରୋଧରେ କ’ଣ ସତରେ ରହିଛି ସରକାର ବିରୋଧୀ ହାୱା :
୨୦୦୦ ରୁ ୨୦୧୮ । ଦୀର୍ଘ ୧୮ ବର୍ଷ ଧରି ଓଡିଶା ରାଜନୀତିରେ ରାଜ୍ କରି ଆସୁଛନ୍ତି ନବୀନ । ୧୮ ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ମଧ୍ୟ ନିଜର ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି ନବୀନ । ଯେଉଁଥିପାଇଁ ରାଜ୍ୟରେ ବିଜେଡି ପୁଣିଥରେ ସରକାର ଗଢିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ କହୁଛି । କିନ୍ତୁ ବିରୋଧୀଙ୍କ କହିବା ଅନୁଯାୟୀ, ଏବେ ବିଜେଡି ସରକାରଙ୍କ ବିରୋଧରେ ସରକାର ବିରୋଧୀ ହାୱା ବହିବା ଆରମ୍ଭ ହେଲାଣି । ଯାହାର ପ୍ରଭାବ ଆସନ୍ତା ନିର୍ବାଚନରେ ଦେଖିବାକୁ ମିଳିବ । କିନ୍ତୁ ସବଠୁ ବଡ କଥା ହେଲା, ବିଜେଡି ସରକାର କିମ୍ବା ନବୀନ ପଟ୍ଟନାୟକଙ୍କ ପାଇଁ ସରକାରୀ ବିରୋଧୀ ହାୱା ଯେତିକି ନାହିଁ ବରଂ ଦଳର କିଛି ବିଧାୟକଙ୍କ ପାଇଁ ତୃଣମୂଳସ୍ତରରେ ସେତିକି ମାତ୍ରାରେ ରୋଷ ବା ରାଗ ରହିଛି ।

କିଛି ବିଧାୟକ ମାନେ ଲୋକଙ୍କ ପାଇଁ କାମ କରିନଥିବା ବେଳେ ଆଉ କିଛି ବିଧାୟକ ମାନେ ନିବାର୍ଚନ ଜିତିବା ପରେ ନିର୍ବାଚନମଣ୍ଡଳୀରୁ ଦୂରେଇ ରହିଛନ୍ତି । ଯେଉଁଥିପାଇଁ ସରକାର ବିରୋଧୀ ହାୱା ସୃଷ୍ଟି ହୋଇଛି । କିନ୍ତୁ ତୃଣମୂଳସ୍ତରରେ ନବୀନଙ୍କୁ ନେଇ ସେଭଳି କୌଣସି ବାତାବରଣ ସୃଷ୍ଟି ହୋଇନାହିଁ । ନବୀନଙ୍କ ଏବେ ମଧ୍ୟ ତୃଣମୂଳସ୍ତରରେ ଗ୍ରହଣୀୟ ହୋଇ ରହିଛନ୍ତି । ତେଣୁ ନବୀନଙ୍କ ଗ୍ରହଣୀୟତା ଓ ସ୍ୱଚ୍ଛ ନିର୍ମଳ ଭାବମୂତ୍ତି କୁ ନେଇ ଦଳକୁ ଚିନ୍ତା କରିବାର ଆବଶ୍ୟକତା ନଥିବା ବେଳେ କିଛି ବିଧାୟକଙ୍କ ଆଚରଣ ଏବେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ଓ ସରକାରୀ ବିରୋଧୀ ହାୱା ସୃଷ୍ଟି କରୁଛି । ତେଣୁ ଏହାକୁ କିଭଳି ମୁକାବିଲା କରାଯିବ ସେନେଇ ମଧ୍ୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି ।

