ନାଗାଲାଣ୍ଡ ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ପ୍ରାର୍ଥୀଙ୍କ ତାଲିକା ।

112

କନକ ବ୍ୟୁରୋ: ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ଦଳ ୨୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେପି ପକ୍ଷରୁ ଜାରି ହୋଇଥିବା ଏହି ତାଲିକା ଅନୁସାରେ ନାଗାଲାଣ୍ଡର ବିଜେପି ଅଧ୍ୟକ୍ଷ ତେମାଜିନ ଇମନା ଅଲଁଙ୍ଗ, ଏଲଁଙ୍ଗଟକି ବିଧାନସଭା ଆସନରୁ ନିର୍ବାଚନ ଲଢିବେ । ନାଗାଲାଣ୍ଡରେ ବିଜେପିର ୧୨ ବିଧାୟକଙ୍କ ମଧ୍ୟରୁ ୧୧ ଜଣଙ୍କୁ ପୁଣିଥରେ ଟିକଟ ମିଳିଛି ।

ଦଳ ବର୍ତ୍ତମାନ ବିଧାୟକ ଥିବା ଜଣଙ୍କ ଟିକଟ କାଟିଛି । ରାଜ୍ୟରେ ବିଜେପି ଏନଡିପିପି ସହ ମିଳିତ ଭାବେ ନିର୍ବାଚନ ଲଢିବ । ୬୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୨୦ ଆସନରେ ନିର୍ବାଚନ ଲଢିବାକୁ ଯାଉଥିବା ବେଳେ ଏନଡିପିପି ୪୦ ଆସନରେ ନିଜର ଆଶାୟୀଙ୍କୁ ମଇଦାନକୁ ଓହ୍ଲାଇଛି । ନାଗାଲାଣ୍ଡ ସହ ମେଘାଳୟରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଜେପି ମେଘାଳୟର ସମସ୍ତ ୬୦ ଆସନରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ।

ମେଘାଳୟ ଏବଂ ନାଗାଲାଣ୍ଡ ବିଧାନସଭା ନିର୍ବାଚନକୁ ଆଖିରେ ରଖି ବୁଧବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ ଆୟୋଗର ବୈଠକ ଦିଲ୍ଲୀରେ ବସିଥିଲା । ଏହି ବୈଠକରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ରହିଥିଲେ । ବୈଠକରେ ହିଁ ପ୍ରାର୍ଥୀଙ୍କ ତାଲିକାରେ ମୋହର ବାଜିଥିଲା ।