କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦୁଇବର୍ଷରୁ ଅଧିକ ହେବ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି । ହେଲେ ଏବେ ବି ତାଙ୍କର ଲୋକପ୍ରିୟତା ପୂର୍ବଭଳି ଅତୁଟ ରହିଛି । ଧୋନୀଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ ୩ଥର ଆଇସିସି ଚମ୍ପିଆନସିପ୍ ଜିତିଥିଲା । ଏହାସହିତ ଧୋନୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ ଭାବେ ଦଳକୁ ୪ଥର ଚମ୍ପିଆନ କରିବାରେ ସଫଳ ହୋଇଛନ୍ତି ।

Advertisment

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପୂର୍ବରୁ ଧୋନୀ ନିଜର ଏକ ଫାର୍ମ ହାଉସ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଥିଲେ । ଏହି ଫାର୍ମ ହାଉସକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ଝାଡଖଣ୍ଡର ରାଞ୍ଚି ଠାରେ ରହିଛି ଧୋନୀଙ୍କ ଫାର୍ମ ହାଉସ । ୭ଏକ ଜମି ଉପରେ ପ୍ରସ୍ତୁତ ହୋଇଥିବା ଏହି ଫାର୍ମ ହାଉସକୁ ୩ ବର୍ଷ ପୁରିଛି । ଏକ ରିପୋର୍ଟ ମୁତାବକ ନିଜେ ଧୋନୀ ଏହି ଫାର୍ମ ହାଉସର ଡିଜାଇନ ପ୍ରସ୍ତୁତ କରିଥିଲେ । ଏହି ଫାର୍ମ ହାଉସରେ ଏବେ ସବୁ ପ୍ରକାର ସୁବିଧା ମିଳୁଥିବା ଦେଖିବାକୁ ମିଳିଛି ।

୭ଏକର ବିଶିଷ୍ଠ ଏହି ଫାର୍ମ ହାଉସଟି ଇର୍ଜା ନାମରେ ପରିଚିତ । ଏହି ଫାର୍ମ ହାଉସରେ ବିଭିନ୍ନ ପ୍ରକାର ପରିବା ଚାଷ ଜୈବିକ ଉପାୟରେ କରାଯାଉଛି । ଏଠାରେ ତରଭୁଜ, ଅମୃତଭଣ୍ଡା ଓ ଷ୍ଟ୍ରବେରୀ ଭଳି ଫଳ ଓ ପନିପରିବା ଚାଷ କରାଯାଉଛି ।

କେବଳ ଚାଷ ନୁହେଁ ଏହି ଫାର୍ମ ହାଉସରେ ମଧ୍ୟ ଏକ ଜିମ୍ ସେଣ୍ଟର ରହିଛି । ଏହାସହ ସ୍ୱିମିଂ ପୋଲ, କ୍ରିକେଟ ଅଭ୍ୟାସ ପାଇଁ ଗ୍ରାଉଣ୍ଡ, ପାର୍କ ଓ ଇଣ୍ଡୋର ସୁବିଧା ମଧ୍ୟ ରହିଛି । ଫାର୍ମ ହାଉସର ଅଧିକାଂଶ ଭାଗ ବିଭିନ୍ନ ପ୍ରକାର ଗଛଦ୍ୱାରା ପରିପୂର୍ଣ୍ଣ ହୋଇଛି ।

ଫାର୍ମ ହାଉସ ଭିତରେ ରହିବା ପାଇଁ ଏକ ବଡ ଘର ମଧ୍ୟ ନିର୍ମାଣ କରାଯାଇଛି । ଏହାସହ ନିଜେ ଧୋନୀ କାର ଓ ବାଇକ ଉପରେ ସଉକ ରଖୁଥିବାରୁ ଏହି ଫାର୍ମ ହାଉସ ଭିତରେ ବିଭିନ୍ନ ପ୍ରକାର କାର ଓ ବାଇକ୍ ମଧ୍ୟ ଦେଖିବାକୁ ମିଳିଛି ।

ଏସବୁ ଭିତରେ ଫାର୍ମ ହାଉସର ଶୋଭା ବଢାଇଛି ଚେତକ ନାମକ ଏକ ଘୋଡା । ଏହା ସହ ବିଭିନ୍ନ ପ୍ରଜାତିର ଘୋଡା ମଧ୍ୟ ରଖିଛନ୍ତି ଧୋନୀ । ଫାର୍ମ ହାଉସର ଲନରେ ଧୋନୀଙ୍କର ସବୁଠାରୁ ପ୍ରିୟ ପଶୁ ପକ୍ଷୀମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଫାର୍ମ ହାଉସକୁ ଦେଖିବା ପାଇଁ ଭାରତୀୟ କ୍ରିକେଟ ଟିମର ଅନେକ ଖେଳାଳି ଆସୁଥିବା ମଧ୍ୟ ଦେଖିବାକୁ ମିଳିଛି ।