ଏମିତି ଶିକ୍ଷକଙ୍କୁ ଶହେ ସଲାମ; ରିକ୍ସା ଚଲେଇ, କ୍ଷୀର ବିକ୍ରି କରି ହେଲେ ସ୍କୁଲ ଶିକ୍ଷକ । ଅବସର ସମୟରେ ସବୁ ଟଙ୍କା ଗରିବ ଛାତ୍ରଙ୍କୁ କରିଦେଲେ ଦାନ ।

195

କନକ ବ୍ୟୁରୋ: ପ୍ରଥମେ ରିକ୍ସା ଚଳେଇ ପାଠ ପଢିଲେ, ପରେ କ୍ଷୀର ବିକ୍ରି କରି ଶିକ୍ଷକ ହେଲେ । ଆଉ ଯେବେ ଶିକ୍ଷକତା ଶେଷ ହେଲା, ଅବସର ସମୟ ଆସିଲା ସେତେବେଳେ ଜଣେ ଶିକ୍ଷକ ଏମିତି କାମ କରିଛନ୍ତି ଯେ, ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । ମଧ୍ୟପ୍ରଦେଶ ପନ୍ନା ଜିଲ୍ଲାର ଜଣେ ସରକାରୀ ପ୍ରାଥମିକ ସ୍କୁଲର ଶିକ୍ଷକ ଅବସର ନେବା ପରେ ତାଙ୍କର ସମସ୍ତ କର୍ମଚାରୀ ଭବିଷ୍ୟ ନିଧି ଟଙ୍କା ଓ ୪୦ ଲକ୍ଷ ଟଙ୍କାର ଗ୍ରାଚ୍ୟୁଇଟି ଟଙ୍କା ଗରିବ ଛାତ୍ରମାନଙ୍କୁ ଦାନ କରିଦେଇଛନ୍ତି ।

ବିଜୟ କୁମାର ଚେନସୋରିୟା ନାମକ ଏହି ଶିକ୍ଷକ ଜଣକ ସୋମବାର ନିଜର ୩୯ ବର୍ଷର ଶିକ୍ଷକତା କ୍ୟାରିଅରରୁ ଅବସର ନେଇଥିଲେ । ତାଙ୍କ ଅବସର ହେତୁ ସ୍କୁଲରେ ଏକ ଛୋଟିଆ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଆଉ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଜଣକ ତାଙ୍କର ସମସ୍ତ ଟଙ୍କାକୁ ଗରିବ ପିଲାଙ୍କୁ ଦାନ କରିଦେଇଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସେ କହିଛନ୍ତି, ତାଙ୍କ ପତ୍ନୀ ଓ ପିଲାଙ୍କ ସହମତିରେ ସେ ସମସ୍ତ ଟଙ୍କାକୁ ଗରିବ ପିଲାଙ୍କୁ ଦାନ କରିଛନ୍ତି । ଦୁନିଆରେ ଦୁଃଖକୁ କେହି କମ କରିପାରିବେ ନାହିଁ । ହେଲେ ଆମେ ଯାହା କରିବା ଉଚିତ୍, ତାହା କରିବା ବୋଲି ବିଜୟ କହିଛନ୍ତି । ତେବେ ପିଲାଦିନେ ମୁଁ ପାଠ ପଢିବାକୁ ବହୁତ ସଂଘର୍ଷ କରିଥିଲି । ପ୍ରଥମେ ରିକ୍ସା ଚଳାଇବା ସହିତ ପାଠ ପଢା ଶେଷ କରିବାକୁ ମୁଁ କ୍ଷୀର ବିକ୍ରି କରିଥିଲି ଆଉ ୧୯୮୩ରେ ମୁଁ ଶିକ୍ଷକ ହୋଇଥିଲି ବୋଲି ବିଜୟ କୁମାର ଚେନସୋରିୟା ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଦୁଇଟି ପୁଅ କାମ କରୁଛନ୍ତି । ତାଙ୍କ ଝିଅର ବିବାହ ହୋଇସାରିଛି । ଏପରି ସ୍ଥିତିରେ ସେ ତାଙ୍କର ୪୦ ଲକ୍ଷ ଗ୍ରାଚ୍ୟୁଇଟି ଟଙ୍କା ଓ ଭବିଷ୍ୟ ନିଧି ଟଙ୍କାକୁ ଗରିବ ପିଲାଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି । ଯେଉଁଥିରେ ତାଙ୍କ ପରିବାର ତାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।