ସରକାରୀ ବିରୋଧୀ ହାୱାକୁ ବିଜେଡି କେମିତି କରିବ ମୁକାବିଲା :
ସରକାରୀ ବିରୋଧୀ ହାୱାକୁ ମୁକାବିଲା କରିବାକୁ ବିଜେଡି ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି । ଖାସକରି କିଛି ବିଧାୟକଙ୍କୁ ବାଏ ବାଏ କରିବାକୁ ଯାଉଛି ବିଜେଡି । ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ଅନୁଯାୟୀ, ଆଗାମୀ ନିର୍ବାଚନରେ ଦଳ ବର୍ତ୍ତମାନ ଜିତିଥିବା କିଛି ବିଧାୟକଙ୍କ ଟିକେଟ କାଟିପାରେ । ଆଉ ସେହି ସବୁ ସ୍ଥାନରେ ନୂଆ ଚେହେରାକୁ ସାମ୍ନାକୁ ଆଣି କର୍ମୀ ଓ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବାକୁ ଯୋଜନା କରିଛି ବିଜେଡି । ଏଭଳି ହେଲେ ତୃଣମୂଳସ୍ତରରେ ଲୋକଙ୍କ ରାଗ ପ୍ରଶମିତ ହେବ ସତ କିନ୍ତୁ ଦଳ ପାଇଁ ଆଉ ଚ୍ୟାଲେଞ୍ଜ ଛିଡା କରିବ ।

ଯେଉଁ ବିଧାୟକ ବା ନେତାଙ୍କ ଟିକେଟ ବିଜେଡି କାଟିବ ସେମାନେ ବିଦ୍ରୋହୀ ହେବିନି ତ ? ଯଦି ଏଭଳି ହୁଏ ତେବେ ଏହା ଦଳ ପାଇଁ ସାଂଘାତିକ ହୋଇପାରେ । କାରଣ ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ତେଣୁ ଏଭଳି ସ୍ଥଳେ ଯଦି ବିଦ୍ରୋହୀ ନେତା ଅନ୍ୟ କ୍ୟାମ୍ପରୁ କିମ୍ବା ସ୍ୱାଧୀନ ଭାବେ ନିର୍ବାଚନ ଲଢନ୍ତି ତେବେ ଏହା ଦଳ ପାଇଁ ସବୁଠୁ ବଡ ମୁଣ୍ଡବିନ୍ଧାର କାରଣ ପାଲଟିପାରେ । କାରଣ ଏହି ବିଦ୍ରୋହୀ ପ୍ରାର୍ଥୀ ଯଦି ହଜାରରୁ ଉଦ୍ଧ୍ୱର୍ ପକେଟ ଭୋଟ ବିଜେଡି ଶିବିରରୁ ଟାଣିବାରେ ସକ୍ଷମ ହୁଅନ୍ତି ତେବେ ଏହା ଦଳକୁ ମହଙ୍ଗା ପଡିପାରେ । ଏହାଦ୍ୱାରା ବିଜେଡି ରାଜ୍ୟରେ କିଛି ଆସନ ମଧ୍ୟ ହରାଇବାର ଆଶଙ୍କା ଦେଖାଦେଉଛି । ଅତୀତରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଏପରିକି ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ଯେଉଁଠାରେ ଉଭୟ କଂଗ୍ରେସ ଓ ବିଜେପିର ବ୍ରିଦ୍ରୋହୀ ପ୍ରାର୍ଥୀଙ୍କ ପାଇଁ ଦଳକୁ କିଛି ଆସନରେ ପରାଜୟର ମୁହଁ ଦେଖିବାକୁ ପଡିଛି । ଏପରିକି ସେହିମାନଙ୍କୁ ଏବେ ସରକାର ଗଢିବାକୁ ଖୋଜା ପଡୁଛି । ତେଣୁ ଏଭଳି ସ୍ଥିତିର ମୁକାବିଲା ପାଇଁ ସୁଚିନ୍ତିତ ରଣନୀତି ସହ ବିଜେଡିକୁ ୨୦୧୯ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ପଡିବ ।

