ନାଗରିକତା ସଂଶୋଧନ ବିଲକୁ ଖୋଲା ଚ୍ୟାଲେଞ୍ଜ ଦେଲେ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ନବୀନଙ୍କ ଆଶ୍ୱସନା ଭୟଭୀତ ହେବାର କାରଣ ନାହିଁ ।

1,327

କନକ ବ୍ୟୁରୋ : ନାଗରିକତା ସଂଶୋଧନ ବିଲ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସିଏବିକୁ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ସେମାନେ ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଓ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ । ଏହି ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ନାଗରିକତା ସଂଶୋଧନ ବିଲ-୨୦୧୯କୁ ଅଣସାମ୍ବିଧାନିକ କହି ଲାଗୁ କରିବାକୁ ମନା କରିଛନ୍ତି । ସିଏବି ଆଇନର ରୁପ ନେବା ପରେ ସମ୍ବିଧାନ ଅନୁସାରେ ଏହା ଏବେ ସାରା ଦେଶରେ ଲାଗୁହେବା କଥା । ହେଲେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ନାଗରିକତା ସଂଶୋଧନ ବିଲକୁ ବିରୋଧ କରିବାରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସେହିପରି ମୋଦିଙ୍କ ଘୋର ବିରୋଧୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଧର୍ମ ଅଧାରରେ ନାଗରିକତା କାହଁକି? ସେ ଏହି ବିଲକୁ ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଛନ୍ତି ମମତା । ଗୁରୁବାର କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି, ଅଣସାମ୍ବିଧାନିକ ନାଗରିକତା ସଂଶୋଧନ ବିଲ-୨୦୧୯ର ସ୍ଥାନ କେରଳରେ ନାହିଁ । ସେହିପରି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର କହିଛନ୍ତି ନାଗରିକତା ସଂଶୋଧନ ବିଲ ଦେଶର ଧର୍ମନିରପେକ୍ଷ ଚରିତ୍ରର ବିରୋଧୀ । ତେଣୁ ପଂଜାବରେ ସିଏବି ଲାଗୁ ହେବ ନାହିଁ । ବିଧାନସଭାରେ ଯଥେଷ୍ଠ ସଂଖ୍ୟା ଥିବାରୁ ସିଏବିକୁ ବିରୋଧ କରିବେ କହିଛନ୍ତି ଅମରିନ୍ଦର । ଅନ୍ୟପଟେ ଏକ ଜାତୀୟ ଗଣମାଧ୍ୟମକୁ କେନ୍ଦ୍ର ଗୃହମନ୍ତ୍ରାଳୟର ଏକ ବରିଷ୍ଠ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଇନରେ ପରିଣତ ହୋଇଥିବା ବିଲକୁ ବିରୋଧ କରିବା କ୍ଷମତା ରାଜ୍ୟ ସରକାରଙ୍କ ପାଖରେ ନାହିଁ ।

ଅନ୍ୟପଟେ ନାଗରିକତା ସଂଶୋଧନ ବିଲ ଆଇନରେ ପରିଣତ ହେବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସଂଖ୍ୟାଲଘୁ ସଂପ୍ରଦାୟର ନେତା । ନୂଆ ଆଇନକୁ ନେଇ ସଂଖ୍ୟାଳଘୁ ସଂପ୍ରଦାୟ ମଧ୍ୟରେ ଅନେକ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ଭଦ୍ରକ, ବାଲେଶ୍ୱର ଓ ଯାଜପୁରର ମୁସଲମାନ ସଙ୍ଗଠନର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ଭାବ୍ୟ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ସିଏବି ଓ ଏନଆରସି ବିଲକୁ ନେଇ ଏହି ଆଲୋଚନା ହୋଇଥିଲା । ତେବେ ରାଜ୍ୟରେ ମୁସଲମାନଙ୍କ କୌଣସି ଅସୁବିଧା ହେବନାହିଁ ବୋଲି ନବୀନ ଆଶ୍ୱସନା ଦେଇଛନ୍ତି ।

ସଂସଦରେ ନାଗରିକତା ସଂଶୋଧନ ବିଲ ପାସ ହେବା ପରେ, ଆସାମ ଓ ଅନ୍ୟ ଉତରପୂର୍ବ ରାଜ୍ୟରେ ନିଆଁ ଜଳୁଥିବାବେଳେ ଏପଟେ ଓଡିଶାରେ ଏହି ବିଲକୁ ନେଇ ମୁସଲିମ ସଂପ୍ରଦାୟ ମଧ୍ୟରେ ଆଶଙ୍କା ବଢିଯାଇଛି । ଭଦ୍ରକ, ବାଲେଶ୍ୱର ଓ ଯାଜପୁରର ମୁସଲିମ ସଂପ୍ରଦାୟର ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ନବୀନ ସବୁ ଶୁଣିଛନ୍ତି ଏବଂ ମୁସଲିମ ସଂପ୍ରଦାୟ ଭୟବିତ ନ ହେବାକୁ ଅଭୟବାଣୀ ଶୁଣାଇଛନ୍ତି ।

ସାକ୍ଷାତ ବେଳେ ନବୀନ ଏନଆରସି ବା ଜାତୀୟ ନାଗରିକତା ପଂଜିକରଣ ଓଡିଶାରେ ଲାଗୁ ହେବ ନାହିଁ ବୋଲି ଆଶ୍ୱାସନା ଦେଇଥିବା ମୁସଲିମ ନେତାମାନେ କହିଛନ୍ତି । କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇନାହିଁ । ସଂସଦରେ ବିଜେଡି ନାଗରିକତା ସଂସୋଧନ ବିଲକୁ ସମର୍ଥନ କରିଛି । ଏହି ବିଲରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ଛଅଟି ଧର୍ମର ଶରଣାର୍ଥୀକୁ ନାଗରିକତା ଦିଆଯିବ । କିନ୍ତୁ ସେଥିରେ ମୁସଲମାନ ସଂପ୍ରଦାୟକୁ ବାଦ ଦିଆଯାଇଛି, ଯେଉଁଥିପାଇଁ ବିବାଦ ଦେଖାଦେଇଛି ।