ପ୍ରଧାନମନ୍ତ୍ରୀଙ୍କ ଦେଖା ମିଳିଲାନି ! ହକ୍ ପାଇଁ ଅନଶନରେ ବସିବାରୁ ଓଡ଼ିଶା ପୁଅକୁ ଉଠାଇନେଲା ଦିଲ୍ଲୀ ପୋଲିସ

49

କନକ ବ୍ୟୁରୋ : ହକ୍ ମାଗିବାରୁ ଉଠାଇ ନେଲା ପୋଲିସ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ନ ମିଳିବା ପରେ ଅନଶନରେ ବସିଥିବା ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପାର୍ଲାମେଣ୍ଟ ରୋଡ଼ରୁ ଉଠାଇ ନେଇଛି ପୋଲିସ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଅନଶନରେ ବସିଥିଲେ ମୁକ୍ତିକାନ୍ତ । ତେବେ ପୋଲିସ ଅନୁମତି ବିନା ଅନଶନରେ ବସିଥିବାରୁ ମୁକ୍ତିକାନ୍ତଙ୍କୁ ଉଠାଇ ନେଇଛି ପୋଲିସ ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ସୁଯୋଗ ନମିଳିବା ଯାଏ ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଦିଲ୍ଲୀର ଯନ୍ତରମନ୍ତରଠାରେ ଅନଶନରେ ବସିବାକୁ ସଂସଦ ମାର୍ଗ ଥାନା କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଲୋଡ଼ିଥିଲେ । ଥାନା କର୍ତ୍ତୃପକ୍ଷ ଗତକାଲି ତାଙ୍କୁ ଆବେଦନର ନକଲ ଦେଇଥିଲେ ମଧ୍ୟ ଅନୁମତି ଦେବାକୁ ମନା କରିଥିଲେ । ଅପର ପକ୍ଷରେ ରାଉରକେଲାରୁ ୧୫୫୦ କିଲୋମିଟର ପଦଯାତ୍ରା କରି ଦିଲ୍ଲୀରେ ପହଞ୍ଚିଥିବା ମୁକ୍ତିକାନ୍ତ ଅନଶନରେ ବସିଲେ ସ୍ୱାସ୍ଥ୍ୟାବସ୍ଥାରେ ଅଧିକ ଅବନତି ଘଟିବ ବୋଲି ଡାକ୍ତରମାନେ ତାଙ୍କୁ ସତର୍କ କରାଇଥିଲେ। ଅନୁମତି ବିନା ଅନଶନ ଓ ଧାରଣା ବେଆଇନ। ତେଣୁ ହୁଏତ ଅନଶନ ଆରମ୍ଭ ମାତ୍ରେ ମୁକ୍ତିକାନ୍ତଙ୍କୁ ପୁଲିସ୍ ନେଇଛି ।

ଉଳ୍ଲେଖ ଯୋଗ୍ୟ, ବ୍ରାହ୍ମଣୀ ପୋଲ ଓ ରାଉରକେଲା ଆଇଜିଏଚ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ଅଡି ବସିଛନ୍ତି ମୁକ୍ତିକାନ୍ତ । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ନହେଲେ ଅନଶନ କରିବେ ବୋଲି ସେ ପୂର୍ବରୁ ଚେତାବନୀ ଦେଇଥିଲେ । ଏପଟେ ମୁକ୍ତିକାନ୍ତଙ୍କ ପାଇଁ ପ୍ରଥମ ଥର ସାମ୍ନାକୁ ଆସିଥିଲା ବିଜେଡି । ବିଜେଡି କହିଛି କି, ଯଦି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟେ, ସେଥିପାଇଁ ବିଜେପି ଦାୟୀ ରହିବ । ସେହିପରି ବିଜେପି ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ସୋସିଆଲ ମିଡିଆରେ ମୁକ୍ତିକାନ୍ତଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ମୁକ୍ତିକାନ୍ତଙ୍କ ପଦଯାତ୍ରାକୁ ପ୍ରାୟୋଜିତ କହୁଥିବା ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ଦିଲ୍ଲୀପ । ସେ କହିଛନ୍ତି କାହାକୁ ଟଙ୍କା ଦେଇ ଏତେ ବାଟ ପଦଯାତ୍ରା କରାଇବା ଅସମ୍ଭବ । ରାହୁଲ ଗାନ୍ଧୀଙ୍କ ଇସାରାରେ ପଦଯାତ୍ରା ହୋଇଥିବା ନେଇ ଗତକାଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

ରାଉରକେଲାର ଏହି ଯୁବକଙ୍କୁ ନେଇ ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ସରଗରମ ହୋଇଛି ରାଜନୀତି । ମୋଦି ଓ ତାଙ୍କ ମନ୍ତ୍ରୀଙ୍କ ଚିନ୍ତା ବଢାଇ ଦେଇଛନ୍ତି ମୁକ୍ତିକାନ୍ତ । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ଓ ରାଉରକେଲା ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହା ପୂରଣ ନହେବାରୁ ପାଖାପାଖି ୧୬୦୦ କିଲୋମିଟର ପଦଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଦିଲ୍ଲୀରେ ପହଁଚିଥିଲେ ମୁକ୍ତିକାନ୍ତ । କିନ୍ତୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ମୁକ୍ତିକାନ୍ତ ଭେଟିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଭେଟ କରାଇବାକୁ ସେ ସିଧାସଳଖ ମନା କରି ଦେଇଥିଲେ । ଏହାଛଡ଼ା ମୁକ୍ତିକାନ୍ତଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ସମର୍ଥନ କରିଛନ୍ତି । ତେଣୁ ମୁକ୍ତିକାନ୍ତଙ୍କୁ ଉଠାଇ ନେବା ପରେ ଏବେ ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଦେଖିବାକୁ ମିଳିଛି ।