ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପୂର୍ବରୁ ଫିଟ୍ ହେଲେ ବିରାଟ ବାହିନୀର ଷ୍ଟାର ଖେଳାଳି ।

2,225

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ବିଶ୍ୱକପରେ ଟିମ୍ ଇଣ୍ଡିଆର ଆହତ ଖେଳାଳିଙ୍କ ତାଲିକା ଲମ୍ବି ଚାଲିଥିବା ବେଳେ ଏବେ ଏହି ତାଲିକାର ଜଣେ ଖେଳାଳି ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇଛନ୍ତି । ଯାହା ବିରାଟ ବ୍ରିଗେଡ ପାଇଁ ଆଶ୍ୱସ୍ତି ଆଣି ଦେଇଛି । ପୂର୍ବ ମ୍ୟାଚରେ ଭୁବନେଶ୍ୱର କୁମାର ଫିଟ୍ ହୋଇ ମୈଦାନକୁ ଓହ୍ଲାଇଥିବା ବେଳେ ଏବେ ଆଉ ଜଣେ ଖେଳାଳି ମଧ୍ୟ ପୂରା ଫିଟ୍ ହୋଇଛନ୍ତି ।

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆର ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଧୋନି ୱିକେଟକିପିଂ କରୁଥିବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ବ୍ୟାଟିଂ ସମୟରେ ଧୋନିଙ୍କ ଆଙ୍ଗୁଠିରୁ ରକ୍ତ ବାହାରିବା ପରେ ଏହା ଜଣାପଡିଥିଲା । ଏପରିକି ବାଂଲାଦେଶ ବିପକ୍ଷ ମ୍ୟାଚ ମଝିରୁ ଧୋନି ୱିକେଟ କିପିଙ୍ଗ ଛାଡିଥିଲେ । ଯାହା ଦର୍ଶାଉଥିଲା ଯେ, ଧୋନିଙ୍କ ଆଙ୍ଗୁଠିରେ ଲାଗିଥିବା ଆଘାତ ଗୁରୁତର ରହିଥିଲା । କିନ୍ତୁ ଏବେ ଧୋନିଙ୍କୁ ନେଇ ଖୁସିଖବର ସାମ୍ନାକୁ ଆସିଛି । ଧୋନି ସମ୍ପୂର୍ଣ୍ଣ ରୂପେ ଫିଟ୍ ରହିଛନ୍ତି ବୋଲି ଟିମ୍ ମ୍ୟାନେଜମେଣ୍ଟର ଜଣେ ସଦସ୍ୟ ସ୍ପଷ୍ଟ କରିଛନ୍ତି ।

ଟିମ୍ ମ୍ୟାନେଜମେଣ୍ଟର ଜଣେ ସଦସ୍ୟଙ୍କ କହିବା ଅନୁଯାୟୀ, ଟିମ୍ ଇଣ୍ଡିଆ ପାଇଁ ଧୋନି ଜଣେ ଯୋଦ୍ଧା । ୩୦୦ରୁ ଅଧିକ ଦିନିକିଆ ମ୍ୟାଚ୍ ଖେଳିବା ପରେ ଏଭଳି ଛୋଟ ଆଘାତ ତାଙ୍କ ପାଇଁ ସେଭଳି କୌଣସି ବଡ ସମସ୍ୟା ଛିଡା କରିବନି । ୱିକେଟ କିପିଂ କରୁଥିବା ସମୟରେ ଆଙ୍ଗୁଠିରେ ଆଘାତ ଲାଗିବା ଧୋନିଙ୍କ ପାଇଁ କିଛି ନୂଆ କଥା ନୁହେଁ ଓ ଏହାର ପ୍ରଭାବ ମଧ୍ୟ ସେଭଳି ପଡିବ ନାହିଁ ।

ଚଳିତ ବିଶ୍ୱକପରେ ସେମିଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ତେବେ ସେମିଫାଇନାଲ ମ୍ୟାଚରେ ବିରାଟ ବାହିନୀ କାହାକୁ ଭେଟିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ସେମିଫାଇନାଲ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଭାରତ ନିଜର ଶେଷ ଲିଗ୍ ମ୍ୟାଚ୍ ଖେଳିବ ।