ବଦଳିଲା ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନରେ ନାଁ : ଆଜି ଉଦଘାଟନ କରିବେ ରାଷ୍ଟ୍ରପତି; ଆସନ୍ତା ୩୧ରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ଉଦ୍ୟାନ

133

କନକ ବ୍ୟୁରୋ : ରାଷ୍ଟ୍ରପତି ଭବନ ପରିସରରେ ଥିବା ପ୍ରସିଦ୍ଧ ମୋଗଲ ଗାର୍ଡେନର ନାମ ପରିବର୍ତନ କରାଯାଇଛି । ମୋଦୀ ସରକାର ମୋଗଲ ଗାର୍ଡେନର ନାମକୁ ହଟାଇ ଅମୃତ ଉଦ୍ୟାନ ରଖିଛନ୍ତି । ଏଣିକି ରାଷ୍ଟ୍ରପତି ଭବନ ପରିସରରେ ଥିବା ଏହି ଉଦ୍ୟାନକୁ ଲୋକେ ଅମୃତ ଉଦ୍ୟାନ ନାଁରେ ଜାଣିବେ । ଶନିବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଉଦ୍ୟାନ ବର୍ଷକୁ ଥରେ ସାଧାରଣ ଜନତାଙ୍କ ପାଇଁ ଖୋଲାଯାଇଥାଏ ।

ଚଳିତ ବର୍ଷ ଜାନୁୟାରୀ ୩୧ ତାରିଖରେ ଏହି ଉଦ୍ୟାନକୁ ଦେଖିବା ପାଇଁ ଲୋକଙ୍କୁ ଛଡାଯିବ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନ ଉଦ୍ୟାନ ଉତ୍ସବ ୨୦୨୩ର ଉଦଘାଟନ କରିବେ । ସେପଟେ ମୋଗଲ ଗାର୍ଡେନ ନାଁକୁ ବଦଳାଇ ଅମୃତ ଉଦ୍ୟାନ ନାଁ ରଖିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମୀନାକ୍ଷୀ ଲେଖି କହିଛନ୍ତି, ଦେଶର ଅମୃତ ମହୋତ୍ସବ ଚାଲିଥିବା ବେଳେ ଗୁଲାମୀର ସବୁ ପ୍ରତୀକକୁ ହଟାଇବାକୁ ସରକାର ଉଦ୍ୟମ କରୁଛନ୍ତି ।

ଏହି କ୍ରମରେ ମୋଗଲ ଗାର୍ଡେନର ନାଁକୁ ହଟାଇ ଅମୃତ ଉଦ୍ୟାନ ରଖିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ସେପଟେ କଂଗ୍ରେସ ନାଁ ପରିବର୍ତନକୁ ତୀବ୍ର ସମାଲୋଚନା କରିିଛି । କଂଗ୍ରେସ ନେତା ରଶିଦ ଅଲୀଭ ମୋଦୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ନାଁ ବଦଳାଇବା କ’ଣ ବିକାଶ କାମ । ଏହା ବିଜେପି ସରକାରର ସଙ୍କୀର୍ଣ୍ଣ ମାନସିକତାକୁ ଦର୍ଶାଉଥିବା କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ।