ଜୋ ବାଇଡେନଙ୍କ ସହ ମୋଦୀଙ୍କ ଆଲୋଚନା । ଆଂଚଳିକ ପ୍ରସଙ୍ଗ ଓ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ।

160

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମେରିକା ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଂଚଳିକ ପ୍ରସଙ୍ଗ ଓ ଭାରତ ଆମେରିକା ଦ୍ୱିପାକ୍ଷିକ ପ୍ରସଙ୍ଗରେ ହୋଇଛି ଆଲୋଚନା । ଏହାସହ ଜଳବାୟୁ ପରିବର୍ତ୍ତନ ବିରୋଧରେ ଆଗକୁ ଏକାଠି କାମ କରିବାକୁ ସହମତି ହୋଇଛି । ଏନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାସହ ଜୋ ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦୀ ଏକ ନିୟମ ଆଧାରିତ ଅର୍ନ୍ତଜାତୀୟ ବ୍ୟବସ୍ଥା ପାଇଁ ପ୍ରତିବଦ୍ଧ ହୋଇଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ମୋଦୀ ।

ଜୋ ବାଇଡେନ ବିଜୟୀ ହେବା ପରେ ଆମେରିକା ସହ ଭାରତର ସମ୍ପର୍କ କିପରି ରହିବ ସେ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା । ଏବେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନଜରରେ ରଖି ଏହି ଆଲୋଚନାକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଲୋଚନା ସମ୍ପର୍କରେ ଆମେରିକା ମଧ୍ୟ ଏକ ବିବୃତି ଜାରି କରିଛି । କୋଭିଡ ମହାମାରୀ ବିରୋଧରେ ଲଢେଇ, ଜଳବାୟୁ ପରିବର୍ତ୍ତନ ଦିଗରେ ପୁଣି ଥରେ ମିଳିତ ଭାବେ କାମ କରିବା ଓ ବିଶ୍ୱ ଆତଙ୍କବାଦ ବିରୋଧରେ ଏକାଠି ହୋଇ ଲଢିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଇଛି ।

ଏହା ପୂର୍ବରୁ ନଭେମ୍ବର ୮ ତାରିଖରେ ବାଇଡେନ ଯେତେବେଳେ ନିର୍ବାଚନରେ ବିଜୟୀ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଦୁଇ ରାଷ୍ଟ୍ର ପାଇଁ ଥିବା ସମାନ ଚ୍ୟାଲେଂଜ ଗୁଡିକୁ ମିଳିତ ଭାବେ ସାମ୍ନା କରିବା ପାଇଁ ଭାରତ ଓ ଆମେରିକା ଏକାଠି ଥିବା କହିଥିଲେ ମୋଦୀ । ଏହାପରେ ନଭେମ୍ବର ୧୭ତାରିଖରେ ଫୋନ୍ ଯୋଗେ ଉଭୟ ବାଇଡେନ ଓ ମୋଦୀ ଆଲୋଚନା କରି ଏକାଠି କାମ କରିବା ଉପରେ ସହମତି ପ୍ରକାଶ କରିଥିଲେ । ଦୁଇ ଦେଶର ପ୍ରାଥମିକତା ଓ ବିଶ୍ୱସ୍ତରୀୟ ଆହ୍ୱାନ ଗୁଡିକୁ ନେଇ ଉଭୟ ରାଷ୍ଟ୍ର ମିଳିତ ଭାବେ କାମ କରିବେ ।