କରୋନା ଯୋଗୁଁ ଛେରାପହଁରା କରିବା ପାଇଁ ଆସିଲେନି ଗଜପତି । ପ୍ରତିନିଧି ଭାବେ ନୀତି ସମ୍ପାଦନ କଲେ ମୁଦିରସ୍ତ ସେବାୟତ ।

154

କନକ ବ୍ୟୁରୋ : ଗତ ବର୍ଷ ରଥଯାତ୍ରା ଭଳି ଏବର୍ଷ ସ୍ନାନଯାତ୍ରାରେ ଛେରାପହଁରା କରିନାହାନ୍ତିି ଗଜପତି । ପରମ୍ପରା ଅନୁସାରେ ଗଜପତିଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ସେବାୟତ ନୀତି ସଂପାଦନ କରିଛନ୍ତି । କୋଭିଡ୍ ନିୟମ ମାନି ଛେରାପହଁରା କରିବାକୁ ଆସିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ପୂର୍ବରୁ ଚିଠିଲେଖି ଜଣାଇ ଦେଇଥିଲେ ଗଜପତି । ତେଣୁ ଗଜପତିଙ୍କ ସ୍ଥାନରେ ନାରାୟଣ ମୁଦିରସ୍ତ ସେବା କରିଛନ୍ତି ।

ଠିକ୍ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଜପତି ମହାରାଜଙ୍କ ଅନୁସ୍ଥିତିରେ ଗଜପତିଙ୍କ ସେବା କରିଛନ୍ତି ମୁଦିରସ୍ତ । ମହାପ୍ରଭୁଙ୍କ ସ୍ନାନମଣ୍ଡପରେ ଛେରାପହଁରା କରିବା ସହ ଗଜପତିଙ୍କ ସ୍ଥାନରେ ନାରାୟଣ ମୁଦିରସ୍ତ ସେବା କରିଛନ୍ତି । ଗତବର୍ଷ ନାରାୟଣ ମୁଦିରସ୍ତଙ୍କ ବଡ଼ ଭାଇ ଆଦିତ୍ୟ ମୁଦିରସ୍ତ ଏହି ସେବା କରିଥିବା ବେଳେ ଏଥର ନାରାୟଣଙ୍କୁ ସେବାର ସୁଯୋଗ ମିଳିଛି ।

ଶହ ଶହ ବର୍ଷର ଶ୍ରୀମନ୍ଦିର ପରମ୍ପରା ସହ ଜଡ଼ିତ ହୋଇ ରହିଛି ମୁଦିରସ୍ତ ସେବା । ଏହି ସେବା ପରମ୍ପରା ଯେତେ ବିରଳ, ସେତେ ଗୁରୁତ୍ୱପୂର୍ଣ୍ଣ । ଏହି ବଂଶାନୁକ୍ରମିକ ସେବା, ନାବାଳକ ବୟସରେ କରିଥାନ୍ତି ସେବାୟତ । ଯିଏ ଗଜପତିଙ୍କ ଅନୁପସ୍ଥିତିରେ ଗଜପତିଙ୍କ ସେବା ଓ ଦାୟିତ୍ୱ ତୁଳାଇଥାନ୍ତି ।

ନାରାୟଣଙ୍କ ପରିବାରରୁ ତାଙ୍କର ଦାଦା ପଦ୍ମନାଭ ମୁଦିରସ୍ତ ୧୯୭୬ ମସିହାରେ ଏଭଳି ସେବା କରିଥିଲେ । ସେତେବେଳେ ଗଜପତି ବିଦେଶରେ ଥିବାରୁ ରଥ ଉପରେ ପଦ୍ମନାଭ ମହାପ୍ରଭୁଙ୍କ ଛେରାପହଁରା କରିଥିଲେ । ଆଉ ଗତବର୍ଷ ଆଦିତ୍ୟ ମୁଦିରସ୍ତ ଏହି ସେବା କରିଥିଲେ । କିନ୍ତୁ ଏବର୍ଷ ସେ ସାବାଳକ ହୋଇସାରିଥିବାରୁ ଏହି ସେବା ତୁଳାଇ ପାରିନାହାନ୍ତି । ତାଙ୍କ ବଦଳରେ ସାନ ଭାଇ ନାରାୟଣ ମୁଦିରସ୍ତଙ୍କୁ ଗଜପତି କରୁଥିବା ସେବା କରିବାକୁ ସୁଯୋଗ ମିଳିଛି ।