ରାଷ୍ଟ୍ରଗାନ ବଦଳାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । କହିଲେ ଗ୍ରହଣ କରାଯାଇପାରେ ସୁବାସ ବୋଷଙ୍କ ପରିବର୍ତ୍ତନ

ବଦଳିବ ରାଷ୍ଟ୍ର ଗାନ !

758

କନକ ବ୍ୟୁରୋ : ରାଷ୍ଟ୍ର ଗାନ ଜନ ଗଣ ମନ …. କୁ ପରିବର୍ତ୍ତନ କରିବାକୁ ଦାବି ହୋଇଛି । ଏନେଇ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଏହି ସହ ସ୍ୱାମୀ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିର ଏକ କପି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଏହାକୁ ନେଇ ସେ ରଖିଥିବା ମତ ଏଭଳି, ୧୯୪୯ ନଭେମ୍ବର ୨୬ ରେ ବିନା ଭୋଟିଂରେ ଏହି ଗୀତକୁ ରାଷ୍ଟ୍ରୀୟ ଗାନର ମାନ୍ୟତା ଦିଆଯାଇଥିଲା । କିନ୍ତୁ ସେହି ସମୟରେ କୁହାଯାଇଥିଲା କି ଆବଶ୍ୟକସ୍ଥଳେ ଏହି ଗୀତର ଶବ୍ଦକୁ ବଦଳାଯାଇପାରିବ । ଏହି ରାଷ୍ଟ୍ରୀୟ ସଂଗୀତକୁ ରଚନା କରିଥିଲେ ରବିନ୍ଦ୍ରନାଥ୍ ଠାକୁର । ସେ ଲେଖିଥିବା ଏହାକୁ ୧୯୧୧ ମସିହା ଡିସେମ୍ବର ମାସ ୨୭ ତାରିଖରେ କୋଲକତାରେ ହୋଇଥିବା କଂଗ୍ରେସ ଅଧିବେଶନରେ ବ୍ରିଟିସ୍ ରାଜାଙ୍କୁ ସ୍ୱାଗତ କରିବାକୁ ପ୍ରଥମେ ଗାନ କରାଯାଇଥିଲା । ଏହି ଗୀତଟି ରବିନ୍ଦ୍ର ନାଥଙ୍କ ଦ୍ୱାରା ରଚିତ ଏକ ବଡ କବିତାର ୧୩ ଟି ଧାଡିରୁ ଉଦ୍ଧୃତ କରାଯାଇ ଏହାକୁ ରାଷ୍ଟ୍ରଗାନର ମାନ୍ୟତା ଦିଆଯାଇଥିଲା । ଏହି ଗୀତକୁ ଗାନ କରିବାକୁ ମୋଟ ୫୨ ସେକେଣ୍ଡ ସମୟ ଲାଗିଥାଏ ।
ଅନ୍ୟପଟେ ଏହି ଗୀତକୁ ବଦଳାଇବା ପାଇଁ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଦ୍ୱାରା କରାଯାଇଥିବା ପରିବର୍ତ୍ତନକୁ ଗ୍ରହଣ କରାଯାଇପାରେ ବୋଲି କହିଛନ୍ତି ସୁବ୍ରମଣ୍ୟ ସ୍ୱାମୀ । ସେପଟେ ଏହାକୁ ପରିବର୍ତ୍ତନ କରିବାକୁ ଚାହିଁଲେ ବିଜେପି ସୁବିଧାରେ ଲୋକସଭାରେ ଏହି ପ୍ରସ୍ତାବକୁ ପାରିତ କରିପାରିବ । ହେଲେ ରାଜ୍ୟସଭାରେ ଏହା ପାରିତ ହେବା କଷ୍ଟ ବୋଲି ସମ୍ବିଧାନ ବିଶାରଦ ମାନେ ମତ ଦେଇଛନ୍ତି ।