ଶ୍ରୀମନ୍ଦିର ସଂସ୍କାର ପାଇଁ ଲଢେଇ ଆରମ୍ଭ କରିଥିବା ଆଇନଜୀବୀଙ୍କ ୟୁ ଟର୍ଣ୍ଣ । ‘ବିନ୍ ଭୋଜନ ଭଜନ କାହାଁ’ କହି ସେବାୟତଙ୍କ ସପକ୍ଷରେ ବାଢିଲେ ଯୁକ୍ତି

116

କନକ ବ୍ୟୁରୋ: ଶ୍ରୀମନ୍ଦିର ସଂସ୍କାର ପାଇଁ ଲଢେଇ ଆରମ୍ଭ କରିଥିବା ଆଇନଜୀବୀ ମୃଣାଳିନୀ ପାଢୀ ହଠାତ ୟୁ ଟର୍ଣ୍ଣ ମାରିଛନ୍ତି । ମୃଣାଳିନୀଙ୍କ ଜନସ୍ୱାର୍ଥ ମାମଲାର ବିଚାର କରି ସ୍ରୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ସେବାୟତଙ୍କ ଦାନ ଦକ୍ଷିଣା ଉପରେ ରୋକ ଲଗାଇଥିବା ବେଳେ ଏବେ ଖୋଦ ମୃଣାଳିନୀ ସେବାୟତ ସପକ୍ଷରେ ଓକିଲାତି କରିବାକୁ ଆଗେଇ ଆସିଛନ୍ତି ।

ମୃଣାଳିନୀ ‘ବିନ୍ ଭୋଜନ ଭଜନ କାହାଁ’ ବୋଲି ଉଲ୍ଲେଖ କରି ଗରିବ ସେବାୟତଙ୍କ ପେଟପାଟଣା କଥା ଚିନ୍ତା କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛନ୍ତି । ଗତ ୪ ମାସ ଧରି ସେବାୟତମାନେ ପାଳିଆ ପୁରସ୍କାର ପାଉନଥିବାରୁ ସେମାନଙ୍କ ଜୀବନଜୀବିକା ବିପନ୍ନ ହୋଇପଡିଛି । ରାଜ୍ୟ ସରକାରଙ୍କ ଦାରିଦ୍ରଦୂରୀକରଣ ଯୋଜନାରେ ବିପିଏଲ ତାଲିକାରେ ସାମିଲ ଥିବା ସେବାୟତଙ୍କୁ ସହଯୋଗ କରିବାକୁ ମୃଣାଳିନୀ ପାଢୀ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଅନୁରୋଧ କରିଛନ୍ତି ।

ଶ୍ରୀମନ୍ଦିରରେ ବାରମ୍ବାର ବିଶୃଙ୍ଖଳା ନେଇ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅବେଦନକାରୀ ବରିଷ୍ଠ ଆଇନଜ୍ଞ ମୃଣାଳିନୀ ପାଢ଼ୀ । ନବକଳେବର ବିଭ୍ରାଟ, ଠାକୁର ଉପାସରେ ରହିବାଠାରୁ ଆରମ୍ଭ କରି ରତ୍ନଭଣ୍ଡାର ଚାବି ହଜିବା ଯାଏଁ ଘଟଣାକୁ ଆବେଦନରେ ଦର୍ଶାଇଥିଲେ । ଯାହାକୁ ବିଚାର କରି କଡା ଆଭିମୁଖ୍ୟ ଦେଖାଇଥିଲେ ସୁପ୍ରିମକୋର୍ଟ । ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କୋଟି କୋଟି ଭକ୍ତି ଓ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତ କରିଥିଲା । ଆଉ ସମସ୍ତଙ୍କ ମନରେ ଆଶା ସଂଚାର ହୋଇଥିଲା ଯେ, ସବୁକିଛି ବ୍ୟବସ୍ଥିତ କରିବା ପାଇଁ କିଛି ଠୋସ ପଦକ୍ଷେପ ନିଆଯିବ ।

ଶ୍ରୀମନ୍ଦିରରେ ସେବାୟତଙ୍କ ଦୌରାତ୍ମ୍ୟ ନେଇ ଯେଉଁ ଅଭିଯୋଗ ହୋଇଆସୁଛି ସେଥିରୁ ମୁକ୍ତି ମିଳିବ ବୋଲି ହେଲେ ଶ୍ରୀମନ୍ଦିର ସଂସ୍କାର ପାଇଁ ଲଢେଇ ଆରମ୍ଭ କରିଥିବା ଆଇନଜୀବୀ ମୃଣାଳିନୀ ପାଢୀ ହଠାତ୍ ୟୁ ଟର୍ଣ୍ଣ ମାରିଛନ୍ତି । ଆଉ ସେବାୟତଙ୍କ ଦାନ ଦକ୍ଷିଣା ଉପରେ ରୋକ ଲଗାଇବା ପରିବର୍ତ୍ତେ ଏବେ ଖୋଦ ମୃଣାଳିନୀ ସେବାୟତ ସପକ୍ଷରେ ଓକିଲାତି କରିବାକୁ ଆଗେଇ ଆସିଛନ୍ତି ।