ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଅତର୍କିତ ଗୁଳିମାଡ । ଗ୍ୟାସ ମାସ୍କ ପିନ୍ଧି ଅତର୍କିତ ଗୁଳି ଚଳାଇଲା ଦୁବୃର୍ତ୍ତ, ଷ୍ଟେସନ ଭିତରେ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି ଲୋକେ ।

135

କନକ ବ୍ୟୁରୋ : ନ୍ୟୁୟର୍କରେ ଫୁଟିଲା ଗୁଳି । ଜଣେ ଦୁବୃର୍ତ୍ତ ଅଚାନକ ବ୍ରୁକଲିନ ସବୱେ ଷ୍ଟେସନରେ ଗୁଳିମାଡ କରିଛନ୍ତି । ଆଉ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଅତର୍କିତ ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିବା କୁହାଯାଉଛି । ଏପରିକି ଅନେକ ଲୋକ ଗୁଳିମାଡରେ ଆହତ ହୋଇଥିବା ସୂଚନା ମିଳିଛି ।

ଦ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ,  ୫ ଜଣ ଲୋକ ଗୁଳିମାଡର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳଟି ଏବେ ପୂରା ଧୂଆଁମୟ ହୋଇପଡିଛି । ଏହି ଘଟଣା ପରେ ପୋଲିସ ଉକ୍ତ ଦୁବୃର୍ତ୍ତଙ୍କୁ ଧରିବାକୁ ଅଭିଯାନ ଆରମ୍ଭ କରିଛି । ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ, ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ମେଟ୍ରୋର ନିର୍ମାଣ ଶ୍ରମିକ ବେଶରେ ଆସିଥିଲେ ଏବଂ ମୁହଁରେ ଗ୍ୟାସ ମାସ୍କ ପିନ୍ଧିଥିଲେ । ଏବେ ପୋଲିସ ସିସିଟିଭି ଆଧାରରେ ଦୁବୃର୍ତ୍ତଙ୍କୁ ଖୋଜିବା ଆରମ୍ଭ କରିଛି । ତେବେ ଏହା ପଛରେ ଆତଙ୍କବାଦୀଙ୍କ ହାତ ରହିଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ମିଳିଥିବା ସୂଚନା ମୁତାବକ, ଏବେ ସୁଦ୍ଧା ଏହି ଘଟଣାରେ ୧୩ ଜଣ ଲୋକ ଆହତ ହୋଇଛନ୍ତି ଏବଂ ସମସ୍ତ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାଛଡା ନ୍ୟୁୟର୍କ ସହରରେ ମେଟ୍ରୋ ସେବାକୁ ମଧ୍ୟ ବନ୍ଦ କରାଯାଇଛି । ଆମେରିକାର ସମୟ ସକାଳ ୮ଟାରେ ଏଭଳି ଆକ୍ରମଣ ହୋଇଛି । ଏହି ସମୟରେ ଅଧିକାଂଶ ଲୋକ ମେଟ୍ରୋରେ ଯାତ୍ରା କରନ୍ତି ଓ ଷ୍ଟେସନରେ ଅଧିକ ଭିଡ ମଧ୍ୟ ରହିଥାଏ । ଯାହାର ଫାଇଦା ଆକ୍ରମଣକାରୀ ନେଇଥିବା କୁହାଯାଉଛି । ଆକ୍ରମଣ ପରେ ଷ୍ଟେସନରେ ରକ୍ତାକ୍ତ ଅବସ୍ଥାରେ ଅନେକ ଲୋକ ପଡିଥିବାର ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଷ୍ଟେସନରୁ କିଛି ବିସ୍ଫୋଟକ ମଧ୍ୟ ଜବତ କରାଯାଇଛି । ଆଉ ଏହା ସଂକେତ ଦେଉଛି ଏକ ବଡ ଧରଣର ଆକ୍ରମଣ କରିବାକୁ ଯୋଜନା ହୋଇଥିଲା ।