ଅଧା ବାଟରେ ‘ହାତ’ ଛାଡିଦେବେ ନବ! ରାହୁଲଙ୍କ ଓଡିଶା ଗସ୍ତ ପୂର୍ବରୁ କଂଗ୍ରେସ ଛାଡି ଶଙ୍ଖ ଫୁଙ୍କିବାକୁ ତୟାର ହେଲେଣି ନବ ?

333

କନକ ବ୍ୟୁରୋ : ରାହୁଲଙ୍କ ଓଡିଶା ଗସ୍ତ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଦେଇପାରନ୍ତି ବିଧାୟକ ନବ ଦାସ । କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆସନ୍ତା ୨୫ରେ ଓଡିଶା ଆସୁଥିବା ବେଳେ ୨୪ ତାରିଖରେ କଂଗ୍ରେସ ଛାଡିପାରନ୍ତି ନବ ଦାସ । ବିଜେଡିରେ ମିଶିବା ନେଇ ନବ ଦାସ ଗଣମାଧ୍ୟମରେ ଇଙ୍ଗିତ ଦେବା ପରେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ୨୦୧୯ରେ ଶଙ୍ଖ ଚିହ୍ନରେ ଲଢିବା ନେଇ ଝାରସୁଗୁଡାବାସୀ ଅନୁରୋଧ କରୁଥିବାରୁ ଏନେଇ ଆଗକୁ ନିଷ୍ପତି ନେବେ ବୋଲି କହିଛନ୍ତି ନବ । ଗୋଟିଏ ପଟେ କଂଗ୍ରେସକୁ ମଜବୁତ୍ କରିବାକୁ ରାହୁଲ ଗାନ୍ଧି ଓଡିଶା ଆସୁଥିବା ବେଳେ ନବ ଦାସ ଦଳ ଛାଡିବାକୁ ଇଙ୍ଗିତ କରି କଂଗ୍ରେସକୁ ପୁଣିଥରେ ବ୍ୟାକଫୁଟକୁ ଠେଲି ଦେଇଛନ୍ତି ।

କଂଗ୍ରେସ ଗଡ କୁହାଯାଉଥିବା ପଶ୍ଚିମ ଓଡିଶାରେ ନବ ଜଣେ ଟାଣୁଆ କଂଗ୍ରେସ ନେତା । ଜଣେ ଦୃଢ ସଙ୍ଗଠକ ଭାବେ ନବଙ୍କର ପଶ୍ଚିମ ଓଡିଶାରେ ଦବଦବା ରହିଛି । କଂଗ୍ରେସ ଟିକେଟରେ ଦୁଇ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନବ ଦାସ ଏବେ ପିସିସିର କାର୍ଯ୍ୟକାରୀ ସଭାପତି ରହିଛନ୍ତି । ତେବେ ବାରମ୍ବାର ଦଳ ଛାଡିବା ନେଇ କନଫ୍ୟୁଜନ କରୁଥିବା ନବ ଆସନ୍ତା ୨୪ ତାରିଖରେ ନବୀନଙ୍କ ଗସ୍ତ ସମୟରେ ବିଜେଡିରେ ସାମିଲ ହେବେ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି ।

ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଗସ୍ତରେ ଯାଉଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ କ୍ୟାନସର ହସ୍ପିଟାଲ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ଓ ପାଥୋଲୋଜିଷ୍ଟ ସେଣ୍ଟର, ଚୌକିପଡା ରେଳ ଓଭରବ୍ରିଜ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଗସ୍ତ ସମୟରେ ନବ ଶଙ୍ଖ ଫୁଙ୍କି ପାରନ୍ତି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇସାରିଛି । ଏପରିକି ନବୀନଙ୍କ ଝାରସୁଗୁଡା ଗସ୍ତ ସମୟରେ ନବ ତାଙ୍କୁ ସ୍ୱାଗତ କରିବେ ବୋଲି ମଧ୍ୟ କହିଛନ୍ତି ।

ନବ ବିଜେଡିରେ ଯୋଗ ଦେବା ସହ ନିଜର ଶକ୍ତି ପ୍ରଦର୍ଶନ ମଧ୍ୟ କରିବେ । ପାଖାପାଖି ୫୦ ହଜାର କର୍ମୀଙ୍କୁ ଏକାଠି କରି ମୁଖ୍ୟମନ୍ତ୍ରୀଙ୍କ ସଭାରେ ନିଜର ଶକ୍ତି ପ୍ରଦର୍ଶନ କରିବେ ନବ । ଏହାପୂର୍ବରୁ ନବ କଂଗ୍ରେସ କର୍ମୀଙ୍କୁ ଡାକି ଏ ବାବଦରେ ବିଚାର ବିମର୍ଷ କରିଛନ୍ତି । ତେବେ ଯଦି ନବ ବିଜେଡିରେ ମିଶନ୍ତି ତେବେ ପଶ୍ଚିମ ଓଡିଶାରେ କଂଗ୍ରେସକୁ ଏକ ବଡ ଝଟକା ଲାଗିପାରେ । କାରଣ ନବଙ୍କ ନେତୃତ୍ୱରେ ଏହା କଂଗ୍ରେସର ଗଡ ଭାବେ ଉଭା ହୋଇଥିଲା । ପୂର୍ବ ଦୁଇଟି ନିର୍ବାଚନରେ ବିଜେଡିର ହାୱା ସତ୍ତେ୍ୱ ମଧ୍ୟ ଏଠାରେ କଂଗ୍ରେସ ଟିକେଟରୁ ବାଜିମାତ୍ କରୁଥିଲେ ନବ । ତେଣୁ ଏଠାରେ କଂଗ୍ରେସ ହିଁ ଅଧିକ କ୍ଷତି ସହିବ । ତେବେ ଦଳ ଛାଡିବା ନେଇ ସେମିତି କୌଣସି କାରଣ ନଥିବା କହିଛନ୍ତି ନବ । ତାଙ୍କର ଉଭୟ ରାହୁଲ ଓ ନିରଞ୍ଜନଙ୍କ ସହ ଭଲ ସର୍ମ୍ପକ ଥିବା କହିଛନ୍ତି ନବ । ବିଜେଡିରେ ଯୋଗ ଦେବା ନେଇ ଲୋକଙ୍କ ଅନୁରୋଧ କ୍ରମେ ସେ ଆଗକୁ ନିଷ୍ପତି ନେଇପାରନ୍ତି ବୋଲି ନବ କହିଛନ୍ତି ।