ସ୍ୱାଧୀନତା ଦିବସ ବେଳେ ଅସୁସ୍ଥ ହୋଇପଡିଲେ ମୁଖ୍ୟମନ୍ତ୍ରୀ : ପୂରା କରିପାରିଲେ ନାହିଁ ଅଭିଭାଷଣ

34

କନକ ବ୍ୟୁରୋ : ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସରେ ଅଭିଭାଷଣ ରଖୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ମୁଖ୍ୟମନ୍ତ୍ରୀ । ଅଭିଭାଷଣ ଆରମ୍ଭରୁ ହିଁ ଏହା ସହଜରେ ବାରି ହୋଇ ପଡୁଥିଲା । କିଛି ସମୟ ପରେ ବିଶ୍ରାମ ନେବାକୁ ବାଧ୍ୟ ହେଲେ ନବୀନ । ଚେୟାରରେ ବସି ଅଭିବାଦନ ଗ୍ରହଣ କରିଥିଲେ । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଗଲା, ନବୀନ ସଂପୂର୍ଣ୍ଣ ଠିକ୍ ଅଛନ୍ତି ଏବଂ ଜଳୀୟ ଅଂଶ କମିଯିବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ । ଏହାର ଠିକ୍ ପରେ ପରେ ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ୍ ମଧ୍ୟ କଲେ, ଏବଂ ଲେଖିିଲେ-ଖରା ଓ ଗୁଳୁଗୁଳି ଥିବାରୁ ଯଥେଷ୍ଟ ପରିମାଣ ପାଣି ପିଇବାର ଉଚିତ ଥିଲା । ଦୁଇ ଗ୍ଲାସ ଲେମ୍ବୁ ପାଣି ପିଇବା ପରେ ସୁସ୍ଥ ହୋଇଗଲେ ।

କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ପୁଲିସ ପଦକ ପ୍ରଦାନ ଉତ୍ସବରେ ଯୋଗଦେଲେ ଏବଂ କହିଲେ,ସେ ସଂପୂର୍ଣ୍ଣ ଠିକ୍ ଅଛନ୍ତି । ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ନେଇ ଆସୁଥିବା ଖବର ଭିତରେ ଆଜିର ଘଟଣା ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ସେ ଅସୁସ୍ଥ ଅନୁଭବ କରିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ସେପଟେ ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଟ୍ୱିଟ୍ କରିଥିଲେ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କ ଆରୋଗ୍ୟ କାମନା କରିଥିଲେ ।

ଏସବୁ ଭିତରେ କିନ୍ତୁ ଚର୍ଚ୍ଚାକୁ ଆସିଥିଲା, ପାଣିପାଗ ବିଭାଗର ପୂର୍ବାନୁମାନ । ନିର୍ଦ୍ଦେଶକ ଶରତ ସାହୁ, ୧୪ ତାରିଖ ଅପରାହ୍ନରେ ପୂର୍ବାନୁମାନ କରି କହିଥିଲେ, ୧୫ ତାରିଖରେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଂଚଳରେ ପାଗ ମେଘୁଆ ରହିବ ଏବଂ ବର୍ଷା ହେବାର ସଂଭାବନା ରହିଛି । ପ୍ରଶ୍ନ ଉଠୁଛି ଏହି ପୂର୍ବାନୁମାନକୁ ଆଖିରେ ରଖି, ଆୟୋଜମାନେ ଖରାରୁ ବର୍ତିବା ପାଇଁ ଉତ୍ସବ ସ୍ଥଳରେ ଆବଶ୍ୟକ ବ୍ୟବସ୍ଥା କରିନଥିଲେ କି ?