ଏବେ MSP ଲଢେଇ ରାଷ୍ଟ୍ରପତିଙ୍କ ଦ୍ୱାରରେ ! ଧାନର MSP ମୁଲ୍ୟ ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବ ବିଧାନସଭା ଗୃହ କମିଟି ।

35

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବ ବିଧାନସଭା ଗୃହ କମିଟି । ପ୍ରଧାନମନ୍ତ୍ରୀ ଏ ସଂପର୍କରେ ଉତ୍ତର ନଦେବା ପରେ ଏଭଳି ନିଷ୍ପତ୍ତି ନେଇଛି ବିଧାନସଭାର ଗୃହ କମିଟି । ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରରେ ଅନୁଷ୍ଠିତ ଗୃହ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନିକଟରେ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କାରୁ ୧୭୫୦ ଟଙ୍କାକୁ ବୃଦ୍ଧି କରିଥିଲେ ସୁଦ୍ଧା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ହେବା ଉଚିତ ବୋଲି ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ।

ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଗୃହ କମିଟି ପୂର୍ବରୁ ସମୟ ମାଗିଥିଲା । ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ଉତ୍ତର ମିଳିନଥିବାରୁ ରାଷ୍ଟ୍ରପତିଙ୍କୁ ସାକ୍ଷାତ ପାଇଁ ସମୟ ମଗାଯିବ ବୋଲି ଆଜି ବୈଠକ ପରେ ଗୃହ କମିଟିର ସଦସ୍ୟ ତଥା ପୂର୍ବତନ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା କହିଛନ୍ତି । ଆଜିର ବୈଠକରେ ବିଜେପିର ସଭ୍ୟମାନେ ଅନୁପସ୍ଥିତ ରହିଥିଲେ । ବିଜେପି ବିଧାୟକଙ୍କ ଅନୁପସ୍ଥିତି ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସର ମୁଖ୍ୟସଚେତକ ତାରା ବାହିନୀପତି କହିଥିଲେ ।