ଯାଜପୁରର ରବୀନ୍ଦ୍ର ନାୟକ ହତ୍ୟାକାଣ୍ଡର ଚାଂଚଲ୍ୟକର ତଥ୍ୟ : ୪୦ ଟଙ୍କା ପାଇଁ ଘଟିଥିଲା ଘଟଣା

43

କନକ ବ୍ୟୁରୋ : ଗୋଟିଏ ଜୀବନର ମୂଲ୍ୟ ଏତେ ଶସ୍ତା ହୋଇପାରେ କହିଲେ ହୁଏତ କେହି ବିଶ୍ୱାସ କରିବେ ନାହିଁ, କିନ୍ତୁ ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଅବଦଲପୁର ଗାଁରେ । ଯେଉଁଠି ମାତ୍ର ୪୦ ଟଙ୍କା ପାଇଁ ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି, ଆଉ ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତଦେହକୁ ପୋଡ଼ି ଦିଆଯାଇଛି । ଗତ ୨୧ ତାରିଖରେ ଘଟିଥିବା ରବିନ୍ଦ୍ର ନାୟକ ହତ୍ୟା ଘଟଣାର ପର୍ଦାଫାସ କରିଛି ପୁଲିସ ।

ପୁଲିସ ସୂଚନା ଅନୁସାରେ ମୃତ ରବିନ୍ଦ୍ର ନାୟକ, ଅଭିଯୁକ୍ତ ଦୀପକ ପତିଙ୍କ ଅଟୋରେ ଯାଇ ଭଡ଼ା ବାବଦକୁ ୫୦ ଟଙ୍କା ବଦଳରେ ୧୦ ଟଙ୍କା ଦେଇଥିଲେ । ଆଉ ବଳକା ୪୦ ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ରବିନ୍ଦ୍ର ନାୟକଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟର ଉଦ୍ୟମ କରିଥିଲେ ଦୁଇ ଜଣ ଅଭିଯୁକ୍ତ ।

ଘଟଣାରେ ଏବେ ବି ଜଣେ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ବେଳେ ଘଟଣା ଉପରୁ ପରଦା ଉଠାଇଛି ପୁଲିସ୍ । କିନ୍ତୁ ପରିବାର ଏବଂ ସଂପର୍କୀୟଙ୍କ ଅଭିଯୋଗ ହେଲା-ଅପରାଧୀଙ୍କୁ ଖସାଇ ଦେବା ପାଇଁ ଏଭଳି କାହାଣୀ କହୁଛି ପୁଲିସ୍ । ମାତ୍ର ୪୦ ଟଙ୍କା ପାଇଁ ଜଣେ ଆଉ ଜଣଙ୍କ ଜୀବନ ବି ନେଇପାରେ ଯାଜପୁରର ଏହି ଘଟଣା ତାହା ହିଁ ପ୍ରମାଣ କରୁଛି । ଯାହା ଏବେ ସମଗ୍ର ଅଂଚଳରେ ଚାଂଚଲ୍ୟ ଖେଳାଇଦେଇଛି ।