ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ : ସକାଳ ୮ଟାରୁ ରାତି ୧୨ ଯାଏଁ ଦର୍ଶନ

129

କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । କୋଭିଡ୍ ଯୋଗୁଁ ଦୁଇବର୍ଷ ହେଲା ଭକ୍ତ ଏହି ଦୁଲ୍ଲର୍ଭ ଦର୍ଶନରୁ ବଞ୍ଚିତ ରହିଥିଲେ । ହେଲେ ଚଳିତ ବର୍ଷ ଠାକୁରଙ୍କ ନବଯୌବନ ଦର୍ଶନ କରିବେ ଭକ୍ତ । ଅଣସର ଘରେ ନାନାଦି ନୀତି ପରେ ଜ୍ୱରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି । ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି । ଏଥିପାଇଁ ୧୫ ଦିନର ଅଣସର ଶେଷ କରି ଶ୍ରୀଜିଉ ଅଣସର ପିଣ୍ଡିରୁ ନବଯୌବନ ବେଶରେ ଦର୍ଶନ ଦେବେ ।

ଅନ୍ୟପଟେ ନବଯୌବନ ବେଶ ଦର୍ଶନ କରିବାକୁ ଅଧିକ ଭକ୍ତଙ୍କ ଭିଡ଼ ସମ୍ଭାବନା ଥିବାରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ସକାଳ ୮ଟାରେ ତାଟି ଫିଟିବା ପରେ ୧ ଘଣ୍ଟା ରହିବ ପାରମାଣିକ ଦର୍ଶନ । ସକାଳ ୯ଟାରୁ ରାତି ସାଢେ ୧୨ଟା ଯାଏଁ ସର୍ବସାଧାରଣ ଦର୍ଶନ ହେବ । ନୀତିକାନ୍ତି ଯୋଗୁଁ ମଝିରେ ମଝିରେ ଦର୍ଶନ ବନ୍ଦ ରହିବ । ତେଣୁ ମାତ୍ର ସାଢ଼େ ୬ ଘଂଟା ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଗୁରୁବାରଦିନ ଉଭାଯାତ୍ରା ଥିବାରୁ ସକାଳ ୪ଟାରୁ ସନ୍ଧ୍ୟା ୫ଟା ଯାଏଁ ରହିବ ସର୍ବସାଧାରଣ ଦର୍ଶନ ।