ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ଜୀବନ ନେଇଥିବା ଗୁଳି ଗଲା କୁଆଡେ ? ଖୋଜୁଛି କ୍ରାଇମବ୍ରାଞ୍ଚ

327

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ଜୀବନ ନେଇଥିବା ଗୁଳି ଗଲା କୁଆଡେ ? କ୍ରାଇମବ୍ରାଞ୍ଚ ପକ୍ଷରୁ ଛାନଭିନ୍ ଜାରି ରହିଛି । ଗୋପାଳ ଦାସକୁ ୨୦୧୩ ଜାନୁଆରି ୩୦ ତାରିଖରୁ ପିସ୍ତଲ ଓ ୨୪ଟି ଗୁଳି ଇସ୍ୟୁ ହୋଇଥିବା ଜଣାଯାଇଛି । ଗୋପାଳ କନ୍‌‌ଷ୍ଟେବଲ୍‌ ଭାବେ ଗଞ୍ଜାମ ଜିଲ୍ଲାରେ ଚାକିରି ଆରମ୍ଭ କରିଥିବା ବେଳେ ଏଏସ୍‌ଆଇ ଭାବେ ପଦୋନ୍ନତି ପାଇ ୨୦୦୯ରେ ଝାରସୁଗୁଡ଼ାକୁ ବଦଳି ହୋଇ ଆସିଥିଲା । ସେ ଟାଉନ ଥାନା, ବଡ଼ମାଲ ଥାନା, କୋଲାବିରା, ବେଲପାହାଡ଼ରେ କାମ କରିବା ପରେ ୨୦୨୦ରେ ବ୍ରଜରାଜନଗର ଗାନ୍ଧୀ ଛକରେ କାର୍ଯ୍ୟରତ ଥିଲା ।

ସେପଟେ, ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ବହୁ ଆଗରୁ ରଚିସାରିଥିଲେ ଷଡ଼ଯନ୍ତ୍ର । ଆଉ ହାତରେ ହତ୍ୟାର ବ୍ଲୁପ୍ରିଂଟ ଧରି ବୁଲୁଥିଲେ ଗୋପାଳ ଦାସ । ଆଉ ଏହାରି ଭିତରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି କିଛି ଗୁରୁତ୍ୱପୂର୍ଣ୍ଣ କାଗଜ । କୁହାଯାଉଛି ଯେ, ୨୦ ଖଣ୍ଡ କାଗଜ ଖଣ୍ଡ ମିଳିଛି । ଏହି କାଗଜ ଖଣ୍ଡ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କରୁ ମିଳିଛି । ଏହି କାଗଜକୁ ଗୋପାଳ ଦାସ ନିଜ ପକେଟରେ ଧରି ବୁଲୁଥିଲା । ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଏହି କାଗଜରେ ସେ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଥିବା କୁହାଯାଉଛି ।

ଟାଙ୍କିରେ ପ୍ରମାଣ ଲୁଚିରହିଥିବା ନେଇ ଚର୍ଚ୍ଚା ପରେ ଗତକାଲି ରାତିରେ ଜୋରଦାର ତଦନ୍ତ କରିଥିଲା କ୍ରାଇମବ୍ରାଂଚ । ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି । ରିମାଣ୍ଡ ବେଳେ ଅଭିଯୁକ୍ତ ଗୋପାଳ ଦାସ ପାଇଖାନା ଟାଙ୍କିରେ କିଛି କାଗଜ ଫିଙ୍ଗି ଥିବା ସୂଚନା ମିଳିଥିଲା । ତେଣୁ ରାତି ଅଧିଆ କ୍ରାଇମବ୍ରାଞ୍ଚ ଟିମ୍ ସ୍ଥାନୀୟ ପୋଲିସ ସହାୟତାରେ ଝାରସୁଗୁଡା ବିମାନବନ୍ଦର ଥାନାର ଲାଟ୍ରିନ ଟାଙ୍କି ଖୋଳିଛି ।

ମିଳିଥିବା ସୂଚନା ଅନୁସାରେ ଗୁଳିକାଣ୍ଡ ଘଟଣା ପରେ ପୋଲିସ ଅଭିଯୁକ୍ତକୁ ବିମାନବନ୍ଦର ଥାନାକୁ ଆଣିିିଥିଲା । ଏହିଠାରେ ଅଧିକ ସମୟ ରହିବା ଭିତରେ ଅଭିଯୁକ୍ତ ପାଖରେ ଥିବା କିଛି କାଗଜକୁ ଥାନା ଭିତରେ ଥିବା ପାଇଖାନାରେ ପକାଇ ଫ୍ଲସ ମାରିଦେଇଥିଲେ । ତେଣୁ ସେହି କାଗଜଟି ପାଇଖାନା ଟାଙ୍କିରେ ରହିଥିବାରୁ ତଦନ୍ତକାରୀ ଟିମ୍ ଲାଟ୍ରିନ ଟାଙ୍କି ଖୋଳିଛି । ଆଉ ସେହି କାଗଜକୁ ପାଇଥିବା ସୂଚନା ରହିଛି । ଏବେ ସେହି କାଗଜପତ୍ରକୁ ଫୋରେନସିକ୍ ଲାବକୁ ପଠାଯିବ ବୋଲି ସୂଚନା ରହିଛି । ଅନ୍ୟପଟେ ତଦନ୍ତକାରୀ ଦଳ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ କରିପାରେ ସିନ୍ ରିକ୍ରିଏସନ୍ ।