ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-୨୦ ସ୍କ୍ୱାଡରେ ଧୋନୀଙ୍କୁ ମିଳିଲାନି ଟିମ୍ ଇଣ୍ଡିଆରେ ସ୍ଥାନ । ୧୫ ଜଣିଆ ଖେଳାଳି ତାଲିକା ଘୋଷଣା କଲା ବିସିସିଆଇ ।

271

କନକ ବ୍ୟୁରୋ : ଧୋନୀଙ୍କୁ ମିଳିଲାନି ଟିମ୍ ଇଣ୍ଡିଆରେ ସ୍ଥାନ । ଦକ୍ଷିଣ ଆଫ୍ରିକା ବିପକ୍ଷ ‌ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଶାଜନକ ଭାବେ ବାଦ୍ ପଡ଼ିଛନ୍ତି । କ୍ରିକେଟରୁ ଧୋନିଙ୍କ ଆତ୍ମଘୋଷିତ ଦୁଇ ମାସିଆ ବିରତି ଶେଷ ହୋଇ ଯାଇଥିଲେ ମଧ୍ୟ ଚୟନକର୍ତାମାନେ ତାଙ୍କୁ ଏହି ଶୃଙ୍ଖଳା ଲାଗି ବିଚାରକୁ ନେଇ ନାହାନ୍ତି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତିନି ଟିକିଆ ଶୃଙ୍ଖଳାକୁ ୩-୦ର ପୋଛି ନେଇଥିବା ଦଳକୁ ଅପରିବର୍ତିତ ରଖା ଯାଇଛି ।

ଆସନ୍ତାବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପକୁ ନଜରରେ ରଖି ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ‌ଦେବାକୁ ଚାହୁଁଥିବା ଚୟନକର୍ତା ସଙ୍କେତ ଦେଇଛନ୍ତି । ତେବେ ମାତ୍ରାଧିକ କ୍ରିକେଟ୍‌ରୁ ସୁରକ୍ଷିତ ରଖିବା ଲାଗି ଯଶପ୍ରୀତ ବୁମ୍‌ରାଙ୍କୁ ମଧ୍ୟ ଏହି ଦଳରେ ନିଆଯାଇ ନାହିଁ । ଅନ୍ୟପକ୍ଷରେ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଦଳକୁ ପ୍ରତ୍ୟାବର୍ତନ କରିଛନ୍ତିି ।

ସୂଚନାଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକା ଆସନ୍ତାମାସରେ ଭାରତ ଆସି ତିନିଟି ଲେଖାଏଁ ଟ୍ବେଣ୍ଟି-୨୦ ଓ ଟେଷ୍ଟ ଖେଳିବ । ଟ୍ବେଣ୍ଟି-୨୦ ଶୃଙ୍ଖଳା ଧର୍ମଶାଳାଠାରେ ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ । ଦ୍ବିତୀୟ ଟ୍ବେଣ୍ଟି-୨୦ ସେପ୍ଟେମ୍ବର ୧୮ (ମୋହାଲି) ଓ ସେପ୍ଟେମ୍ବର ୨୨ (ବେଙ୍ଗାଲୁରୁ)ରେ ଖେଳାଯିବ । ସେହିଭଳି ଟେଷ୍ଟ ଶୃଙ୍ଖଳା ଅକ୍ଟୋବର ୨ରୁ ବିଶାଖାପାଟଣାଠା‌ରେ ଆରମ୍ଭ ହେବ ।

ଭାରତୀୟ ଟ୍ବେଣ୍ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ଋଷବ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, କ୍ରୁନାଲ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ରାହୁଲ ଚହର, ଖଲିଲ ଅହମ୍ମଦ, ଦୀପକ ଚହର, ନଭଦୀପ ସଇନି।