ନିଅଣ୍ଟ ହେଲା ଖାଦ୍ୟ, ନିଲମ୍ବିତ ହେଲେ ଶିକ୍ଷକ: ସେବାଶ୍ରମ ସ୍କୁଲର ୩ ଶିକ୍ଷକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

876

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାନିଗାଁ ଓ ଧନଶୁଲି ସେବାଶ୍ରମ ବିଦ୍ୟାଳୟରେ ଅନ୍ତେବାସୀଙ୍କୁ ଖାଦ୍ୟ ନିଅଣ୍ଟ ଘଟଣାରେ ୩ ଜଣ ଶିକ୍ଷକଙ୍କୁ ନିଳମ୍ବନ କଲେ ଜିଲ୍ଲାପାଳ। ଶିକ୍ଷକମାନେ ହେଲେ ମାନିଗାଁ ସେବାଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁବାଷିନି କରକରା ଓ ସହକାରୀ ଶିକ୍ଷକ କେଦାର ସ୍ବାଇଁ ଏବଂ ଧନଶୁଲି ବିଦ୍ୟାଳୟର ସହକାରୀ ଶିକ୍ଷକ ନବ କିଶୋର ମାଟି ।

ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଆଜି ପାପଡାହାଣ୍ଡି ବ୍ଲକର ମାନିଗାଁ ସେବାଶ୍ରମ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ୨୬୮ ଜଣ ଛାତ୍ରଛାତ୍ରୀ ଛାତ୍ରାବାସ ରେ ରହୁଥିବା ବେଳେ ଆଜି ୫୮ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ସକାଳ ୧୦ ଟା ରେ ଖାଦ୍ୟ ପରିଷିବା ବେଳେ ୨୪ ଜଣ ପିଲାଙ୍କୁ ଖାଦ୍ୟ ନିଅଣ୍ଟ ହୋଇ ଥିଲା। ଏ ନେଇ ସେ ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନଙ୍କୁ ଜଣାଇଥିଲେ। ତେବେ ବିଧାୟକ ଅବଗତ କରାଇବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ ।

ତେବେ ପୂର୍ବରୁ ବି ଗତ ୨୯ ତାରିଖରେ ସେହି ବ୍ଲକର ଧନଶୁଲି ସେବାଶ୍ରମ ବିଦ୍ୟାଳୟରେ ବିଧାୟକ ଶ୍ରୀ ରନ୍ଧାରୀ ଗସ୍ତ କରିବା ବେଳେ ୬୬ ଜଣ ଅନ୍ତେବାସୀ ଖାଦ୍ୟରେ ଡାଲି ଅଣ୍ଟିନଥିଲା। ସେନେଇ ବି ବିଧାୟକ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ। ଏ ସମସ୍ତ ଘଟଣା ସଂକ୍ରାନ୍ତରେ ବ୍ଲକ ମଙ୍ଗଳ ଅଧିକାରୀ ବିଭୁ ଦତ୍ତ ମହାନ୍ତି ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରେ ଜିଲ୍ଲାପାଳ ଏହି ୩ ଜଣ ଶିକ୍ଷକଙ୍କୁ ନିଳମ୍ବନ କରିଛନ୍ତି ।