ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଏବେ ବିଭିନ୍ନ କ୍ଷେତ୍ରରେ ଦେଶକୁ ବାଟ ଦେଖାଉଛି ଓଡ଼ିଶା ।

129

କନକ ବ୍ୟୁରୋ : ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ । ଆଉ ଏହି କ୍ରମରେ ଆଜି ରାଜଧାନୀର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହୋଇଛି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି । ଏହାସହ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନିଜ ଅଭିଭାଷଣରେ ନବୀନ କହିଛନ୍ତି, ସାରା ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସ୍ୱାଧୀନତା କୋଟି ଭାରତୀୟଙ୍କ ବିଜୟ । ସତ୍ୟ ଓ ଅହିଂସାର ବିଜୟ । ଏହି ବିଜୟ ସାରା ବିଶ୍ୱକୁ ରାସ୍ତା ଦେଖାଇଛି । ଗତ ୭୫ ବର୍ଷରେ ଦେଶ ଅନେକ ମାଇଲଷ୍ଟୋନ ହାସଲ କରିଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, , ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରୁଛି । ଆଉ ଓଡ଼ିଶା ମଧ୍ୟ ଦେଶର ବିକାଶ ସହ ତାଳ ଦେଇ ଆଗେଇ ଚାଲିଛି । ୭୫ ବର୍ଷରେ ଓଡ଼ିଶା ଅନେକ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ସହ ଦେଶକୁ ରାସ୍ତା ଦେଖାଇଛି । ଓଡିଶାରେ ଆଜି ଟ୍ରାନ୍ସଫରମେସନର ନୂଆ ଯୁଗ ଆରମ୍ଭ ହୋଇଛି । ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି । ଖାଦ୍ୟ ଅଭାବୀ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟ, ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ପାଇଁ ଉଦାହରଣ, ସ୍ପୋର୍ଟ୍ସ ହବ୍ ଭାବେ ପରିଚୟ, ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିବା ବିକଶିତ ଓଡ଼ିଶାର ପ୍ରତୀକ ।

ଶିକ୍ଷା ଆମର ଫୋକସରେ ରହିଛି । ସ୍କୁଲ ରୂପାନ୍ତରଣ ପିଲାଙ୍କ ଭିତରେ ନୂଆ ଆଶା ସୃଷ୍ଟି କରିଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଆଜି ବେଶ୍‌ ଲୋକପ୍ରିୟ ହୋଇଛି । କୋଟିଆରୁ ଆରମ୍ଭ କରି ଭୁବନେଶ୍ବରର ପର୍ଯ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଆଜି ଏକ ଲକ୍ଷ ପିଲା ପାଠ ପଢୁଛନ୍ତି। ୫ ହଜାର ଝିଅ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ୫୦ଟି ହଷ୍ଟେଲର କରାଯାଇଛି। ସ୍ବାଧୀନତାର ୭୫ ବର୍ଷ ଅବସରରେ ରାଜ୍ୟର ୩୦ଟି ଜିଲ୍ଲାର ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ୩୦୦୦ ସ୍ମାରକୀ ସ୍ଥାପନ କରୁଛୁ।

ଆମର ଯୁବ ବର୍ଗଙ୍କ ପାଇଁ କର୍ମ ନିଯୁକ୍ତି ଉପରେ ଆମେ ବିଶେଷ ଗୁରୁତ୍ବ ଦେଇଛୁ । ସରକାରୀ କ୍ଷେତ୍ରରେ ଖାଲି ଥିବା ବିଭିନ୍ନ ପଦବୀ ଗୁଡିକ ପୂରଣ ପାଇଁ ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଜନଜାତି ଭାଇଭଉଣୀ ମାନଙ୍କ ବିକାଶ ଓ ସେମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଓଡିଶା ବହୁତ ଭଲ କାମ କରିଛି। ଓଡ଼ିଶାର ଜନଜାତି ପିଲାମାନେ ଆଜି ବିଭିନ୍ନ କ୍ଷେତ୍ରରେ, ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି।

ଓଡ଼ିଶା ହେଉଛି ଜଗନ୍ନାଥଙ୍କ ପବିତ୍ର ଭୂମି । ଓଡ଼ିଆ ମାନେ ସବୁବେଳେ ଆଞ୍ଚଳିକବାଦ ଅପେକ୍ଷା ଜାତୀୟତାବାଦକୁ ନେଇ କାମ କରନ୍ତି । ଉଭୟ ପୁରୁଷ ଓ ମହିଳା ହକି ଦଳର ସ୍ପନସର ଓଡ଼ିଶା ପାଲଟିବା ଏହାର ସବୁଠୁ ବଡ ଉଦାହରଣ । ଆଉ ୨୫ ବର୍ଷ ପରେ ସ୍ୱାଧୀନତାର ଶତବାର୍ଷିକୀ ପାଳନ ହେବ । ସେଥିପାଇଁ ଆମକୁ ଏବେଠୁ ପ୍ରସ୍ତୁତ ହେବାକୁ ପଡିବ । ଆଉ ଏହି ସମୟରେ ଦେଶର ବିକାଶରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ । ଯଦି ଆମେ ମିଳିତ ଭାବେ କିଛି କିଛି ସମୟ ଦେଶ ପାଇଁ ଦେଇପାରିବା ତେବେ ବହୁତ ବଡ ପରିବର୍ତ୍ତନ ଆଣିପାରିବା ବୋଲି ନବୀନ କହିଛନ୍ତି ।
.