ଚାଷୀ ପ୍ରସଙ୍ଗ :
୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ନବୀନ ଯେଉଁ ବୟାନ ରଖିଥିଲେ ସେଥିରେ ବିଜେପିର ହାରିବା ପଛରେ ଚାଷୀ ହିଁ ମୁଖ୍ୟ କାରଣ ବୋଲି ସ୍ପଷ୍ଟ ଦର୍ଶାଇଛନ୍ତି । ଯେଉଁ ରାଜ୍ୟଗୁଡିକରେ ନିର୍ବାଚନ ହେଉଥିଲା ତାହା ମୁଖ୍ୟତଃ କୃଷିପ୍ରଧାନ ରାଜ୍ୟ । କିନ୍ତୁ ବିଜେପି ପକ୍ଷରୁ ଉକ୍ତ ରାଜ୍ୟ ଗୁଡିକରେ ଚାଷୀଙ୍କ ପାଇଁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନଥିଲା ବିଜେପି । କେନ୍ଦ୍ରର ବିଜେପି ସରକାର ଏମଏସପି ପ୍ରସଙ୍ଗ ଓ ସ୍ୱାମିନାଥନ କମିଟି ରିପୋର୍ଟକୁ ଅଣଦେଖା କରିବା, ହାରିବା ପଛର କାରଣ ବୋଲି କହିଛନ୍ତି ନବୀନ । ଆଉ ଏହିଭଳି କହି ନବୀନ ନିର୍ବାଚନ ପୂର୍ବରୁ ଚାଷୀଙ୍କ ପାଇଁ ବଡ ଘୋଷଣା କରିପାରନ୍ତି ବୋଲି ସ୍ପଷ୍ଟ ସଂକେତ ଦେଇଛନ୍ତି ।

ଏହାପୂର୍ବରୁ ଏମଏସପି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ କୋର୍ଟକୁ ପୂର୍ବରୁ ବଲ ଫିଙ୍ଗି ସାରିଛନ୍ତି ନବୀନ ଓ ଏ ବାବଦରେ ୨୯୩୦ କୋଟି ଟଙ୍କା ଦାବି ମଧ୍ୟ କରିଥିଲେ । ଆଉ ଏହାକୁ ପ୍ରସଙ୍ଗ କରି ଦଳ ଚାଷୀଙ୍କ ବିଶ୍ୱାସ ଜିଣିବାକୁ ଚେଷ୍ଟା ମଧ୍ୟ କରିଛି । କିନ୍ତୁ ଚାଷୀଙ୍କ ଭୋଟ ହାତେଇବା ଆଗାମୀ ନିର୍ବାଚନରେ ନବୀନ ସରକାର ପାଇଁ ଏତେ ସହଜ ହୋଇନପାରେ । କାରଣ ପ୍ରାଇସ ପ୍ରେଷ୍ଟିଜ ଓ ପେନସନ ଦାବିରେ ରାଜ୍ୟରେ ଏବେ ବଡ ଧରଣର ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି । ପ୍ରାଇସ ଯେହେତୁ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ତେଣୁ ଏ ସଂକ୍ରାନ୍ତରେ କେନ୍ଦ୍ରକୁ ଦାୟୀ କରି ଖସି ଯାଇପାରେ ବିଜେଡି । କିନ୍ତୁ ପେନସନଙ୍କୁ ନେଇ ଚାଷୀଙ୍କର ଯେଉଁ ଦାବି ରହିଛି ତାହା ନବୀନ ସରକାର ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଖାସକରି ଭାଗ ଚାଷୀ ଚିହ୍ନଟ ଓ କୃଷି ରଣ ପ୍ରସଙ୍ଗ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇପାରେ । କିନ୍ତୁ ଜାନୁଆରୀ ମାସରେ କୃଷି ଋଣ ଛାଡ ଓ ଭାଗ ଚାଷୀ ବାବଦରେ ନବୀନ ସରକାର ଏକ ବଡ ନିଷ୍ପତି ନେଇପାରନ୍ତି । ଯାହା ଚାଷୀ କୂଳକୁ ଖୁସି କରିବା ସହ ୨୦୧୯ ନିର୍ବାଚନରେ ବିଜେଡି ପାଇଁ ଟ୍ରମ୍ପକାର୍ଡ ଭାବେ ଉଭା ହୋଇପାରେ । ଏହାଛଡା ଗତକାଲି ନବୀନ ଯେଉଁ ବୟାନ ଦେଇଛନ୍ତି ତାହା ସ୍ପଷ୍ଟ ଦର୍ଶାଉଛି, ଆଗାମୀ ଦିନରେ ନବୀନ ଚାଷୀଙ୍କୁ ନେଇ ବଡ କାର୍ଡ ଖେଳିପାରେ ।

