କନକ ବ୍ୟୁରୋ : ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ତଥା ବିଶ୍ୱ କ୍ରିକେଟ ଜଗତର ଶ୍ରେଷ୍ଠ ବୋଲର ମୁଥେୟା ମୁରଲୀଧରନ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଏବେ ବ୍ୟବସାୟ ସହ ଜଡିତ ଅଛନ୍ତି । ଜଣେ ସଫଳ ବ୍ୟବସାୟ ରୂପେ ଏବେ ଜଣାଶୁଣା ମୁରଲୀଧରନ । ଶ୍ରୀଲଙ୍କାରେ ତାଙ୍କର ବ୍ୟବସାୟ ଥିବା ବେଳେ ଏବେ ଏହାକୁ ଭାରତକୁ ପରିବ୍ୟାପ୍ତ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ମୁରଲୀଧରନ । ଏବେ ଭାରତରେ ନିଜର ଫ୍ୟାକ୍ଟି ଖୋଲିବାକୁ ଯାଉଛନ୍ତି ଶ୍ରୀଲଙ୍କାର ଏହି ପୂର୍ବତନ କ୍ରିକେଟର । କର୍ଣ୍ଣାଟକର ଧାରବାଡରେ ଏହି ଫ୍ୟାକ୍ଟ୍ରି ନିର୍ମାଣ କରିବାକୁ ଜମି ଦେଖି ସାରିଲେଣି ମୁରଲୀଧରନ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମୁଥେୟା ମୁରଲୀଧରନଙ୍କ ସିଲୋନ ବିଭରେଜ କେନ୍ ପ୍ରାଇଭେଟ୍ ଲିମିଟେଡ ନାମକ କମ୍ପାନି ଏହି ଫ୍ୟାକ୍ଟ୍ରି ଭାରତରେ ବସାଇବାକୁ ଯାଉଛି । ଏହି କମ୍ପାନି ଆଲୁମିନିୟମ କେନ୍ ନିର୍ମାଣ କରେ । ଯଦି ସବୁକିଛି ଠିକ୍ ଚାଲେ ତେବେ ଆସନ୍ତା ୨ରୁ ୩ ମାସ ମଧ୍ୟରେ ଏହି ଫ୍ୟାକ୍ଟ୍ରି ନିର୍ମାଣ କାମ ଆରମ୍ଭ ହୋଇପାରେ । ମୁଥେୟାଙ୍କ କମ୍ପାନି ଏହି ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ସରକାରଙ୍କୁ ୨୬ ଏକର ଜମି ଯୋଗାଇଦେବାକୁ ପ୍ରସ୍ତାବ ଦେଇଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।
ଏହି ପ୍ରୋଜେକ୍ଟରେ ୪୪୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା କରିଛନ୍ତି ମୁରଲୀଧରନ । ସବୁଠୁ ବଡ କଥା ହେଲା, ଏହି ଫ୍ୟାକ୍ଟ୍ରି ନିର୍ମାଣ ଦ୍ୱାରା ୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ । ମୁରଲୀଧରନ କ୍ରିକେଟରୁ ସନ୍ୟାସ ନେବା ପରେ ଦୀର୍ଘ ବର୍ଷ ହେବ ବିଭରେଜ କମ୍ପାନି ସହ ଜଡିତ ଅଛନ୍ତି । ଏବେ ଅର୍ନ୍ତଜାତୀୟ ବଜାରରେ ବିଭରେଜ କେନର ଯଥେଷ୍ଟ ଅଧିକ ଚାହିଦା ରହିଛି । ଯେହେତୁ ଭାରତ ଏବେ ବ୍ୟବସାୟ ପାଇଁ ବଡ ବଜାର ପାଲଟିଛି ତେଣୁ ଏଠାରେ ବିଭରେଜ କେନ୍ ଫ୍ୟାକ୍ଟ୍ରି ଖୋଲିବାକୁ ମୁରଲୀଧରନ ଚିନ୍ତା କରିଥିଲେ । ମୁରଲୀଧରନଙ୍କ ଭାରତ ସହ ସମ୍ପର୍କ ବେଶ ପୁରୁଣା । କ୍ରିକେଟ ଖେଳିବା ସମୟରୁ ଆରମ୍ଭ କରି କ୍ରିକେଟରୁ ସନ୍ୟାସ ନେବା ପରେ ମଧ୍ୟ ମୁରଲୀଧରନ ଭାରତକୁ ଅନେକ ବାର ଆସିଛନ୍ତି । ଏପରିକି ଆଇପିଏଲରେ ମଧ୍ୟ ମୁରଲୀଧରନଙ୍କୁ ମେଣ୍ଟର ଭୂମିକାରେ ଦେଖିବାକୁ ମିଳିଛି । ତେଣୁ ଅଧିକାଂଶ ସମୟ ଭାରତରେ ରହୁଥିବା ମୁରଲୀଧରନ ଭାରତରେ ବ୍ୟବସାୟ ପାଇଁ ଉପଯୁକ୍ତ ବାତାବରଣ ଥିବା ଅନୁଭବ କରିଥିଲେ । ଯେଉଁଥିପାଇଁ ଭାରତରେ ଫ୍ୟାକ୍ଟ୍ରି ବସାଇବାକୁ ନିଷ୍ପତ୍ତି ନେଇଛନ୍ତି ମୁରଲୀଧରନ ।
ଅର୍ନ୍ତଜାତୀୟ କ୍ରିକେଟରେ ମୁଥେୟା ମୁରଲୀଧରନ ବେଶ ପ୍ରଭାବୀ ପ୍ରଦର୍ଶନ କରି ଆସିଛନ୍ତି । ଟେଷ୍ଟ କ୍ରିକେଟର ୮୦୦ ୱିକେଟ ହାତେଇଥିବା ବେଳେ ଦିନିକିଆରେ ୫୩୪ ୱିକେଟ ହାସଲ କରିଛନ୍ତି ମୁରଲୀଧରନ । ଉଭୟ ଟେଷ୍ଟ ଓ ଦିନିକିଆରେ ବିଶ୍ୱର ଶ୍ରେଷ୍ଠ ବୋଲର ଭାବେ ପରିଗଣିତ ହୋଇ ଆସୁଛନ୍ତି ମୁରଲୀଧରନ । ସେହିଭଳି ଖୁବ୍ କମ ଟି-୨୦ ମ୍ୟାଚ୍ ଖେଳିଛନ୍ତି ମୁରଲୀଧରନ । ଶ୍ରୀଲଙ୍କା ପକ୍ଷରୁ ଟି-୨୦ରେ ୧୨ଟି ମ୍ୟାଚରୁ ୧୩ଟି ୱିକେଟ ହାସଲ କରିଥିବା ମୁରଲୀଧରନ ଆଇପିଏଲରେ ୬୬ଟି ମ୍ୟାଚରୁ ୬୩ଟି ୱିକେଟ ହାତେଇଛନ୍ତି ।
Follow Us