୨୫ ବର୍ଷ ପୂର୍ବ ଆଜିର ଦିନରେ ରାଜନୀତିରେ ପାଦ ଥାପିଥିଲେ ନବୀନ । ବର୍ଷ ପରେ ବର୍ଷ ବିତିଛି, କିନ୍ତୁ କମିନି ନବୀନଙ୍କ କ୍ରେଜ । ଅପରାଜେୟର ରେକର୍ଡ ସହ ଓଡ଼ିଶାର ଶାସନଭାର ଧରିଛନ୍ତି ନବୀନ ।

165

କନକ ବ୍ୟୁରୋ : ସକ୍ରିୟ ରାଜନୀତିରେ ୨୫ବର୍ଷ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୯୭, ଜୁନ ୧ ତାରିଖରେ ପ୍ରଥମ ଥର ପାଇଁ ଆସିକାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନବୀନ । ଆଉ ଏହାପରେ ପଛକୁ ଫେରି ଚାହିଁନାହାନ୍ତି ନବୀନ । ସଫଳତାର ଗୋଟିଏ ପରେ ଗୋଟିଏ ସିଡି ଚଢି ଅତିକ୍ରମ କରି ଚାଲିଛନ୍ତି ।

୧୯୯୭ରେ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ଆଉ ଏତିକି ବେଳେ ରାଜନୀତିରେ ପ୍ରବେଶ କରିଥିଲେ ନବୀନ । ରାଜନୀତିରେ ପ୍ରବେଶ ବେଳେ ନା’ ନେତା, ନା’ ଜନତା, କେହି କେବେ କଳ୍ପନା କରି ନଥିଲେ ଯେ, ରାଜ୍ୟ ରାଜନୀତିରେ ଅପରିଚିତ ଥିବା ନବୀନ, ଦିନେ ଦେଶର ରାଜନୈତିକ ଇତିହାସରେ ସବୁଠୁ ବଡ଼ ଅଧ୍ୟାୟ ଲେଖିବାକୁ ଯାଉଛନ୍ତି ।

ସ୍ୱାଧୀନତା ପରେ ରାଜ୍ୟ ରାଜନୀତିରେ ଏ ହେଉଛନ୍ତି ଏପରି ଏକ ବ୍ୟକ୍ତିତ୍ୱ, ଯାହାଙ୍କୁ ଚାଲେଞ୍ଜ ଦେବା ବଡ଼ ବଡ଼ ନେତାଙ୍କ ପାଇଁ ବି ସମ୍ଭବ ହୋଇନାହିଁ । ୧୯୯୭ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନାଁ ଶୁଣିଥିଲେ ଓଡ଼ିଶାର ହାତ ଗଣତି ଲୋକ । ସବୁଠୁ ଲୋକପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କ ପୁଅ ହୋଇଥିଲେ ବି ରାଜନୀତିଠାରୁ ବେଶ ଦୂରରେ ଥିଲେ ନବୀନ । ତେବେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପୂରା ବଦଳି ଯାଇଥିଲା ନବୀନଙ୍କ ଜୀବନ ।
ଜୁନ ୧୯୯୭: ଆସ୍କା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ
ଡିସେମ୍ବର ୧୯୯୭: ନବୀନଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଗଠନ
ମାର୍ଚ୍ଚ ୧୯୯୮: ବାଜପାୟୀଙ୍କ ସରକାରରେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ
ମାର୍ଚ୍ଚ ୨୦୦୦: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ନବୀନ

୧୯୯୭ରୁ ଆସ୍କା ଲୋକସଭା ଆସନରୁ ସାଂସଦ ଏବଂ ୧୯୯୮ ଏନଡିଏ ସରକାରରେ ଖଣିମନ୍ତ୍ରୀ ଭାବେ ଆରମ୍ଭ ହେଲା ତାଙ୍କର ରାଜନୈତିକ କ୍ୟାରିୟର । ୨୦୦୦ ମସିହାରେ ହିଂଜିଳି ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ପ୍ରବେଶ କରିବା ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ । ସେତେବେଳେ କିଛି ନେତା ଭାବୁଥିଲେ, ନବୀନଙ୍କୁ ମୋହରା କରି ରାଜନୀତିର ସିଡି ଚଢିବେ । ମାତ୍ର ସେମାନଙ୍କୁ ଭୁଲ ପ୍ରମାଣିତ କରି ନବୀନ ଆରମ୍ଭ କଲେ ନିଜର ରାଜନୈତିକ ଅଭିଯାନ । ଏହା ପରେ ରାଜ୍ୟ ରାଜନୀତିରେ ଯାହା ଘଟିଛି, ତାହା ନବୀନଙ୍କୁ କେନ୍ଦ୍ର କରି ଘଟିଛି । ଅପ୍ରତିଦ୍ୱନ୍ଦ୍ୱୀ ଭାବେ ୫-୫ ଥର ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି ସେ ।

ନବୀନଙ୍କ ପଂଚମ ପାଳିର ମୁଖ୍ୟମନ୍ତ୍ରୀତ୍ୱ ଶେଷ ହେବା ବେଳକୁ ସେ ପାଲଟିଯିବେ ଦେଶର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହୋଇଥିବା ରାଜନେତା । ଏବେ ଏହି ତାଲିକାରେ ସେ ଚତୁର୍ଥରେ ରହିଛନ୍ତି । ପ୍ରଥମରେ ଅଛନ୍ତି ପୱନ ଚାମଲିଙ୍ଗ । ସେ ୨୪ ବର୍ଷ ୧୬୫ ଦିନ ଧରି ସିକିମର ମୁଖ୍ୟମନ୍ତ୍ରୀ ଥିଲେ । ଜ୍ୟୋତି ବସୁ ୨୩ ବର୍ଷ ୧୩୭ ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଗେଗଙ୍ଗ ଆପାଙ୍ଗ ଏହି ତାଲିକାରେ ତୃତୀୟରେ ରହିଛନ୍ତି ।

ଏସବୁ ଭିତରେ ଓଡ଼ିଶା ରାଜନୀତିକୁ ଅତି ପାଖରୁ ଦେଖିଥିବା ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ କହିଛନ୍ତି, ନବୀନଙ୍କ ସଫଳତା ପଛର କାରଣ ହେଉଛି ଜନପ୍ରିୟ ଯୋଜନା । ମିଶନ ଶକ୍ତି, କାଳିଆ ଯୋଜନା ଠାରୁ ଆର୍ମ୍ଭ କରି ଗରିବ କଲ୍ୟାଣ ଯୋଜନା ଲୋକଙ୍କୁ ପ୍ରଭାବିତ କରିପାରିଛି । ଏହା ସହ ରାଜ୍ୟରେ ପ୍ରଭାବ ହୀନ ବିରୋଧୀ ଦଳ ତାଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ କରିଛି ।