ଆଜି ନନ୍ଦନକାନନକୁ ପୁରିଲା ୬୨ ବର୍ଷ : ନାହିଁ ନାହିଁରେ ଚାଲିଛି ଚିଡ଼ିଆଖାନା; ନିର୍ମାଣ ପରେ ଖତ ଖାଉଛି ବହୁତଳ ପାର୍କିଂ

ଆସିବାଦିନରୁ ବାରମ୍ବାର ଅଟକୁଛି ଟଏ ଟ୍ରେନ୍;ଏପର୍ଯ୍ୟନ୍ତ ସରିନାହିଁ ରୋପ୍ ୱେ କାମ

104

କନକ ବ୍ୟୁରୋ : ଆଜି ନନ୍ଦନକାନନର ୬୨ ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ଆଜି ନନ୍ଦନକାନରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ହେଲେ ୬୨ ବର୍ଷ ପରେ ମଧ୍ୟ ନନ୍ଦନକାନନରେ ଅନେକ ସମସ୍ୟା ରହିଛି । ଏହି ବିଶାଳ ପ୍ରାଣୀ ଉଦ୍ୟାନର କଳେବର ବଢିବ କ’ଣ, ଦିନକୁ ଦିନ କମିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ବିରଳ ପ୍ରଜାତିର ପ୍ରାଣୀଙ୍କ ମୃତ୍ୟୁ ହେଉଛି । ବଂଶବୃଦ୍ଧି ପାଇଁ ଯୋଜନା କରାଯାଉଥିଲେ ମଧ୍ୟ କାର୍ଯ୍ୟକାରୀ କରାଯାଇପାରୁନାହିଁ । ଲୋପ ପାଇଯାଉଛନ୍ତି ବିରଳ ଜୀବଜନ୍ତୁ ଓ ପକ୍ଷୀ । ଏବେ ସୁଦ୍ଧା ୧୬୦ଟି ବାଘ ନନ୍ଦନକାନନରେ ଜନ୍ମ ନେଇଛନ୍ତି । କଳା ବାଘ ବଂଶ ବୃଦ୍ଧି ମଧ୍ୟ କିଛି ମାତ୍ରାରେ ସଫଳ ହୋଇଛି ।

୧୯୮୦ରେ ସିଂହଙ୍କ ସଂଖ୍ୟା ୫୬ ଥିଲା। ବାଧ୍ୟ ହୋଇ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ନି‌ର୍ଦ୍ଦେଶକ୍ରମେ ୧୯୯୮ରେ ସିଂହମାନଙ୍କ ଅସ୍ତ୍ରୋପଚାର କରିଥିଲେ । ଶେଷ ଶାବକ ଭାବେ ୨୦୦୦ରେ ‘କାବେରୀ’ ଓ ‘କରିସ୍ମା’ ଜନ୍ମ ଲାଭ କରିଥିଲେ । ଏହାପରଠାରୁ ଲଗାତର ଭାବେ ସିଂହ ବଂଶ ହ୍ରାସ ପାଇ ୨୦୧୨ରେ ଦୁଇ ଅଙ୍କ ତଳକୁ ଖସିଥିଲା । ଗୁଜୁରାଟରୁ ହଳେ ଏସୀୟ ସିଂହ ଆଣି ବଂଶ ବୃଦ୍ଧି ଯୋଜନା କରାଯାଇଥିଲେ ମଧ୍ୟ ସଫଳ ହୋଇ ନଥିଲା । ଯେଉଁଥିପାଇଁ ୨୦୧୪ରେ ବେଙ୍ଗାଲୁରୁରୁ ସିଂହୀ ‘ରୁକ୍ମିଣୀ’ ଓ ‘ନରସିଂହା’ଙ୍କୁ ଅଣାଯିବାରୁ ବଂଶ ବୃଦ୍ଧି ଯୋଜନାକୁ ସଫଳତା ମିଳିଛି। ‘କଳ୍ପନା’ ଓ ‘ଜିତ୍’ ଜନ୍ମ ନେଇଛନ୍ତି । ସିଂହ ବଂଶ ବୃଦ୍ଧି ଯୋଜନା ଏବେ ପ୍ରଥମ ସୋପାନରେ ରହିଛି ।

ବହୁ ଦିନ ଧରି ବନ୍ଦ ରହିଥିବା ଶିଶୁ ରେଳ ଗତ ନଭେମ୍ବର ୧୭ରେ ନୂଆ ରୂପରେ ଆସିଛି ସତ । ମାତ୍ର ଅଧା ବାଟରେ ଝୁଣ୍ଟୁଛି । ଚଳାଚଳ କରିବାର ୪୮ ଘଣ୍ଟା ନପୁରୁଣୁ ଇଞ୍ଜିନ୍‌ରେ ସଟ ସର୍କିଟ ଯୋଗୁଁ ବନ୍ଦ ରହିଥିଲା । କିଛି ଦିନ ବ୍ୟବଧାନରେ ଟ୍ରାକ୍‌ ବାହାରକୁ ବି ଚାଲିଯାଇଥିଲା । ପରବର୍ତ୍ତି ସମୟରେ ମରାମତି କରାଯାଇ ଚାଲୁ ରହିଛି । ‌ତେବେ ୨୦୧୨ରୁ ବନ୍ଦ ରହିଥିବା ନନ୍ଦନକାନନର ରୋପ ୱେ କାର୍ଯ୍ୟ ଏଯାବତ୍‌ ସରି ନାହିଁ । ଏକ ଦଶନ୍ଧି ଧରି ବନ୍ଦ ରହିଥିଲେ ମଧ୍ୟ ଚଲାଇ ନ ପାରିବା କର୍ତୃପକ୍ଷଙ୍କ ପାରିବା ପଣିଆ ନେଇ ପ୍ରଶ୍ନ ଉଠିଛି । ବହୁତଳ ପାର୍କିଂ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉଦ୍‌ଘାଟନ କି କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଯେଉଁଥିପାଇଁ କୋଟି କୋଟି ଟଙ୍କାର ସମ୍ପତ୍ତି ଖତ ଖାଉଛି ।

