ଅବସର ନେବେ କି ମୁକେଶ ଅମ୍ବାନୀ : କିଏ ଧରିବ ମଙ୍ଗ ଇଶା, ଆକାଶ ନା ଅନନ୍ତ ?

133

କନକ ବ୍ୟୁରୋ :  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନେତୃତ୍ୱ ପରିବର୍ତନ ବିଷୟରେ କଂପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି ସୂଚନା ଦେଇଛନ୍ତି । କଂପାନିର ବରିଷ୍ଠ ଅଧିକାରୀଙ୍କ ସହ ମିଶି ସେ ନିଜେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଏବଂ ଯୁବ ନେତୃତ୍ୱକୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି । ନିଜ ସମେତ ସମାନ ପିଢିର ସମସ୍ତ ବରିଷ୍ଠମାନଙ୍କଠାରୁ ନେତୃତ୍ୱ ପରବର୍ତୀ ପିଢି ଅର୍ଥାତ୍ ରିଲାଏନ୍ସ ପରିବାରର ଉଦୀୟମାନ, ପାରଦର୍ଶୀ ଓ ସୁଯୋଗ୍ୟ ଯୁବପିଢିକୁ ହସ୍ତାନ୍ତର କରିବାର ପ୍ରକୃଷ୍ଟ ସମୟ ଉପନୀତ ହୋଇଥିବା ସେ ପ୍ରକାଶ କରିଛନ୍ତି ।

ବରିଷ୍ଠମାନେ ସେମାନଙ୍କୁ ସଶକ୍ତ ଓ ଉତ୍ସାହିତ କରିବା ସହିତ ସେମାନଙ୍କ ସଫଳ ପ୍ରଦର୍ଶନରେ ଅଭିନନ୍ଦନ ଜଣାଇବାକୁ ସେ ଆହ୍ୱାନ ଦେଇଛନ୍ତି । ପରବର୍ତୀ ପିଢିର ନେତୃତ୍ୱ ନେଇ ଇଶା, ଆକାଶ ଓ ଅନନ୍ତ ଅମ୍ବାନି ରିଲାଏନ୍ସ କୁ ଆହୁରି ଉଚ୍ଚତର ପର୍ଯ୍ୟୟକୁ ନେବେ ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଥିବା ସେ କହିଛନ୍ତି । ଧୀରୁଭାଇଙ୍କ ଭଳି ସମାନ ଉତ୍ସାହ, ତେଜ, ବିପୁଳ ସମ୍ଭାବନା ସେ ମୋନଙ୍କଠାରେ ଦେଖି ପାରୁଥିବା ପ୍ରକାଶ କରଛନ୍ତି ।

ରିଲାଏନ୍ସର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନିଙ୍କ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ରିଲାଏନ୍ସ ଫାମିଲି ଡେ’କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସ୍ୱଚ୍ଛ ଓ ସବୁଜ ଶକ୍ତି କ୍ଷେତ୍ରରେ ପ୍ରବେଶ ସମେତ ଖୁଚୁରା ଓ ଟେଲିକମ୍ ବ୍ୟବସାୟ ନୂଆ ଶିଖରରେ ପହଂଚିବା ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଆଗାମୀ ଦିନରେ ଦୁନିଆର ସବୁଠୁ ଦୃଢ଼ ଓ ଲୋକପ୍ରିୟ ବହୁଦେଶୀୟ କଂପାନିରେ ପରିଣତ ହେବ । ଏଥିପାଇଁ ଯୁବପିଢିକୁ ଅଧିକ ଯୁଗାନ୍ତକାରୀ ଓ ସଫଳ ପଦକ୍ଷେପ ନେବା ସହିତ ରିଲାଏନ୍ସକୁ ଆହୁରି ଶିଖରରେ ପହଂଚାଇବା ନେଇ ଶୁଭକାମନା ଜଣାଇଛନ୍ତି ।

