ପ୍ରଧାନମନ୍ତ୍ରୀ ମୋଦି ଭେଟିଲେନି, ୮୦ ଦିନ ପରେ ଘରକୁ ଫେରିଲେ ମୁକ୍ତିକାନ୍ତ । ହକ୍ ପାଇବା ପାଇଁ ରାଉରକେଲା ବାସୀଙ୍କୁ ଆନ୍ଦୋଳନ କରିବାକୁ ଦେଲେ ଆହ୍ୱାନ

25

କନକ ବ୍ୟୁରୋ : ରାଉରକେଲା ଫେରିବା ପରେ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ରାଉରକେଲାର ସ୍ୱାର୍ଥ ପାଇଁ ଦିଲ୍ଲୀରେ ଲଢେଇ କରୁଥିବା ମୁକ୍ତିକାନ୍ତ ବିଶ୍ୱାଳ ଆଜି ଫେରିଆସିଛନ୍ତି । ଦୀର୍ଘ ୮୦ ଦିନ ପରେ ଘର ବାହୁଡିଛନ୍ତି ମୁକ୍ତିକାନ୍ତ । ରାଉରକେଲାରେ ପହଂଚିବା ପରେ ରେଳଷ୍ଟେସନରୁ ଏକ ଶୋଭାଯାତ୍ରାରେ ମୁକ୍ତିକାନ୍ତଙ୍କୁ ନିଆଯାଇଥିଲା ।

ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚକୁ ସୁପର ସ୍ପେଶାଲିଟି ହ୍ସପିଟାଲ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଦେବା ପାଇଁ ରାଉରକେଲାରୁ ଦିଲ୍ଲୀ ଯାଏଁ ଦୀର୍ଘ ୧୬ ଶହ କିଲୋମିଟର ପଦଯାତ୍ରା କରିଥିଲେ ମୁକ୍ତିକାନ୍ତ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଅନୁମତି ନପାଇବା ପରେ ସେ ଗତ ରବିବାରଠାରୁ ଦିଲ୍ଲୀର ଯନ୍ତରମନ୍ତରଠାରେ ଅନଶନରେ ବସିଥିଲେ । ବୁଧବାର ଦିନ ମୁକ୍ତିକାନ୍ତ ଅନଶନ ଭାଙ୍ଗିବା ପରେ ଆଜି ରାଉରକେଲା ଫେରିଛନ୍ତି । ଏହି ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ମୁକ୍ତିକାନ୍ତ । ଏପରିକି ଯେତେବେଳ ଯାଏଁ ଏହି ସମସ୍ୟାର ସମାଧାନ ହୋଇନାହିଁ ସେ ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ ବୋଲି କହିଛନ୍ତି ମୁକ୍ତିକାନ୍ତ । ଆଉ ଏଥିପାଇଁ ରାଉରକେଲା ବାସୀଙ୍କୁ ଏକାଠି ହେବାକୁ କହିଛନ୍ତି ।