ହିମାଚଳରୁ ମୋଦିଙ୍କ ଡବଲ୍ ଆଟାକ୍ ! କହିଲେ, ଚୋରଙ୍କୁ ଛାଡିବନି ଚୌକିଦାର ।

427

ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜବରଦସ୍ତ ଟାର୍ଗେଟ୍ । ଆଜି ହିମାଚଳପ୍ରଦେଶର ଧର୍ମସଭାରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିମାଚଳପ୍ରଦେଶରେ ଭାରତୀୟ ଜନତା ପାର୍ଟି ସରକାରକୁ ଆଜି ୧ ବର୍ଷ ପୁରା ହୋଇଛି । ଆଉ ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ଉପଲବ୍ଧିର ଦସ୍ତାବିଜ୍ ଜାରି କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ହିମାଚଳପ୍ରଦେଶରେ ଏକ ବଡ ରାଲିର ଆୟୋଜନ କରାଯାଇଥିଲା । ଆଜିର ଦିନକୁ ହିମାଚଳ ସରକାର ଗୁଡ୍ ଗଭର୍ନାନ୍ସ ଦିବସ ରୂପେ ପାଳନ କରିଛି ।

ହିମାଚଳ ଆସି ଘରକୁ ଆସିବା ଭଳି ଲାଗୁଥିବା ଆଜି ରାଲିରେ ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ହିମାଚଳରେ ଅନେକ ବର୍ଷ ଧରି ସଂଗଠନ କାମ କରିଛନ୍ତି । ଆଉ ଏହି ସମୟରେ ଯେଉଁମାନେ ତାଙ୍କ ସହ କାମ କରୁଥିଲେ, ସେମାନେ ଆଜି ବଡ ନେତା ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ହିମାଚଳ ଦେବଭୂମି ଅଟେ । ଯେଉଁଠି ମା ଜ୍ୱାଲା ଦେବୀ ଏବଂ କାଙ୍ଗଡା ଦେବୀଙ୍କ ମନ୍ଦିର ରହିଛି । ଏହି ମାଟିର ପୁଅ ଯେତେବେଳେ ବନ୍ଧୁକ ଧରି ସୀମାରେ ଛିଡାହୋଇଥାଏ, ସେତେବେଳ ଶତ୍ରୁପକ୍ଷ ଭୟରେ ଥରି ଉଠିଥାନ୍ତି ।

ସେହିଭଳି ଆଜିର ସଭାକୁ ସମ୍ବୋଧିତ କରିବା ସହ ମୋଦି କହିଛନ୍ତି, ଗୋଟିଏ ବର୍ଷ ବହୁତ କମ୍ ସମୟ ଅଟେ । କିନ୍ତୁ ଏହି ଗୋଟିଏ ବର୍ଷରେ ରାଜ୍ୟ ସରକାର ଅନେକ କାମ କରିଛନ୍ତି । ପ୍ରଧାନମନ୍ତ୍ରୀ କରିଛନ୍ତି, ଦିଲ୍ଲୀରେ ଯେତେବେଳେ ଅଲଗା ସରକାର ଥିଲା, ସେତେବେଳେ ହିମାଚଳକୁ ୨୧ ହଜାର କୋଟି ଟଙ୍କା ମିଳିଥିଲା । କିନ୍ତୁ ବିଜେପି ସରକାର ଆସିବା ପରେ ୭୨ ହଜାର କୋଟି ଟଙ୍କା ମିଳିଛି । ମୋଦି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ହିମାଚଳ ପ୍ରଦେଶକୁ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ଲାଭ ମିଳିବ । ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ହିମାଚଳର ଦୂରଦୂରାନ୍ତର ଗାଁ ଗୁଡିକୁ ମଧ୍ୟ ସଡକ ସହ ଯୋଡାଯାଉଛି ।

ଏହି ଅବସରରେ କଂଗ୍ରେସକୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, କଂଗ୍ରେସ ୨୦୧୪ ନିର୍ବାଚନ ପୂର୍ବରୁ ଓଆରଓପିକୁ ନେଇ ମିଛ କହିଛି । ଏବଂ ମାତ୍ର ୫୦୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଥିଲା । କିନ୍ତୁ ବିଜେପି ଏହାର ତଦନ୍ତ କରିବା ପରେ ସତ ସାମ୍ନାକୁ ଆସିଥିଲା । କଂଗ୍ରେସ ଏଠାରେ କିଛି କରିନଥିବା ମୋଦି କହିଛନ୍ତି । ସେ କହିଛନ୍ତି ଯେ, ବିଜେପି ବଜେଟ୍ ଚେକ୍ କରିବା ପରେ ଏଥିରେ ୧୨ ହଜାର କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଥିଲା । ମୋଦି କହିଛନ୍ତି, କଂଗ୍ରେସ ୨୦୧୪ରେ ଯବାନମାନଙ୍କୁ ନେଇ ମିଛ କହିଥିଲା ଏବଂ ଏବେ କୃଷକମାନଙ୍କୁ ନେଇ ମିଛ କହୁଛି । କେବଳ ଏତିକି ନୁହେଁ, ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଯୁବ ବର୍ଗ ଏବଂ କୃଷକମାନଙ୍କ ଆଖିରେ ଧୂଳି ଦେଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନଙ୍କର ଲୋକମାନଙ୍କୁ ଲୁଟିବାର ଅଭ୍ୟାସ ଥିଲା, ସେମାନଙ୍କୁ ଆଜି ଦେଶର ଚାକିଦାରଙ୍କୁ ଡର ଲାଗୁଛି ଏବଂ କିଛି ଉପାୟ ନପାଇ ସେମାନେ ଗାଳି ଦେଉଛନ୍ତି ।