ବାହାରେ ହିରୋ, ଭିତରେ ଜିରୋ : ନବୀନଙ୍କ ଉଦେଶ୍ୟରେ ନରସିଂହଙ୍କ ବୟାନ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେତେବେଳେ ରିପୋଟର୍ସଙ୍କ ଟେବୁଲ୍ ଉପରେ ବିରୋଧୀ ତ କେତେବେଳେ ବାଚସ୍ପତିଙ୍କ ଟେବୁଲ୍ ଉପରେ ବିଧାୟକ । ବିଧାନସଭାର ଏହି ବଜେଟ୍ ଅଧିବେଶନର ଆରମ୍ଭରୁ ଶେଷ ଯାଏ କିଛି ଏହିଭଳି ଦୃଶ୍ୟ ଦିନ ପରେ ଦିନ ଦେଖିବାକୁ ମିଳିଥିଲା । ତେବେ ୪ ଦିନ ପୂର୍ବରୁ ବିଧାନସଭା ବନ୍ଦ ହେବା ପରେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପର ନୂଆ ପର୍ବ । ବିଧାନସଭା ଭିତରେ ହଟ୍ଟଗୋଳ ପରେ ଏବେ ବାହାରେ ବାକଯୁଦ୍ଧ । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଭିଯୋଗ, ନବୀନ ପଟ୍ଟନାୟକ, ଗୃହ ଭିତରେ ଜିରୋ, ବାହାରେ ହିରୋ । ପ୍ରେସ କନଫରେନ୍ସ କରି ନବୀନଙ୍କୁ ବିଜେପି କରିଛି ଟାର୍ଗେଟ୍ ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା । ମୁଖ୍ୟମନ୍ତ୍ରୀଙ୍କ ଆତ୍ମବଡିମା ଆଗରେ ଗୃହ ଅପମାନିତ ହୋଇଥିବା ସେ କହିଛନ୍ତି । ଏହାସହ ଗୃହରେ ମୁଖ୍ୟମନ୍ତ୍ରୀ କୌଣସି ଉତର ଦେଉନାହାନ୍ତି । ସଂଖ୍ୟାଗରିଷ୍ଠତା କାରଣରୁ ସେ ଗୃହରେ ଏକଛତ୍ରବାଦ ଚଳାଇଛନ୍ତି ବୋଲି କଟାକ୍ଷ କରିଛନ୍ତି ବସନ୍ତ ପଣ୍ଡା ।

ତେବେ ବିଧାନସଭା ଗତକାଲି ଶେଷ ହେବା ପରେ ଗୃହ ବାହାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । କହିଲେ କଂଗ୍ରେସ ଓ ବିଜେପି ମଧ୍ୟରେ ବିରୋଧୀ ନମ୍ବର ୱାନ୍ ହେବା ପାଇଁ ଚାଲିଛି ପ୍ରତିଯୋଗିତା । ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ବିରୋଧୀଙ୍କୁ ଆହୁରି ଉତ୍କ୍ଷିପ୍ତ କରିଛି ।