କରୋନା ପରେ ଭୟ ବଢାଉଛି ରହସ୍ୟମୟ ରୋଗ । ରୋଗୀଙ୍କ ସ୍ୱପ୍ନରେ ଆସୁଛନ୍ତି ମୃତ ଲୋକ ।

1,197

କନକ ବ୍ୟୁରୋ : କରୋନା ପରେ ଭୟ ବଢାଉଛି ରହସ୍ୟମୟ ରୋଗ । ରୋଗୀଙ୍କ ସ୍ୱପ୍ନରେ ଆସୁଛନ୍ତି ମୃତ ଲୋକ । ମହାମାରୀ କରୋନା ସାଧାରଣ ଜୀବନକୁ କଲବଲ କରୁଥିବା ବେଳେ, ଆଉ ଏକ ରହସ୍ୟମୟ ରୋଗ ଏବେ ଚିନ୍ତା ବଢାଇଛି । ସାରା ବିଶ୍ୱ କରୋନା ସହ ଲଢେଇ କରୁଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଭୟଙ୍କର ରୋଗ ।

ଏକ ରହସ୍ୟମୟ ମସ୍ତିଷ୍କ ରୋଗ କାନାଡାରେ ଆତଙ୍କ ସୃଷ୍ଟି କରିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତମାନ ପର୍ଯ୍ୟନ୍ତ ଏହି ରୋଗରେ ୪୮ ଜଣ ସଂକ୍ରମିତ ହେଲେଣି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଏହି ରୋଗ ହେଲେ କଣ ହୋଇଥାଏ । ଆସନ୍ତୁ ଜାଣିବା ପୂରା ତଥ୍ୟ ।

ଏହି ରୋଗର ଶିକାର ହେଲେ, ଆପଣଙ୍କ ଠାରେ ଅନିଦ୍ରା, ଅଙ୍ଗପ୍ରତ୍ୟଙ୍ଗ ଶିଥିଳତା ପଡିବା ଏବଂ ମତିଭ୍ରମ ଭଳି ଲକ୍ଷଣ ଦେଖାଯିବ । ଏବେ ଆସନ୍ତୁ ଜାଣିବା ଏହି ରୋଗକୁ ନେଇ କଣ କହୁଛନ୍ତି ବୈଜ୍ଞାନିକ । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆଟଲାଂଟିକ ଉପକୂଳରେ ଅବସ୍ଥିତ କାନାଡାର ନ୍ୟୁ ବ୍ରଂସବିକ ପ୍ରାନ୍ତରେ ଏହି ରହସ୍ୟମୟ ରୋଗର ରୋଗୀଙ୍କୁ ଦେଖିବାକୁ ମିଳିଛି ।

ଏହି ରୋଗର ଶିକାର ହେବା ପରେ, ରୋଗୀମାନେ ସ୍ୱପ୍ନରେ ମୃତ ଲୋକଙ୍କୁ ଦେଖୁଛନ୍ତି । ଆଉ ଏହି ରୋଗ ପାଦ ଦେବା ପରେ କାନାଡାରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ତେବେ ଏହି ରୋଗର କାରଣ ଜାଣିବା ପାଇଁ ଅନେକ ନ୍ୟୁରୋଲୋଜିଷ୍ଟ ଦିନରାତି କାମ କରୁଛୁନ୍ତି ।

ବୈଜ୍ଞାନିକମାନଙ୍କ କହିବା କଥା, ଏହି ରୋଗ ସେଲଫୋନ୍ ଟାୱାରର ରେଡିଏସନ୍ ମାଧ୍ୟମରେ ବ୍ୟାପୁଛି । ଅନ୍ୟପଟେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛ. କିଛି ବୈଜ୍ଞାନିକ ଏହି ରୋଗ ପାଇଁ କରୋନା ଭ୍ୟାକସିନକୁ ଦାୟୀ କରୁଛନ୍ତି । ତେବେ ସୂଚନା ଅନୁଯାୟୀ, ଏହି ରୋଗ ପ୍ରାୟ ୬ ବର୍ଷ ପୂର୍ବେ କାନାଡାରେ ବ୍ୟାପିଥିଲା । ପାଖାପାଖି ୧୨ଜଣ ଲୋକ ଏହି ରୋଗର ଶିକାର ହୋଇଥିବା ବେଳେ, ସେଥିମଧ୍ୟରୁ ୬ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ତେବେ କରୋନା ମହାମାରୀ ପାଦ ଦେବା ପରେ ଏହି ରୋଗ ପ୍ରତି ଆଉ କେହି ଧ୍ୟାନ ଦେଇନଥିଲେ । କିନ୍ତୁ ଏବେ ପୁଣି ଆତଙ୍କ ସୃଷ୍ଟି କରିଛି ଏହି ରହସ୍ୟମୟ ରୋଗ । ଏହି ରୋଗ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ଏହି ରୋଗର ନାଁ କଣ, ଏହା କେମିତି ବ୍ୟାପୁଛି, ଏହା ଜେନେଟିକ୍ କି ନୁହେଁ, ସେନେଇ କିଛି ବି ତଥ୍ୟ ମିଳିପାରୁନାହିଁ ।