ଆଗାମୀ କିଛି ଦଶନ୍ଧି ବ୍ୟାପୀ ରିଲାଏନ୍ସର ଭବିଷ୍ୟତ ଅଭିବୃଦ୍ଧିର ମୂଳଦୂଆ ପକାଇବାର ବର୍ତମାନ ପ୍ରକୃଷ୍ଟ ସମୟ ଥିବା ପ୍ରକାଶ କରି ଏହି ବିପୁଳ ସୁଯୋଗର ଲାଭ ନେବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି । ୧୯୯୦ରେ ତାଙ୍କ ବାପା ଧୀରୁଭାଇ ଅମ୍ବାନି ଯେଭଳି ମୁଳଦୁଆ ସ୍ଥାପନ କରିଥିଲେ, ରିଲାଏନ୍ସର ଭବିଷ୍ୟତ ଅଭିବୃଦ୍ଧିର ମୁଳଦୁଆ ସ୍ଥାପନ କରିବା ଲାଗି ଭିତି ପ୍ରସ୍ତର ସ୍ଥାପନ କରିବାର ସମୟ ଆସିଛି । ସେ କହିଛନ୍ତି ଯେ ବର୍ତମାନର ପୋର୍ଟଫୋଲିଓ, ଅଭିବୃଦ୍ଧି ଇଂଜିନ ଓ ଦୃଢ଼ ବାଲାନ୍ସ ସିଟ୍ ଓ ଫାଇନାନ୍ସର ଉପଲବ୍ଧତା ଓ ସୁଯୋଗ ଅସୀମିତ ରହିଛି ବୋଲି ସେ କହିଛନ୍ତି । ଆମକୁ କେବଳ ଏକ ସଂସ୍ଥାର ସଂସ୍କୃତି ଗଠନ କରିବା ଉପରେ ନିଶ୍ଚିତ ରୂପେ ଗୁରୁତ୍ୱ ଦେବାକୁ ପଡ଼ିବ ଯାହା ଏହି ସୁଯୋଗକୁ ବାସ୍ତବତାରେ ପରିଣତ କରିବ ବୋଲି ସେ କହିଛନ୍ତି ।

ସେହିଭଳି ରିଲାଏନ୍ସର ସ୍ୱର୍ଣ୍ଣିମ ଦଶନ୍ଧିର ଦ୍ୱିତୀୟ ଭାଗରେ କମ୍ପାନିର ଭବିଷ୍ୟତ ଉଜ୍ଜ୍ୱଳ ରହିଥିବା ସେ ଦୃଢୋକ୍ତି କରିଛନ୍ତି । କଂପାନିର ଟେଲିକମ୍ ସଂସ୍ଥା ଜିଓ ପ୍ରାୟ ୪ ନିୟୁତରୁ ଅଧିକ ଘର ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଜିଓ ଫାଇବର ପହଂଚାଇଛିି । ଏହା ଭାରତକୁ ଦୁନିଆର ପ୍ରିମିୟର ଡିଜିଟାଲ୍ ସମାଜରେ ପରିଣତ କରିବ ବୋଲି ସେ କହିଛନ୍ତି । ମହାମାରୀ ପରେ ସ୍ୱାଭାବିକତା ଫେରୁଥିବା ବେଳେ ନୂଆ ଭାରିଅଂଟ୍ ବ୍ୟାପିବା ପରଠାରୁ ଅନିଶ୍ଚିତତାର ବାଦଲ ରହିଥିବାରୁ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନକରିବାକୁ ସେ ଆହ୍ୱାନ ଦେଇଛନ୍ତି । ମୁକେଶ ଅମ୍ବାନି କହିଛନ୍ତି ଯେ କୋଭିଡ୍ ଆମକୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଛି । ତାହା ହେଉଛି ସ୍ୱାସ୍ଥ୍ୟ ହେଉଛି ପ୍ରକୃତ ସମ୍ପଦ, ପ୍ରଥମେ ସୁରକ୍ଷା ଓ ପ୍ରଥମେ ପରିବାର । ଉତମ ସ୍ୱାସ୍ଥ୍ୟକୁ ହାସଲ କରିବା ଏବଂ ବଜାୟ ରଖିବା ଆମ ହାତରେ ରହିଛି । ସେଥିପାଇଁ ଆବଶ୍ୟକ ଉପାଦାନ ହେଉଛି ସ୍ୱାସ୍ଥ୍ୟକର ଖାଦ୍ୟ, ଉତମ ଭାବନା, ଉତମ କର୍ମ, ଯୋଗ, ପ୍ରାଣାୟାମ, କ୍ରୀଡ଼ା ଏବଂ ବ୍ୟାୟାମ ବୋଲି ସେ କହିଛନ୍ତି ।

ମହାମାରୀ ସମୟରେ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଯୋଗୁଁ ନିଜ ପିଲା, ପରିବାର ଲୋକଙ୍କ ସହ ଗୁଣାତ୍ମକ ସମୟ ବିତାଇବାର ସୁଯୋଗ ଆମକୁ ମିଳିଥିଲା । ଭବିଷ୍ୟତରେ ପ୍ରଯୁକ୍ତି ଆମକୁ ହାଇବ୍ରିଡ୍ ଓ ଭର୍ଚୁଆଲ୍ ଭାବେ କାମ କରିବାର ଆକର୍ଷଶୀୟ ଉପାୟ ପ୍ରଦାନ କରିବ । ରିଲାଏନ୍ସ ଏକ ଅତ୍ୟନ୍ତ ସଫଳ କଂପାନି ଭଳି ରିଲାଏନ୍ସ ଏକ ଖୁସିମୟ ପରିବାର ହେବା ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ଅବସରରେ ମୁକେଶ ଅମ୍ବାନି କହିଥିଲେ ।