ଖୋଲିଲା ନବରଂଗପୁର ଶିକ୍ଷା ବିଭାଗର ଗୁମର ! ସରକାରୀ ଫାଇଲ ବାବଦରେ ସରକାରୀ ବାବୁଙ୍କୁ ଅଜଣା,ରାତାରାତି ବଦଳିଲା ପୁରସ୍କାର ତାଲିକାରେ ନାଁ

38

କନକ ବ୍ୟୁରୋ : ସରକାରୀ ଅଫିସରେ କର୍ମଚାରୀଙ୍କ ମଧ୍ୟରେ ରହୁଛି ସମନ୍ୱୟର ଅଭାବ । ଆଉ ଏଥିପାଇଁ ଜଣଙ୍କୁ ବାରମ୍ବାର ଅପମାନିତ ମଧ୍ୟ କରାଯାଉଛି । ଏଭଳି ଏକ ଘଟଣା ଘଟିଛି ନବରଂଗପୁର ଜିଲ୍ଲା ଉମରକୋଟ ବ୍ଲକରେ । ଜଣେ ଆଦର୍ଶ ଶିକ୍ଷକଙ୍କୁ ପୁରସ୍କାର ଦେବାକୁ କହି ଅନ୍ୟଜଣଙ୍କୁ ପୁରସ୍କାର ଦିଆଯାଇଛି । ଆଉ ଏହି ଘଟଣା ଏବେ ସରକାରୀ ବାବୁମାନଙ୍କ ମଧ୍ୟରେ ଥିବା ଦୂରତାକୁ ପଦାରେ ପକାଇଛି ।

ଉମରକୋଟ ବ୍ଲକ ଜାରାଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ରାୟଙ୍କୁ ସ୍ୱାଧୀନତା ଦିବସରେ ବେଷ୍ଟ ଟିଚର ପୁରସ୍କାର ଦିଆଯିବା ନେଇ ସ୍ଥିର କରାଯାଇଥିଲା । ଏନେଇ ଶିକ୍ଷକଙ୍କୁ ଚିଠି ମାଧ୍ୟମରେ ଅବଗତ ମଧ୍ୟ କରାଯାଇଥିଲା । କିନ୍ତୁ ସ୍ୱାଧୀନତା ଦିବସ ପୂର୍ବରୁ ବଦଳିଗଲା ସବୁ କିଛି, ଶିକ୍ଷକଙ୍କ ସ୍ଥାନରେ ଜଣେ ଶିକ୍ଷୟିତ୍ରୀଙ୍କୁ ଦିଆଗଲା ପୁରସ୍କାର । ଯାହାକୁ ନେଇ ଜିଲ୍ଲାର ଅନ୍ୟ ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।

ଅନ୍ୟପକ୍ଷରେ ଶିକ୍ଷା ବିଭାଗର କର୍ମଚାରୀଙ୍କ ମଧ୍ୟରେ ତାଳମେଳ ରହୁନଥିବା କଥାକୁ ସ୍ୱୀକାର କରିଛନ୍ତି ଖୋଦ ବ୍ଲକ ଶିକ୍ଷାଧିକାରି । ପୁରସ୍କାର ତାଲିକାରେ ଶିକ୍ଷକଙ୍କ ନାଁ ବଦଳରେ ଶିକ୍ଷତିତ୍ରୀଙ୍କ ନାଁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି । ପରସ୍ପରକୁ ଦୋଷ ଦେଇ ସରକାରୀ ବାବୁମାନେ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଉଥିବା ବେଳେ ଏହାଦ୍ୱାରା ଅନ୍ୟ ମାନଙ୍କୁ ଅପମାନିତ ହେବାକୁ ପଡୁଛି ।