କିଏ ଦୂର କରିବ ନବରଙ୍ଗପୁର ଦୁର୍ଗାର ଦୁଃଖ? ବାପା-ମାଆ ଛେଉଣ୍ଡ ଝିଅର ଥଇଥାନ ପାଇଁ ପ୍ରଶାସନ ପାଖରେ ଗୁହାରି କଲେ ସ୍ଥାନୀୟ ବାସିନ୍ଦା ।

84

କନକ ବ୍ୟୁରୋ: ୪ ବର୍ଷର ଅନାଥ କୁନି ଝିଅକୁ ସାହାରା ପାଇଁ ଦେବଦୂତ ସାଜିଛନ୍ତି ନବରଙ୍ଗପୁର ସହରର ଇଚ୍ଛାବତୀଗୁଡ଼ା ଅଂଚଳର ବନ୍ଧମୁଣ୍ଡା ବସ୍ତି ବାସିନ୍ଦା । ଏହାକୁ ନେଇ ଦେଖିବା ଆମ ରିପୋର୍ଟ ‘ବସ୍ତି ବାସିନ୍ଦାଙ୍କ ମହନୀୟତା’ ।

କଇଁ କଇଁ ହୋଇ କାନ୍ଦୁଛି କୁନି ଝିଅ । ୪ ବର୍ଷର ଦୁର୍ଗା ଆଖିରୁ ବୋହି ଯାଉଛି ଧାର ଧାର ଲୁହ । କଅଁଳ ବୟସରୁ କୁନି ଝିଅକୁ ଅନାଥ କରିଛି ବିଧାତା । ବାପା-ମାଆଙ୍କୁ ହରାଇ ଏକା ହୋଇଯାଇଛି ନବରଙ୍ଗପୁର ବନ୍ଧମୁଣ୍ଡା ଅଂଚଳର ଦୁର୍ଗା । ବର୍ଷକର ହୋଇଥିଲା ସଡକ ଦୁର୍ଘଟଣାରେ ବାପାଙ୍କ ହାତ ତା’ ମୁଣ୍ଡ ଉପରୁ ହଟିଯାଇଥିଲା, ଏବେ ତା’ଠୁ ଦୂରେଇ ଯାଇଛି ମାଆର ମମତା । ପୋଖରୀରେ ବୁଡି ମାଆଙ୍କ ମୃତ୍ୟୁ ହେବା ପରେ କେଉଁଠି କେମିତି ରହିବ ଦୁର୍ଗା ତାକୁ ନେଇ ଚିନ୍ତାରେ ଅଛନ୍ତି ସ୍ଥାନୀୟ ବସ୍ତି ବାସିନ୍ଦା ।

ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ସରକ୍ଷା ଅଧିକାରୀଙ୍କ ଏକ ଟିମ୍ ଦୁର୍ଗା ଘରକୁ ଯାଇ ଅନୁଧ୍ୟାନ କରିଛନ୍ତିା ମାଆ ନୀଳାଙ୍କ ଶୁଦ୍ଧିକ୍ରିୟା ସରିବା ପରେ କୁନି ଝିଅର ଥଇଥାନ ପାଇଁ ବ୍ୟବସ୍ଥା କରାଯିବା ବୋଲି କହିଛନ୍ତି ଶିଶୁ ସୁରକ୍ଷା କର୍ମୀ । ବାପା-ମାଆ ଛେଉଣ୍ଡ ଦୁର୍ଗା ପାଇଁ ଏକ ହୋଇଛନ୍ତି ସ୍ଥାନୀୟ ବସ୍ତି ବାସିନ୍ଦା । ତାକୁ ସାହାରା ଦେଇ ତା’ ଭବିଷ୍ୟତ ପାଇଁ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଗୁହାରି କରିଛନ୍ତି ବନ୍ଧମୁଣ୍ଡା ବସ୍ତି ବାସିନ୍ଦା ।