ମୁମ୍ବାଇ ଏଲଫିନଷ୍ଟେନ ଷ୍ଟେସନ ଦଳାଚକଟା ଘଟଣା ପରେ ତତ୍ପର ରେଳ ମନ୍ତ୍ରାଳୟ !

36

କନକ ବ୍ୟୁରୋ : ମୁମ୍ବାଇ ଏଲଫିନଷ୍ଟେନ ଷ୍ଟେସନ ଦଳାଚକଟା ଘଟଣା ପରେ ତତ୍ପର ହୋଇଛି ରେଳ ମନ୍ତ୍ରାଳୟ । ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କ ଅଧ୍ୟକ୍ଷତାରେ ବସିଛି ରେଲୱେ ବୋର୍ଡର ଉଚ୍ଚସ୍ତରୀୟ ବୈଠକ । ଏଥିରେ ଜିଏମ, ଡିଆରଏମ, ପେସେଞ୍ଜର ସେଫଟି ଅଫିସର ସହ ରେଲୱେ ବୋର୍ଡର ଅଧିକାରୀ ସାମିଲ ହୋଇଥିଲେ । ବୈଠକରେ ରେଲବାର ୧୫୦ ଶହ ବର୍ଷ ପୁରୁଣା ନିୟମ ପରିବର୍ତ୍ତନ କରିବାକୁ ନିଷ୍ପତି ନିଆଯାଇଛି । ରେଲବାଇର ୨ଶହ ଅଧିକାରୀଙ୍କୁ ହେଡକ୍ୱାର୍ଟରରୁ ଫିଲ୍ଡ ଡ୍ୟୁଟିରେ ନିୟୋଜିତ କରିବାକୁ ନିଷ୍ପତି ହୋଇଛି । ଯାହା ଫଳରେ ଗ୍ରାଉଣ୍ଡ ଅପରେସନକୁ ମଜବୁତ କରାଯିବା ସହ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରାଯାଇପାରିବ । ଏଥିସହ ଆସନ୍ତା ୧୫ ମାସ ଭିତରେ ମୁମ୍ବାଇ ଉପନଗରୀର ଟ୍ରେନରେ ମନିଟରିଂ ବ୍ୟବସ୍ଥା ସହ ସିସିଟିଭି କ୍ୟାମେରା ଲଗାଯିବ । ରେଲୱେର ସୁରକ୍ଷା ଓ ଦକ୍ଷତା ବଢାଇବା ପାଇଁ ମୁମ୍ବାଇର ୮ଟି ୟାର୍ଡ ସହ ଭାରତର ୪୦ଟି ୟାର୍ଡକୁ ଅପଗ୍ରେଡ କରାଯିବ । ଏଥିପାଇଁ ଏକ ହଜାର କୋଟି ଟଙ୍କାର ନିବେଶ କରାଯିବାକୁ ନିଷ୍ପତି ନିଆଯାଇଛି । ଏହାଛଡା ମୁମ୍ବାଇର ଗହଳିପୂର୍ଣ୍ଣ ଷ୍ଟେସନଗୁଡିକରେ ଅତିରିକ୍ତ ଏକ୍ସଲେଟର ଲଗାଇବାକୁ ମଂଜୁରୀ ଦିଆଯାଇଛି ।

ଏଲଫିନଷ୍ଟେନ ଷ୍ଟେସନ ଦୁର୍ଘଟଣାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଏଥିପାଇଁ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଏଭଳି ମିଛ କହୁଥିବା ପ୍ରଧାନମନ୍ତ୍ରୀ କେବେ ଦେଖି ନାହାନ୍ତି । ରେଳ ଷ୍ଟେସନର ନାମ ବଦଳାଇ ଦେଲେ ସମସ୍ୟା ସୁଧୁରି ଯାଏ ନାହିଁ । ମୋଦି ଗୁଜରାଟରେ ବୁଲେଟ ଟ୍ରେନ ତିଆରି କରନ୍ତୁ, ମୁମ୍ବାଇରେ ବୁଲେଟେ ଟ୍ରେନର ଗୋଟିଏ ବି ଇଟା ରଖେଇ ଦେବେ ନାହିଁ ବୋଲି ଧମକ ଦେଇଛନ୍ତି ରାଜ ଠାକରେ । ସେହିପରି ଶିବସେନାକୁ ମଧ୍ୟ ଟାର୍ଗେଟ କରିଛନ୍ତି ରାଜ ଠାକରେ । ଯଦି ବିଜେପି କାମ କରିବାକୁ ଦେଉ ନାହିଁ, ତେବେ ସରକାରରୁ ଶିବସେନା କାହିଁକି ସମର୍ଥନ ପ୍ରତ୍ୟାହାର କରୁନାହିଁ ବୋଲି ରାଜ ପ୍ରଶ୍ନ କରିଛନ୍ତି । ଏଥିସହ ସେ ଘୋଷଣା କରିଛନ୍ତି ଆସନ୍ତା ୫ତାରିଖରେ ଚର୍ଚ୍ଚଗେଟ ଠାରୁ ଏମଏନଏସ ବିକ୍ଷୋଭ ଶୋଭାଯାତ୍ରା ବାହାର କରିବ ।