ଖୋଲୁଛି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ହତ୍ୟା ପଛର ଗୁମର । ହତ୍ୟା ପଛରେ ରହିଛି ମାଛ ପୋଖରୀ ବିବାଦ, ଜେଲରୁ ଆସିବା ପରେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ କରିଥିଲା ହତ୍ୟା ।

209

କନକ ବ୍ୟୁରୋ : ସାମ୍ନାକୁ ଆସିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଧ୍ରୁବରାଜ ନାୟକଙ୍କୁ ହତ୍ୟା ପଛର ରହସ୍ୟ । ସାମାନ୍ୟ ମାଛ ଚୋରିକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ ହତ୍ୟାକାଣ୍ଡରେ ଶେଷ ହୋଇଛି । ମାଛ ଚୋରି କରିବା ଅଭିଯୋଗରେ ଜେଲ ଯିବା ପାଇଁ ଧ୍ରୁବରାଜଙ୍କୁ ଦାୟୀ କରି ପ୍ରତିଶୋଧ ପରାୟଣ ହୋଇପଡିଥିଲେ ପ୍ରବୀଣ । ଆଉ ଜାମିନରେ ଫେରିବା ପରେ ଅତି ନୃଶଂସ ଭାବେ ଘରେ ପଶି ଧ୍ରୁବରାଜଙ୍କୁ କରିଥିଲେ ହତ୍ୟା ।

ପ୍ରବୀଣ ଧାରୁଆ । ମାତ୍ର ୨୦ ବର୍ଷର ଏହି ଯୁବକ ଏକ ଛୋଟ ଘଟଣାକୁ ନେଇ ଏକ ଏଭଳି ପଦକ୍ଷେପ ନେଲା, ଯାହା କେତେ ବଡ କ୍ଷତି କଲା ସେ ନିଜେ ବି ଜାଣିପାରିଲା ନାହିଁ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ ନାୟକଙ୍କୁ କାହିଁକି ହତ୍ୟାକଲା ଏହି ଦୁର୍ବୃତ, ସେ ନେଇ ପୁରା କାହାଣୀ ସାମ୍ନାକୁ ଆସିଛି ।

ପୂର୍ବତନ କୁଳପତିଙ୍କ ହତ୍ୟା ଉପରୁ ଉଠିଲା ପରଦା । ପ୍ରତିଶୋଧ ପାଇଁ ହୋଇଥିଲା ହତ୍ୟା । ପ୍ରଫେସର ଧ୍ରୁବରାଜ ନାଏକ ୩ ବର୍ଷ ତଳେ ଘର ପାଖରେ ଥିବା ନିଜ ପୋଖରୀକୁ ଲିଜ୍ ଆକାରରେ ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ । ହେଲେ ପ୍ରବୀଣ ସହିତ କିଛି ବ୍ୟକ୍ତି ନିୟମିତ ସେହି ପୋଖରିରୁ ମାଛ ଚୋରି କରୁଥିଲେ । ୧୫ ଦିନ ଆଗରୁ ଲିଜ ନେଇଥିବା ବ୍ୟକ୍ତି ପ୍ରବୀଣ ନାଁରେ ଲଇକେରା ଥାନାରେ ଅଭିଯୋଗ କରିଥିଲେ । ପ୍ରବୀଣ ସହିତ ଅନ୍ୟ ଦୁଇଜଣ ମଧ୍ୟ ଏହି ଅଭିଯୋଗରେ ଜେଲ ଯାଇ ଜାମିନରେ ଗାଁକୁ ଫେରିଥିଲେ ।

ତେବେ ପ୍ରଫେସର ଧ୍ରୁବରାଜଙ୍କ ଯୋଗୁଁ ସେମାନେ ଜେଲ ଯାଇଥିବା ଅଭିଯୋଗ କରି ତାଙ୍କ ଉପରେ ରାଗ ରଖିଥିଲେ । ଆଉ ତାର ପରିଣତି ଥିଲା ଏଭଳି ଏକ ହତ୍ୟାକାଣ୍ଡ । ସେପଟେ ଗିରଫ ଅଭିଯୁକ୍ତ ପ୍ରବୀଣକୁ ଗିରଫ ପରେ ସୋମବାର ଦିନ କୋର୍ଟଚାଲାଣ କରାଯାଇଛି ।