ଓରାଙ୍ଗଓଟାନ, ନୀଳଗିରି ହନୁ, ସିଂହଲାଞ୍ଜି ମାଙ୍କଡ, ଭାରତୀୟ ଗଣ୍ଡା, ଜେବ୍ରାଙ୍କ ଭଳି ବିରଳ ଜୀବ ଓ କାସ୍ବାରୀ ଭଳି ବିରଳ ପକ୍ଷୀଙ୍କ ବଂଶ ଲୋପ ପାଇଛି । ସାଥୀ ମରିଯିବାରୁ ଲାଲ ହାତ ତାମରିନ୍ ମାଙ୍କଡ, ଜିରାଫ ‘ଖୁସୀ’, ହଳିଦୀ ପିଠିଆ ଶୁଆ, କକାଟିଲ, କ୍ରାଷ୍ଟାଲ କକୋଟୋ ଭଳି ବିରଳ ପ୍ରାଣୀ ଓ ପକ୍ଷୀ ଏକାକୀ ଜୀବନ ବିତାଉଛନ୍ତି । ଏମାନଙ୍କ ପାଇଁ ସାଥୀଟିଏ ଅଣାଯାଇ ପାରି ନାହିଁ । ଜିରାଫ ‘ଖୁସୀ’ର ସାଥୀ ଓ ନୂଆ ପ୍ରଜାତିର ହୁଲକ ଗିବନ ଆଣିବାକୁ କର୍ତୃପକ୍ଷ ବାରମ୍ବାର ଘୋଷଣା କରୁଥିଲେ ମଧ୍ୟ କେବେ ଆଣିବେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି । ମାଈ ଅଷ୍ରିଚ ପକ୍ଷୀ, ଆସାମି ମାଙ୍କଡ, ଅଣ୍ଡିରା ତାମରିନ ମାଙ୍କଡ, ଗୋଲଡେନ ଫିଜାଣ୍ଟ ପକ୍ଷୀ, ନୀଳଗାଈ, ଗୁରାଣ୍ଟି, ଚିଙ୍କାର, ସମ୍ବର, ବାରାଶିଙ୍ଗା ହରିଣ, ଧୂସର ଗଧିଆ, ବଜ୍ରକାପ୍ତା, ଅଜଗର ସାପ, ସିଂହ ମୃତ୍ୟୁ ମଧ୍ୟ ଚର୍ଚ୍ଚାରେ ରହିଛି ।

ନନ୍ଦନକାନନର ସିମ୍ପାଞ୍ଜି ‘ରାକ୍ଷୀ’ ମା’ ହୋଇଛି। ନନ୍ଦନକାନନ ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ସେ ପ୍ରାଣୀ ଉଦ୍ୟାନକୁ ଏକ ମାଈ ଶାବକ ଭେଟି ଦେଇଛି । ରାକ୍ଷୀର ଏହା ନୂଆବର୍ଷ ଭେଟି ବୋଲି ଚର୍ଚ୍ଚା ହେଉଛି ଓ ଏନେଇ ଗତକାଲି ନନ୍ଦନକାନନ କର୍ମଚାରୀ ମହଲରେ ଖୁସି ଖେଳିଯାଇଛି । ଗତ ରାତିରୁ ରାକ୍ଷୀ ଛୁଆକୁ ଜନ୍ମ ଦେଇଥିଲା । ରାକ୍ଷୀ କୋଳରେ ଶାବକଟି ସ୍ତନ୍ୟପାନ କରି ଖେଳୁଥିବା ଦେଖି ଦାୟିତ୍ବରେ ଥିବା ଜନ୍ତୁରକ୍ଷକ କେଦାର ପାତ୍ର ଖୁସି ହୋଇଯାଇଥିଲେ ଓ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଖବର ଜଣାଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ପରେ ୬୦ ନମ୍ବର (କ) ଖୁଆଡ଼ ପାଖରେ ଭିଡ଼ ସୃଷ୍ଟି ହୋଇଥିଲା । ରାକ୍ଷୀର ଏହା ପ୍ରଥମ ଗର୍ଭ। ଅଣ୍ଡିରା ସିମ୍ପାଜି ଜୁଲୁ ସହ ମିଳନରୁ ଏହି ଶାବକଟି ଜନ୍ମ ନେଇଛି। ଏହି ଶାବକକୁ ମିଶାଇ ଏବେ ନନ୍ଦନକାନନର ସିମ୍ପାଞ୍ଜି ସଂଖ୍ୟା ୮ରେ ପହଁଚିଛି ।