କନକ ବ୍ୟୁରୋ: ମୁଲାୟମ ସିଂଙ୍କ ରାଜନୈତିକ ଯାତ୍ରା ବେଶ୍ ରୋଚକ । ଯୁବାବସ୍ଥାରେ କୁସ୍ତିରେ ଆଗ୍ରହ ରଖୁଥିବା ମୁଲାୟମ ରାଜନୀତିକୁ ଆସିବା ପୂର୍ବରୁ ଶିକ୍ଷକତା କରୁଥିଲେ । ୧୯୬୭ରେ ସେ ସୋସିଆଲିଷ୍ଟ ପାର୍ଟି ଟିକେଟରେ ସର୍ବକନିଷ୍ଠ ବିଧାୟକ ଭାବେ ନିଜ ରାଜନୈତିକ ଯାତ୍ରା ଆରମ୍ଭ କଲେ । ଜୀବନ କାଳ ଭିତରେ ଅନେକ ପ୍ରତିକୂଳ ସ୍ଥିତିକୁ ସାମ୍ନା କରିଥିଲେ ବି ରାଜନେତା ଭାବେ ତାଙ୍କର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଥିଲା ।
ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ରୋଗାକ୍ରାନ୍ତ ହୋଇ ଚିକିତ୍ସ।।ଧିନ ହେଉଥିବାବେଳେ ତାଙ୍କର ପରଲୋକ ହୋଇଛି । ମୁଲାୟମ ଉତ୍ତରପ୍ରଦେଶ ରାଜନୀତିର ଏପରି ଜଣେ ପୁରୋଧା ଥିଲେ ଯିଏ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟରେ ନିଜ ଶାସନର ଛାପ ଛାଡିଯାଇଛନ୍ତି ।
୧୯୮୯ ବିଧାନସଭା ନିର୍ବାଚନରେ ଜନତା ଦଳର ବିଜୟ ପରେ ଚୌଧୁରୀ ଅଜିତ ସିଂ ୟୁପିର ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା ହୋଇସାରିଥିଲା । ହେଲେ ମୁଲାୟମ ସିଂ ଏପରି ଖେଳ ଖେଳିଲେ ଯେ, ପଶା ପୁରା ଓଲଟିଗଲା । ଅଜିତ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଭାଙ୍ଗିଗଲା ଆଉ ଚାହୁଁ ଚାହୁଁ ମୁଲାୟମ ସିଂ ୟୁପିର ମୁଖ୍ୟମନ୍ତ୍ରୀ ବନିଗଲେ । ଦୀର୍ଘଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ତାଙ୍କ ପୁଅ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ।
ସେ ସମୟରେ କେନ୍ଦ୍ରରେ ଜନତା ଦଳ ସତ୍ତାରେ ଥିଲା । ବିଶ୍ୱନାଥ ପ୍ରତାପ ସିଂହ ପ୍ରଧାନମନ୍ତ୍ରୀ ଥିଲେ । ୟୁପିରେ ପାର୍ଟିର ବିଜୟ ସହ ଚୌଧୁରୀ ଅଜିତ ସିଂହ ୟୁପିର ମୁଖ୍ୟମନ୍ତ୍ରୀ ହେବେ ବୋଲି ଭିିପି ସିଂହ ଘୋଷଣା କରିସାରିଥିଲେ ଏବଂ ମୁଲାୟମ ସିଂ ଉପମୁଖ୍ୟମନ୍ତ୍ରୀ ହେବାର ଥିଲା । ହେଲେ ମୁଲାୟମ ସିଂ ଏହି ପଦ ପାଇଁ ରୋକଠୋକ୍ ମନା କରିଥିଲେ । ମୁଖ୍ୟମନ୍ତ୍ରୀ ଛଡା ଆଉ କୌଣସି ପଦ ତାଙ୍କର ଲୋଡା ନାହିଁ ବୋଲି କହିଥିଲେ । ତେଣୁ ଗଣତନ୍ତ୍ର ଉପାୟରେ ଏହି ସମସ୍ୟାର ସମାଧାନ କରିବାକୁ ଭିପି ସିଂହ ପ୍ରୟାସ କଲେ । ବିଧାୟକ ଦଳର ଏକ ସ୍ୱତନ୍ତ୍ର ବୈଠକ ଡକାଇ ଗୁପ୍ତ ମତଦାନ କରାଇଲେ । ଏହାପରେ ଯାହା ହେଲା ତାହା ୟୁପି ରାଜନୀତିର ସବୁଠୁ ବଡ ୟୁ ଟର୍ଣ୍ଣ ।
ଭିିପି ସିଂହଙ୍କ ଆଦେଶରେ ମଧୁ ଦଣ୍ଡବତେ, ମୁଫତି ମୋହମ୍ମଦ ସଇଦ୍, ଓ ଛିମନ୍ ଭାଇ ପଟେଲ ପର୍ଯ୍ୟବେକ୍ଷକ ଭାବେ ୟୁପି ଆସିଲେ । ମୁଲାୟମ ସିଂହଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ବୁଝାଇବାକୁ ଚେଷ୍ଟା କରଇଥିଲେ ବି ମାନିନଥିଲେ ମୁଲାୟମ । ବୁଦ୍ଧି ଖଟାଇ ବାହୁବଳି ଡିପି ଯାଦବଙ୍କ ସହାୟତରେ ଅଜିତ ସିଂଙ୍କ ଦଳରୁ ୧୧ ବିଧାୟକଙ୍କୁ ନଜ ପଟକୁ ନେଇ ଆସିଲେ ମୁଲାୟମ । ଏଥିରେ ତାଙ୍କର ଘନିଷ୍ଠ ସହଯୋଗୀ ଥିଲେ ବେଣୀ ପ୍ରସାଦ ବର୍ମା ।
ବିଧାୟକ ଦଳ ବୈଠକ ପାଇଁ ଦ୍ୱିପହରରେ ଜନତା ଦଳର ବିଧାୟକଙ୍କ ଗାଡି ସବୁ ବିଧାନସଭା ମତଦାନ ସ୍ଥଳକୁ ଗଡିଲା । ବିଧାୟକ ସବୁ ଭିତରେ ଥିଲେ । ଦ୍ୱାର ବନ୍ଦ ଥିଲା । ବାହାରେ ମୁଲାୟମଙ୍କ ସମର୍ଥନ ଜିନ୍ଦାବାଦ ନାରା ଦେଉଥିଲେ । ସିକ୍ରେଟ୍ ଭୋଟିଙ୍ଗ ଆରମ୍ଭ ହେଲା । ଭୋଟିଙ୍ଗରେ ମୁଲାୟମ ,ଅଜିତ ସିଂଙ୍କୁ ୫ ଖଣ୍ଡ ଭୋଟରେ ମାତ୍ ଦେଲେ । ଆଉ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ବନିଗଲେ । ୧୯୮୯ ଡିସେମ୍ବର ୫ ତାରିଖରେ ମୁଲାୟମ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/3-14.jpg)