ନବରଙ୍ଗପୁର ଆଶ୍ରମ ସ୍କୁଲରେ ଅଭାବନୀୟ ଘଟଣା ! କୋମଳମତି ଛାତ୍ରଛାତ୍ରୀଙ୍କ ହାତରେ କୁକୁଡା କାଟିବାର ଭିଡିଓ ଭାଇରାଲ

37

କନକ ବ୍ୟୁରୋ : ସ୍କୁଲରେ କୁକୁଡା କାଟିଲେ ଛାତ୍ର । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମନ୍ୱୟ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ରମେଶ ମାଝିଙ୍କ ନିଜ ଜିଲ୍ଲା ନବରଙ୍ଗପୁରରେ । ଜିଲ୍ଲାର ରାଇଘର ନୂଆପାରା ଆଶ୍ରମ ସ୍କୁଲରେ ଛାତ୍ରମାନେ କୁକୁଡା କାଟୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଛାତ୍ରମାନଙ୍କୁ କୁକୁଡା କାଟିବାକୁ କିଏ କହିଲା? ଦଣ୍ଡମୁକ୍ତ ଅଂଚଳରେ ଛାତ୍ରମାନଙ୍କୁ ଏଭଳି କାମ କରିବାକୁ ନିର୍ଦ୍ଦେଶ ଦେଲା କିଏ? ସ୍କୁଲରେ ଛାତ୍ରମାନଙ୍କୁ କୁକୁଡା କଟେଇଥିବା ଘଟଣା ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସବୁଠାରୁ ବଡ କଥା ହେଲା ଏ ନେଇ ବେପରୁଆ ଉତ୍ତର ରଖିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ସେ କହିଛନ୍ତି ବଡ ଅନୁଷ୍ଠାନ ଚଳାଇବା ସମୟରେ ଭୁଲ ହେବା ନିଶ୍ଚିତ । ତେବେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଦ୍ୟାଳୟରେ ପିଲାମାନେ କିପରି କୁକୁଡା କାଟିଲେ । ତାକୁ ନେଇ ସ୍ୱଭାବିକ ଭାବେ ସନ୍ଦେହ ପରିସରକୁ ଆସୁଛି ଶିକ୍ଷକମାନଙ୍କ ଭୂମିକା ।