ଇନଫୋସିସର ମଙ୍ଗ ସମ୍ଭାଳିବେ ନିଲେକାନି !

18

ଦେଶର ଅଗ୍ରଣୀ ଆଇଟି କଂପାନି ଇନଫୋସିସରେ ଦେଖାଦେଇଥିବା ନେତୃତ୍ୱ ସଙ୍କଟକୁ ଦୂର କରିବା ପାଇଁ ଅନେକ ବିକଳ୍ପ ଉପରେ ବିଚାର କରାଯାଉଛି । ତେବେ କଂପାନିର ନିବେଶକମାନେ ନନ୍ଦନ ନିଲେକାନିଙ୍କୁ ମୁଖ୍ୟ ପଦ ପାଇଁ ଅଧିକ ପସନ୍ଦ କରିଛନ୍ତି । ଇନଫୋସିସରେ ଦେଖାଦେଇଥିବା ସଙ୍କଟ ଦୂର କରିବାରେ କଂପାନିର ଅନ୍ୟତମ ପ୍ରତିଷ୍ଠାତା ନିଲେକାନି ଏବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ତେଣୁ ତାଙ୍କୁ କଂପାନିର ମଙ୍ଗ ପ୍ରଦାନ କରାଗଲେ ବହୁତ ଭଲ ହେବ ବୋଲି ନିବେଶକମାନେ ବିଚାର କରୁଛନ୍ତି ।

ନିଲେକାନି ଇନଫୋସିସର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଯୋଗ ଦେଇପାରନ୍ତି । ସେ କଂପାନିର ପ୍ରମୁଖ ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତ୍ତି ଏବଂ କଂପାନି ବୋର୍ଡ ମଧ୍ୟରେ ସମ୍ପର୍କକୁ ସୁଧାରିବା ଦିଗରେ କାମ କରିବେ । ଖୋଦ ନାରାୟଣମୂର୍ତ୍ତି ଚାହୁଁଛନ୍ତି ନିଲେକାନି ଏହି ପଦ ସମ୍ଭାଳନ୍ତୁ ।

ନିଲେକାନି ୨୦୦୭ରେ ଇନଫୋସିସର ସିଇଓ ପଦରୁ ଇସ୍ତଫା ଦେଇ ଭାରତ ସରକାରଙ୍କ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷର ମୁଖ୍ୟ ହୋଇଥିଲେ । ଏହା ପରଠାରୁ ସେ ଇନଫୋସିସର କାର୍ଯ୍ୟକଳାପଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିଲେ । ମାତ୍ର ଗତ ସପ୍ତାହରେ ଇନଫୋସିସର ସିଇଓ ବିଶାଲ ସିକ୍କା ଅପ୍ରତ୍ୟାଶିତ ଭାବେ ଇସ୍ତଫା ପ୍ରଦାନ କରିବା ପରେ ନିଲେକାନି ପୁଣି ଥରେ କଂପାନି କାମ ଦେଖାଶୁଣା କରିବାକୁ ଆଗେଇ ଆସିଛନ୍ତି । ଇନଫୋସିସର ସହ ଅଧ୍ୟକ୍ଷ ରବି ଭେଙ୍କଟେଶନଙ୍କ ପକ୍ଷରୁ ନିଲେକାନିଙ୍କୁ ସହାୟତା କରିବା ପାଇଁ ଅନୁରୋଧ କରାଯାଇଥିଲା ।

ଗତକାଲି ଇନଫୋସିସର ନିବେଶକମାନଙ୍କୁ ନାରାୟଣମୂର୍ତ୍ତି ନିଜ ପକ୍ଷ ବିଷୟରେ କହିଥାନ୍ତେ । ମାତ୍ର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ସେ ଏହି କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି । ଯଦି ନିଲେକାନି ଇନଫୋସିସର ମଙ୍ଗ ସମ୍ଭାଳିବେ ତେବେ ଏବେ କଂପାନି ବୋର୍ଡରେ ଥିବା ଅନେକ ସଦସ୍ୟଙ୍କୁ ଇନଫୋସିସରୁ ବିଦା ହେବାକୁ ପଡ଼ିବ । ଏହାର ଅଧ୍ୟକ୍ଷ ଆର୍ ଶେଶାସାୟୀ ଏବଂ ସହ ଅଧ୍ୟକ୍ଷ ରବି ଭେଙ୍କଟେଶନଙ୍କୁ ପଦ ହରାଇବାକୁ ପଡ଼ିପାରେ । ନିଲେକାନି ନିଜ ହିସାବରେ ବୋର୍ଡକୁ ଗଠନ କରିବେ । ନିଲେକାନି ସମଗ୍ର ବିଶ୍ୱରେ ପରିଚିତ । ତେଣୁ ସେ ଇନଫୋସିସକୁ ଫେରିଲେ କଂପାନି ଠିକ ଦିଗରେ ଆଗକୁ ବଢ଼ିବ ବୋଲି କଂପାନିର ପୂର୍ବତନ ବୋର୍ଡ ସଦସ୍ୟ ତଥା ନାରାୟଣମୂର୍ତ୍ତିଙ୍କ ସହଯୋଗୀ ଭି ବାଲକୃଷ୍ଣନ କହିଛନ୍ତି ।