ମହଙ୍ଗା ପଡିପାରେ ସଂସଦରେ ଅନୁପସ୍ଥିତ ରହିବା ! ଦଳୀୟ ସାଂସଦଙ୍କୁ ମୋଦିଙ୍କ ଚେତାବନୀ, ମିଳିନପାରେ ୨୦୧୯ ଟିକେଟ୍

26

କନକ ବ୍ୟୁରୋ : ସଂସଦରେ ବାରମ୍ବାର ଅନୁପସ୍ଥିତ ରହିବା ମହଙ୍ଗା ପଡିପାରେ ସାଂସଦଙ୍କୁ । ଏଭଳି ଅଭ୍ୟାସରେ ପରିବର୍ତ୍ତନ ନ ଆସିଲେ ୨୦୧୯ ଲୋକସଭା ନିର୍ବାଚନରେ ସେମାନଙ୍କୁ ପାର୍ଟି ଟିକେଟ ବି ଦେଇ ନପାରେ । ସଂସଦର ଉଭୟ ଗୃହରେ ଅନୁପସ୍ଥିତ ରହୁଥିବା ସାଂସଦଙ୍କୁ ଏଭଳି କଡା ଭାଷାରେ ଚେତାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଧା ସିଧା କହିଛନ୍ତି ସଂସଦରେ ଉପସ୍ଥିତ ରହିବା ପାଇଁ କୌଣସି ଦଳୀୟ ହ୍ୱିପର ଆବଶ୍ୟକତା ନାହିଁ । ତେଣୁ ସାଂସଦ ମାନେ ନିଜର ଏହି ଅଭ୍ୟାସକୁ ବଦଳାଇବାକୁ ଚେଷ୍ଟା କରନ୍ତୁ ।

ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର ସଂସଦୀୟ ପାର୍ଟି ବୈଠକରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତିି, କୌଣସି ବ୍ୟକ୍ତି ଅପେକ୍ଷା ଦଳ ଗୁରୁତ୍ୱପୂର୍ଣ୍ଣ । ତେଣୁ ଦଳ ପାଇଁ କାହିଁକି ସାଂସଦମାନେ ସଂସଦରେ ଅନୁପସ୍ଥିତ ରହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମୋଦି । ଏହାସହ ଗୁଜୁରାଟରୁ ରାଜ୍ୟସଭାକୁ ସଦ୍ୟ ନିର୍ବାଚିତ ଅମିତ ଶାହଙ୍କୁ ମୋଦି ସ୍ୱାଗତ କରିବା ସହ ତାଙ୍କର କଠିନ ପରିଶ୍ରମକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ମୋଦି କହିଛନ୍ତି ବିରୋଧୀ ଦଳରେ ଥିଲେ ଏକ ରାଜନୈତିକ ଦଳକୁ ଚଲାଇବା ସହଜ ହୋଇପାରେ କିନ୍ତୁ ଯଦି ସରକାରରେ ଥିଲେ ଏହାକୁ ଚଳାଇବା କଠିନ ହୋଇଥାଏ । ତେଣୁ ଦଳକୁ ଚଲାଇବାକୁ ସମସ୍ତଙ୍କର ସହଯୋଗ ରହିବା ନେଇ ଗୁରୁତ୍ୱ ବୁଝାଇଥିଲେ ସେ । ଗୁଜୁରାଟ ରାଜ୍ୟସଭା ନିର୍ବାଚନ ପରେ ଏହା ଦଳର ପ୍ରଥମ ସଂସଦୀୟ ବୈଠକ ହୋଇଥିବା ବେଳେ ଏହି ବୈଠକରେ ଅଗଷ୍ଟ୯ରୁ ୧୫ ପର୍ଯ୍ୟନ୍ତ ହେବାକୁ ଥିବା ତ୍ରିରଙ୍ଗା ଯାତ୍ରା ଓ ଅଗଷ୍ଟ ୧୫ରୁ ୩୦ ପର୍ଯ୍ୟନ୍ତ ହେବାକୁ ଥିବା ସଂକଳ୍ପ ଯାତ୍ରାର ସଫଳତା ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ ମୋଦି । ଚଳିତ ଅଧିବେଶନରେ ଶାସକ ଦଳର ସାଂସଦମାନେ ଅନୁପସ୍ଥିତ ରହିବା ଫଳରେ ବିଭିନ୍ନ ବିଲ ପାସ ନେଇ ସରକାରଙ୍କୁ ଅଡୁଆରେ ପକାଇଥିଲେ ବିରୋଧୀ । ଏହାପୂର୍ବରୁ ଦଳ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଏଦିଗରେ ବିରକ୍ତି ପ୍ରକାଶ କରିଥିଲେ ।