ବିଜେଡିକୁ ସାଥୀରେ ନେବ କି ବିଜେପି ?
ବିଜେପି ଯେଉଁ ଶକ୍ତି ସଂଗ୍ରହ କରି ଆଗକୁ ବଢିଥିଲା ଓ ମୋଦିଙ୍କ ବ୍ରାଣ୍ଡରେ ଆଗାମୀ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିଲା ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ସେଥିରେ ଏକରକମ ପୂର୍ଣ୍ଣଚ୍ଛେଦ ପଡିଛି । ୨୦୧୯ରେ ମୋଦି ମ୍ୟାଜିକ କାମ ଦେବନି ଏହା ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି । କିନ୍ତୁ ବିଜେପିର ଆଭିମୁଖ୍ୟ ବିଜେଡି ପ୍ରତି କଣ ରହିବ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । ଅଗାମୀ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ବିଜେଡି ପ୍ରତି କଣ ଆଭିମୁଖ୍ୟ ରହିବ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିବ ।

MODIକୁହାଯାଉଛି ୩ଟି ରାଜ୍ୟର ଫଳାଫଳ ଆସିବା ପରେ ବିଜେଡି ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିପାରନ୍ତି ମୋଦି । କାରଣ ଆଗାମୀ ଦିନରେ ହୁଏତ ନବୀନଙ୍କ ସାଥ୍ ଚାହିଁପାରନ୍ତି ମୋଦି । ଏକଥା ଏଥିପାଇଁ କୁହାଯାଉଛି କାରଣ, ଯେଉଁ ୩ଟି ରାଜ୍ୟରେ ବିଜେପି ପରାଜୟ ବରଣ କରିଛି ସେଠାରେ ୬୫ରୁ ୬୨ଟି ଲୋକସଭା ଆସନରେ ଜିତିଥିଲା । ଯଦି ଆଗାମୀ ୨୦୧୯ ନିର୍ବାଚନରେ ବିଧାନସଭା ନିର୍ବାଚନ ଭଳି ଫଳାଫଳ ଆସେ ତେବେ ହିନ୍ଦି ହାର୍ଟଲାଇନରେ କମିବାକୁ ଥିବା ଆସନ କେଉଁଠାରୁ ଭରଣା କରାଯାଇପାରିବ ଏଭଳି ଏକ ପ୍ରଶ୍ନ ବିଜେପି ମନରେ ଉଙ୍କି ମାରିବା ସ୍ୱାଭାବିକ । ତେଣୁ ଏଭଳି ସ୍ଥଳେ ବିଜେଡି ମୋଦିଙ୍କ ପ୍ରଥମ ପସନ୍ଦ ପାଲଟିପାରେ । ଯଦି ନିର୍ବାଚନ ପରବର୍ତ୍ତୀ ସମୟରେ ଗଠବନ୍ଧନ ସରକାର ହୁଏ ତେବେ ଏଭଳି କ୍ଷେତ୍ରରେ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଆସନରେ ବସାଇବା ପାଇଁ ନବୀନଙ୍କ ସମର୍ଥନ ଲୋଡିପାରେ ବିଜେପି । ତେଣୁ ବିଜେପିର ଇସାରାକୁ ନବୀନଙ୍କୁ ଏବେଠୁ ବୁଝିନେବାକୁ ହେବ । ଆଉ ଏଭଳି କ୍ଷେତ୍ରରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିପାରେ ।