ପାରାଦୀପ ପରେ ଅସ୍ତରଙ୍ଗରୁ ଧରାପଡିଲା ସନ୍ଦିଗ୍ଧ ପାରା : ଦୁଇଗୋଡରେ ରହିଛି ପିତଳ ଓ ଧଳା ରିଙ୍ଗ, ଡେଣାରେ ଲେଖାଅଛି ଅନ୍ୟ ଭାଷାର ଅକ୍ଷର

156

କନକ ବ୍ୟୁରୋ : ପାରାଦୀପ ପରେ ଏବେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରୁ ପୁଣି ଏକ ସନ୍ଦିଗ୍ଧ ପାରା ଠାବ ହୋଇଛି । ଅସ୍ତରଙ୍ଗର ନାନପୁର ଗାଁରୁ ସନ୍ଦିଗ୍ଧ ପାରାକୁ ଦେଖି ପୁଲିସକୁ ଖବର ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଖବର ପାଇ ଅସ୍ତରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରାକୁ ଜବତ କରିଛି । ପାରାର ଦୁଇଟି ଗୋଡରେ ପିତଳ ଓ ଧଳା ରଙ୍ଗର ଦୁଇଟି ରିଙ୍ଗ ଲାଗିଛି । ଏଥିସହ ପାରାର ଦୁଇ ଡେଣାରେ ମଧ୍ୟ କିଛି ଲେଖାଥିବା ସୂଚନା ମିଳିଛି ।

ସେପଟେ ଗତ ମାର୍ଚ୍ଚ ୬ ତାରିଖରେ ପାରାଦୀପ ଓ କୋଣାର୍କ ମଝି ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସାରଥୀ ନାମକ ଏକ ଟ୍ରଲରରୁ ଏକ ସନ୍ଦିଗ୍ଧ ପାରା ଜବତ ହୋଇଥିଲା । ପାରାର ଗୋଟିଏ ଗୋଡରେ କ୍ୟାମେରା ଓ ଅନ୍ୟ ଗୋଡରେ ଚିପ କାର୍ଡ ଭଳି ଯନ୍ତ୍ରାଂଶ ରହିଥିଲା । ଡେଣାରେ ଚାଇନିଜ ଭାଷାରେ କିଛି ଲେଖା ରହିଥିଲା । ସନ୍ଦିଗ୍ଧ ପାରାକୁ ଯାଞ୍ଚ ପାଇଁ ରାଜ୍ୟ ଫରେନସିକ ସାଇନ୍ସ ଲ୍ୟାବକୁ ଅଣାଯାଇ ପରୀକ୍ଷା ନୀରିକ୍ଷା କରିଯାଇଛି । ଏବେ ଅଧିକ ତଦନ୍ତ ପାଇଁ ସିଏଫଏସଏଲର ସହାୟତା ନେବାକୁ ନିଷ୍ପତି ନିଆଯାଇଛି । ତେବେ ଗୋଟିଏ ସପ୍ତାହ ନପୁରୁଣୁ ସମୁଦ୍ର କୂଳରୁ ସନ୍ଦିଗ୍ଧ ପାରା ଠାବ ହେବା ପରେ ଗୁଇନ୍ଦା ପାରାକୁ ନେଇ ସନ୍ଦେହ ବଢିଛି ।