ଇଏ ପରା ରାଜନୀତି ! ବିଜେପିରେ ସାମିଲ ହୋଇପାରନ୍ତି ଅଖିଳେଶଙ୍କ ଭାଇ ବୋହୂ? 

209

କନକ ବ୍ୟୁରୋ :  ଉତ୍ତରପ୍ରଦେଶ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରଠାରୁ ଉଷ୍ମ ହୋଇଛି ଉତ୍ତରପ୍ରଦେଶ ରାଜନୀତି । ଦଳବଦଳ ରାଜନୀତି ଏବେ ଉତ୍ତରପ୍ରଦେଶରେ ଅଧିକ ଚର୍ଚ୍ଚାରେ ରହିଛି । ଆଉ ଏହି ରେସରେ ଆଗରେ ରହିଛି ସମାଜବାଦୀ ପାର୍ଟି । ଉତ୍ତରପ୍ରଦେଶରେ ଏବେ ଦଳ ଛାଡୁଥିବା ଅଧିକାଂଶ ନେତା ଏତେ ସାଇକେଲରେ ଚଢିବାକୁ ମନ ବଳାଉଛନ୍ତି । ଯାହାକୁ ନେଇ ଅଖିଳେଶ ମଧ୍ୟ ବେଶ ଖୁସି । କିନ୍ତୁ ଏସବୁ ଭିତରେ ଅଖିଳେଶଙ୍କୁ ବଡ ଝଟକା ଦେବାକୁ ଯାଉଛନ୍ତି ତାଙ୍କର ଭାଇ ବୋହୂ ଅପର୍ଣ୍ଣା ଯାଦବ । ମୁଲାୟମ ସିଂଙ୍କ ସାନବୋହୂ ଅପର୍ଣ୍ଣା ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି, ଆଉ ଏଥିପାଇଁ କାଳେ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଚର୍ଚ୍ଚା ଜୋର ଧରିଛି । ଯାହା ଅଖିଳେଶଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଦଳରୁ କେହି ବାହାରି ଯାଇ ଅନ୍ୟ ଦଳରେ ମିଶିବା ଓ ପରିବାରରୁ କେହି ଛାଡି ଅନ୍ୟ ଦଳରେ ମିଶିବା ନିଶ୍ଚୟ ଅଖିଳେଶଙ୍କୁ ବ୍ୟାକଫୁଟକୁ ଠେଲିଦେବ ।

ଅପର୍ଣ୍ଣା ଯାଦବ ୨୦୧୭ରେ ସମାଜବାଦୀ ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ବିଜେପି ପ୍ରାର୍ଥୀଙ୍କ ଠାରୁ ଅପର୍ଣ୍ଣା ପରାଜିତ ହୋଇଥିଲେ ମଧ୍ୟ ପ୍ରାୟ ୬୩ ହଜାରରୁ ଅଧିକ ଭୋଟ ହାତେଇଥିଲେ । ତେଣୁ ଅପର୍ଣ୍ଣା ସେହି ଭୋଟବ୍ୟାଙ୍କ ବଳରେ ବିଜେପିରେ ସାମିଲ ହୋଇ ବିଜୟ ବାନା ଉଡାଇବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂଙ୍କ ଉପସ୍ଥି୍ତିରେ ଅପର୍ଣ୍ଣା ଆଜି ପଦ୍ମ ଧରିପାରନ୍ତି । ମୁଲାୟମଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ପତ୍ନୀ ହେଉଛନ୍ତି ଅପର୍ଣ୍ଣା । ତେଣୁ ପରିବାରରୁ କେହି ପ୍ରତିଦ୍ୱନ୍ଦ୍ୱୀ ଦଳକୁ ଯିବା ସମାଜବାଦୀ ଦଳ ପାଇଁ ଅଡୁଆ ବଢାଇପାରେ ।

ଏହାପୂର୍ବରୁ ଅନେକ ସମୟରେ ଅପର୍ଣ୍ଣା ଯାଦବ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଂଶସା କରୁଥିବାର ଦେଖିବାକୁ ମିଳିଛି । ଏପରିକି ରାମମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ୧୧ ହଜାର ଚାନ୍ଦା ଦେଇଥିଲେ ଅପର୍ଣ୍ଣା । ଏକ ସାକ୍ଷାତକାରରେ ଅପର୍ଣ୍ଣା କହିଥିଲେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଣେ ଯୋଗୀ । ସାଧୁ ସନ୍ଥଙ୍କୁ ସମ୍ମାନ ଦେବା ପାଇଁ ମୋ ପରିବାରରୁ ମୋତେ ସଂସ୍କାର ମିଳିଛି । ତେଣୁ ସେହି ହିସାବରେ ଯୋଗୀ ଆଦିତ୍ୟନାଥଙ୍କୁ ମୁଁ ସମ୍ମାନ କରେ । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ ଯୋଗୀଙ୍କୁ ସମ୍ମାନ ଦେଉଥିଲି । ଯେହେତୁ ସେ ଜଣେ ଗୋ-ପ୍ରେମୀ ତେଣୁ ତାଙ୍କ ପ୍ରତି ମୋର ସମ୍ମାନ ରହିଛି । ଏଭଳି କହି ପରୋକ୍ଷରେ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଂଶସା କରିବା ସହ ବିଜେପି ମୁହାଁ ହେଉଥିବା ନେଇ ସଂକେତ ଦେଇଥିଲେ ଅପର୍ଣ୍ଣା ।