କୋଡିଏ ମିନିଟରେ ‘କରୋନା’ର କାମ ଖତମ? ମହାମାରୀକୁ ମାତ୍ ଦେବ ମାଉଥ୍ ସ୍ପ୍ରେ ? କଂପାନୀର ଦାବି, ଏହି ସ୍ପ୍ରେକୁ ବ୍ୟବହାର କରିବା ଦ୍ୱାରା କିଛି କ୍ଷଣ ଭିତରେ ମରିିଯିବେ କୌଣସି ବି ଘାତକ ଭାଇରସ

5,239

କନକ ବ୍ୟୁରୋ: ସାରା ବିଶ୍ୱରେ କରୋନା ଭାଇରସର କାୟା କମିବାର ନାଁ ଧରୁନି । ଏହି ଭୟଙ୍କର ମହାମାରୀ କାରଣରୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରତିଦିନ ବଢିବାରେ ଲାଗିଛି । ଅନ୍ୟପଟେ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଭାରତ ସମେତ ବିଶ୍ୱର ବହୁ ବଡ ବଡ ଦେଶ ପ୍ରତିଷେଧକ ପ୍ରସ୍ତୁତ କରିବାରେ ଦିନରାତି ଏକ କରିଦେଇଥିବା ବେଳେ ଏବେ ପ୍ରାୟ ୨୧ରୁ ଅଧିକ ଭ୍ୟାକସିନ ଟ୍ରାଏଲର ବିଭିନ୍ନ ଫେଜରେ ରହିଛି । ତେବେ ଭ୍ୟାକସିନ ବ୍ୟତୀତ କରୋନା ମହାମୀରର ଚିକିତ୍ସା ପାଇଁ ଔଷଧକୁ ନେଇ ମଧ୍ୟ ଗବେଷଣା ଜାରି ରହିଛି ।

ଇତି ମଧ୍ୟରେ ସ୍ୱିଡେନର ଏକ କଂପାନୀ କୋଭିଡ୍ ଭାଇରସ ବିରୁଦ୍ଧରେ ଲଢିବାକୁ ଏକ ସ୍ୱତନ୍ତ୍ର ମାଉଥ୍ ସ୍ପ୍ରେ ପ୍ରସ୍ତୁତ କରିଥିବା ଦାବି କରିଛି । ଯାହାକି ମାତ୍ର ୨୦ ମିନିଟରେ ଭୁତାଣୁକୁ ନଷ୍ଟ କରିଦେବ ବୋଲି କଂପାନୀ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଜାତୀୟ ଗଣମାଧ୍ୟମ ଫିନାନସିଆଲ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ, ସ୍ୱିଡେନ ଲାଇଫ୍ ସାଇନ୍ସ କଂପାନୀ ଏନଜାଇମେଟିକା ପକ୍ଷରୁ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଏକ ପ୍ରକାର ମାଉଥ୍ ସ୍ପ୍ରେ ତିଆରି କରିଛି ।  ଯାହାକୁ ବ୍ୟବହାର କରିବାର ମାତ୍ର ୨୦ ମିନିଟ୍ ମଧ୍ୟରେ ହିଁ ଭାଇରସ ନଷ୍ଟ ହୋଇଯିବ ବୋଲି କଂପାନୀ ତରଫରୁ ଦାବି କରାଯାଇଛି ।

ସେହିଭଳି ମାଉଥ୍ ସ୍ପ୍ରେକୁ ନେଇ କଂପାନୀ ତରଫରୁ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି, ଯେଉଁଥିରେ ନୂତନ କରୋନା ଭୁତାଣୁ ସାର୍ସ-କୋଭିଡ-୨କୁ ଏହି ସ୍ପ୍ରେ ଜରିଆରେ ପ୍ରାୟ ୯୮ ପ୍ରତିଶତ ନଷ୍ଟ କରାଯାଇପାରିବ । ଏହାବ୍ୟତୀତ ଏହି ସ୍ପ୍ରେ ମଣିଷକୁ ଅନ୍ୟ ଜୀବାଣୁମାନଙ୍କଠାରୁ ମଧ୍ୟ ରକ୍ଷା କରିପାରିବ ବୋଲି ଯୁକ୍ତି ବାଢିବା ସହ ଏହି ସ୍ପ୍ରେର ନାଁ କୋଲ୍ଡଜାଇମ ରଖିଛି କଂପାନୀ ।