ପୁଣି ସାମ୍ନାକୁ ଆସିଛି ନବରଙ୍ଗପୁର ଶିଶୁ ଚେଙ୍କ ଘଟଣା

35

ନବରଙ୍ଗପୁର : ପୁଣି ଥରେ ନବଜାତ ଶିଶୁଙ୍କୁ ଚେଙ୍କ ଦେବା ଘଟଣା ପଦାକୁ ଆସିଛି । ମାତ୍ର ୧ମାସ ୨୫ ଦିନର ଶିଶୁକୁ ଅତି ଅମାନୁଷିକ ଭାବେ ଚେଙ୍କ ଦିଆଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ ଖୁଂଟିଆଗୁଡାରେ । ସ୍ଥାନୀୟ ଜୁନେଓ ଓ ଗୀତା ହରିଜନଙ୍କ ଶିଶୁ ପୁତ୍ର ଦୁଇ ଦିନ ତଳେ ଖାଇବା ବନ୍ଦ କରିବା ସହ ପେଟ ଫୁଲିଯାଇଥିଲା । ସେମାନେ ଶିଶୁଟିର ଚିକିତ୍ସା ପାଇଁ ଦିଶାରୀ ସୁନାମଣି ଦାସଙ୍କ ପାଖକୁ ନେଇଥିଲେ । ସେଠାରେ ଦିଶାରୀ ଶିଶୁଟିକୁ ଲୁହାକଂଟାରେ ଚେଙ୍କ ଦେଇଥିଲା । ଏହି ଘଟଣା ଦେଖିବା ପରେ ସ୍ଥାନୀୟ ଆଶାକର୍ମୀ ଶିଶୁକୁ ପ୍ରଥମେ ତେନ୍ତୁଳିଖୁଂଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିଲେ । ଶିଶୁଟିର ଅବସ୍ଥା ସ୍ଥିର ଥିବା ଜଣା ପଡିଛି । ଅନ୍ୟପଟେ ଗତ ସପ୍ତାହରେ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଅନ୍ଧବିଶ୍ୱାସ ଦୂର କରିବା ପାଇଁ କରିଥିବା ସଚେତନତା କାର୍ଯ୍ୟକ୍ରମ ପାଇଁ ପୁରସ୍କୃତ କରିଥିଲେ । ଶିଶୁକୁ ଚେଙ୍କ ଦେବା ଘଟଣା ପୁଣି ସାମ୍ନାକୁ ଆସିବା ପରେ ଏହି ସଚେତନତା କାର୍ଯ୍ୟକ୍ରମର ସଫଳତା ନେଇ ପ୍ରଶ୍ନ ଉଠିଛି ।